Latest Odisha News

BREAKING NEWS

ତହସିଲ କାର୍ଯ୍ୟାଳୟ ଆଗରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରିଥିବା ଦିବ୍ୟାଙ୍ଗ ଆଖି ବୁଜିଲେ

ନୂଆପଡା:ସରକାରୀ କାର୍ଯ୍ୟାଳୟର ଅବ୍ୟବସ୍ଥା ବିରୋଧରେ ଲଢି ଲଢି ଥକି ଯାଇଥିଲେ । ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ । ସେ ଚାହୁଁଥିଲେ ନିଜ ଜମି ବିକ୍ରି କରିବା ପାଇଁ ଅନୁମତି । ହେଲେ ବାରମ୍ବାର ଦୌଡିବା ପରେ ମଧ୍ୟ  ତାଙ୍କୁ ଅନୁମତି  ମିଳି ନ ଥିଲା । ଶେଷରେ ହତାଶ ହୋଇ ଗତକାଲି ଆତ୍ମହୁତି ଉଦ୍ୟମ କରିଥିଲେ । ଦୀର୍ଘ ୨୪ ଘଣ୍ଟାର ସଂଘର୍ଷ ପରେ ଆଜି ଆଖି ବୁଜିଛନ୍ତି ନୂଆପଡାର ଜଣେ ଯୁବକ ।

ଗତକାଲି ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଘଟିଥିଲା ଏପରି ଅଭାବନୀୟ ଘଟଣା  ।  ଜଣେ ଯୁବକ ତହସିଲ ଅଫିସ ଭିତରେ ପେଟ୍ରୋଲ ଢାଳି  ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଭର୍ତ୍ତି କରା ଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ଆଜି ମୃତ୍ୟୁ ଘଟିଛି ।

ମୃତ ବ୍ୟକ୍ତି ଜଣକ ହେଲେ ଜୋଙ୍କ ଥାନା କଲ୍ୟାଣପୁର ଗ୍ରାମର ଜଗଦୀଶ ଚୌହାନ । ସେ ଜଣେ ଦିବ୍ୟାଙ୍ଗ । ସେ ଛତିଶଗଡର ବାଗବାହାରାରେ ରୁହନ୍ତି । ସେ ତାଙ୍କର ୧୬ ଡେସିମିଲ ଜମି ବିକ୍ରି ପାଇଁ ଅନୁମତି ନେବା ଲାଗି ୨ ବର୍ଷ ହେଲା  ନୂଆପଡା ତହସିଲ କାର୍ଯ୍ୟାଳୟକୁ ଦୗେଡୁଛନ୍ତି । ହେଲେ ତାଙ୍କୁ ଅନୁମତି ମିଳୁ ନ ଥିଲା ।

ପରିବାର ଲୋକଙ୍କ ଅଭିଯୋଗ ଯେ, ତହସିଲ କାର୍ଯ୍ୟାଳୟରେ ତାଙ୍କୁ ଅପମାନିତ ବି କରାଯାଉ ଥିଲା । ଗତକାଲି ବି ତାଙ୍କୁ ତହସିଲ କାର୍ଯ୍ୟାଳୟରେ ସନ୍ତୋଷଜନକ ଉତ୍ତର ମିଳି ନ ଥିଲା । ଶେଷରେ ତାଙ୍କର ଧୈର୍ଯ୍ୟ ସୀମା ଲଂଘିଥିଲା।   ଆଗରୁ ଆଣିଥିବା ପେଟ୍ରୋଲକୁ ଅଫିସ ଭିତରେ ଢାଳିହେବା ସହ ନିଆଁ ଲଗାଇ ହୋଇଥିଲେ । ତହସିଲ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ସଙ୍ଗେ ସଙ୍ଗେ ପାଖ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତାଙ୍କ ଶରୀରର ପାଖାପାଖି ୯୦ ପ୍ରତିଶତ ଜଳି ଯାଇଥିଲା ।  ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲ୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ତହସିଲଦାର ଏ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି । ଏପରିକି ଉକ୍ତ ବ୍ୟକ୍ତିଙ୍କୁ ସେ ଜାଣି ନ ଥିବା କହିଛନ୍ତି ।

ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି,  ଜମି ଜମା ମାମଲାରେ ଏଠାରେ ଅନେକ ଲୋକ ହଇରାଣ ହରକତ ହେଉଛନ୍ତି ।   ଏହି ଘଟଣା ପାଇଁ ତହସିଲ ବିଭାଗ ସମ୍ପୁର୍ଣ୍ଣ ଦାୟୀ ବୋଲି କହିଛନ୍ତି ଲୋକେ ।

Leave A Reply

Your email address will not be published.