Latest Odisha News

ପକ୍କା ଘର ସାତ ସପନ, ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ ଗଗନ

ଯାଜପୁର: ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି । ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେବାସହ ଯୋଜନା ଗୁଡ଼ିକ ପାଇଁ ସଂରକ୍ଷଣ ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଯୋଜନା ଅନେକ ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରୁ ନାହିଁ । ଆବାସ ଯୋଜନା ରେ ଦୃଷ୍ଟିହୀନ ଓ ଭିନ୍ନକ୍ଷମ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା ବେଳେ ବିଞ୍ଝାରପୁରରୁ ଆସିଛି ଆବାସ ଯୋଜନା କେଳେଙ୍କାରୀର ଚିତ୍ର ।

ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୁହାଳି ପଞ୍ଚାୟତର କୁମ୍ଭାର ସାହିରେ ରୁହନ୍ତି ଦିବ୍ୟାଙ୍ଗ ଗଗନ ସାହୁ । ମୁଣ୍ଡ ଗୁଞ୍ଜିବାକୁ ଛାତ ଟିଏ ନାହିଁ । ଯେଉଁ ଚାଳ ଛପର ଘରଟିଏ ଅଛି ତାର ଅବସ୍ଥା ବି ଶୋଚନୀୟ । ଅନ୍ୟ ଦିନ ମାନଙ୍କରେ ଯେମିତି ସେମିତି କରି ଦିନ କଟିଯାଏ । ମାତ୍ର ବର୍ଷା ଦିନ ଆସିଲେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୁଅନ୍ତି ପୁରା ପରିବାର । ଗଗନ ଜଣେ ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । କିନ୍ତୁ କିଛି ବର୍ଷ ହେଲା ତାଙ୍କ ୨ଟି ଆଖୀ ନଷ୍ଟ ହୋଇଯାଇଥିବାରୁ ଆଉ କାମ କରିପାରୁନାହାନ୍ତି ଗଗନ l ଦୀର୍ଘ ବର୍ଷ ହେଲା ଘର ଖଣ୍ଡେ ପାଇବା ପାଇଁ ବିଭିନ୍ନ ରାଜନେତାଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ନିକଟକୁ ଧାଇଁ ଧାଇଁ ନିରାଶ ହୋଇଗଲେଣି । କିନ୍ତୁ କୌଣସି ସୁଫଳ ମିଳୁନାହିଁ କି ଦିବ୍ୟାଙ୍ଗ ଗଗନଙ୍କୁ ଘର ଖଣ୍ଡେ ମିଳୁନାହିଁ ।

ତେବେ ଚଳିତ ବର୍ଷ ଆବାସ ଯୋଜନା ତାଲିକାରେ ଗଗନଙ୍କ ନାମ ଥିବା ବେଳେ ପରେ ତାଲିକାରୁ ତାଙ୍କ ନାଁ କଟିଯାଇଥିଲା । କିପରି ତାଲିକାରୁ ତାଙ୍କ ନାଁ କଟିଗଲା ତାହା ନେଇ ଏବେ ନା ନା ପ୍ରଶ୍ନ ଉଠିଛି । ସେପଟେ ଦିବ୍ୟାଙ୍ଗ ଗଗନଙ୍କ ପାଇଁ ଏ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପଞ୍ଚାୟତରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିଲେ ମଧ୍ୟ ଗଗନଙ୍କୁ ଆଜି ପର୍ଯ୍ୟନ୍ତ ଘରଟିଏ ମିଳି ପାରିନାହିଁ । ତେଣୁ ଏହି ପରିବାରକୁ ଯଥାଶୀଘ୍ର ସରକାରୀ ସହାୟତା ଓ ଆବାସ ଯୋଜନାରେ ସାମିଲ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି l

ଗୋଟିଏ ପଟେ ଗରିବଙ୍କ ମୁଣ୍ଡ ଉପରେ ପକ୍କାଘର ନେଇ ରାଜ୍ୟ ସରକାର ମାଳ ମାଳ ଯୋଜନା ଘୋଷଣା କରୁଛନ୍ତି । ହେଲେ ପ୍ରଶାସନିକ ସ୍ତରରେ ଉଦାସୀନତା ଅଭାବ ଯୋଗୁ ଗଗନଙ୍କ ପରି ଅନେକ ଗରିବ ଅସହାୟ ଘର ଖଣ୍ଡିଏ ପାଇବାର ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ଯାହା ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନାର ବାସ୍ତବତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.