Latest Odisha News

BREAKING NEWS

ଟଙ୍କା ପାଇଁ ୩୦ କି.ମି. ଗୁରୁଣ୍ଡିଲେ ଦିବ୍ୟାଙ୍ଗ, ଖବର ପ୍ରସାରଣ ପରେ ବୃଦ୍ଧାଙ୍କୁ ମିଳିଲା ଟ୍ରାଇ ସାଇକଲ

ସୁନ୍ଦରଗଡ: ଦେହରେ ବଳ ନାହିଁ କି ଚାଲି ପାରୁନାହାନ୍ତି ଏହି ବୁଢୀ ମଉସୀ ଜଣଙ୍କ । ସରକାରଙ୍କ ଯୋଜନା ସତେ ଯେପରିକି ମାଉସୀଙ୍କ ପାଇଁ ପାଣି ର ଗାର ସଦୃଶ୍ୟ । ବ୍ୟାଙ୍କରୁ ଟଙ୍କା ପାଇଁ ଦୀର୍ଘ ୩୦ କି.ମି. ପର୍ଯ୍ୟନ୍ତ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିଲେ ଏହି ଦିବ୍ୟାଙ୍ଗ ବୃଦ୍ଧା ଜଣଙ୍କ । ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକରୁ ଆସିଛି ଏଭଳି ଅଭାବନୀୟ ଚିତ୍ର ।

ଏ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ବଡ଼ମାଲ ବଜାରପଡା ର ବାସିନ୍ଦା ୬୮ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧା ଟେରସା ବାର୍ଲା । ବୃଦ୍ଧା ଜଣଙ୍କ ମୁହଁରେ କିଛି ଚର୍ମ ରୋଗ ଦେଖାଯିବାରୁ ସେ ଗାଁର ଜଣେ ବୈଦଙ୍କ ନିକଟରେ ଦେଖାଇଥିଲେ । ବୈଦ ଜଣଙ୍କ ତାଙ୍କୁ ଚିକିତ୍ସା ବାବଦକୁ ଅର୍ଥ ମାଗିଥିଲେ । କିନ୍ତୁ ବୁଢୀ ମାଉସୀଙ୍କ ପାଖରେ ଟଙ୍କା ନଥିବାରୁ ସେ ନିକଟରେ ଥିବା ବ୍ୟାଙ୍କରୁ ଟଙ୍କା ଆଣିବାକୁ ଯାଇଥିଲେ । ମାତ୍ର ସେଠାରେ ଗ୍ରାହକ ସେବା ଅଧିକାରୀ ଆକାଉଣ୍ଟରେ ତାଙ୍କର ଆଧାର ସଂଯୋଗ ହୋଇନାହିଁ ତେଣୁ ଟଙ୍କା ଉଠାଯାଇପାରିବ ନାହିଁ ବୋଲି କହିଥିଲେ । ତେବେ ଟଙ୍କା ଉଠାଇବାକୁ ହେଲେ କୁତ୍ରା ସ୍ଥିତ ଷ୍ଟେଟ ବ୍ୟାଙ୍କକୁ ଯିବାକୁ ପଡିବ ବୋଲି କହିଥିଲେ ଅଧିକାରୀ ଜଣଙ୍କ । ଫଳରେ ନିରୂପାୟ ହୋଇ ଦିବ୍ୟାଙ୍ଗ ବୁଢୀ ମାଉସୀ ଜଣଙ୍କ ଷ୍ଟେଟ ବ୍ୟାଙ୍କ ଯିବା ପାଇଁ ଘରୁ ଗୁରୁଣ୍ଡି ଗୁରୁଣ୍ଡି ନିକଟସ୍ଥ ଅଟୋ ଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ବୁଢୀ ମାଉସୀଙ୍କୁ ଏଭଳି ଅବସ୍ଥାରେ ଦେଖି ଜଣେ ସାମ୍ବାଦିକ ସ୍ଥାନୀୟ ଲୋକେଙ୍କ ସହାୟତାରେ ତାଙ୍କୁ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ରକୁ ନେଇଯାଇଥିଲେ । ସେଠାରେ ଯାଞ୍ଚ ପରେ ଜଣାପଡିଥିଲା ଯେ, ବୃଦ୍ଧାଙ୍କ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ଅଛି । ତେବେ ସେଠାରୁ ୧୦୦୦ ଟଙ୍କା ଉଠାଇ ଘରକୁ ଫେରିଥିଲେ ବୃଦ୍ଧା ।

ଏନେଇ ଗଣମାଧ୍ୟମରେ ଖବର ପ୍ରସାରିଣ ହେବା ପରେ ଟେରସା ମାଉସୀଙ୍କ ପାଖରେ ପହଞ୍ଚିଥିଲା ପ୍ରଶାସନ । ତାଙ୍କୁ ବ୍ଲକ କାର୍ଯ୍ୟାଳୟକୁ ଆଣାଯାଇ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଛି । ଭତ୍ତା ପଇସା କୁ ଘରେ ପ୍ରଦାନ କରିବା ଓ ସରକାର ଙ୍କ ପକ୍ଷରୁ ୩୫ କେଜି ଚାଉଳ ପ୍ରଦାନ କରିବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଟେରସା ମାଉସୀ ।

Leave A Reply

Your email address will not be published.