Latest Odisha News

BREAKING NEWS

ଅନ୍‌ସ୍କ୍ରିନ ଚରିତ୍ରକୁ ନେଇ ମୁଁ ଖୁବ ସ୍ୱାର୍ଥୀ; ଦିବ୍ୟେନ୍ଦୁ ଶର୍ମା

ମୁମ୍ବାଇ: ଲକଡାଉନରେ ଠପ୍ ପଡିଥିଲା ଫିଲ୍ମ ଇଣ୍ଡଷ୍ଟ୍ରୀ । ହେଲେ ସେବେଠୁ ଜୋର ଧରିଛି ୱେବ୍ ସିରିଜ୍ ଟ୍ରେଣ୍ଡ । ଏହି ଧାରାରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ଅଭିନେତା ଦିବ୍ୟେନ୍ଦୁ ଶର୍ମା । ୨୦୧୧ରେ ପ୍ୟାର୍ କା ପଂଚନାମା ଭଳି ଫିଲ୍ମରେ ସେ ଅଭିନୟ ଦୁନିଆରେ ପାଦ ଥାପିଥିଲେ । ହେଲେ ଏବେ ୱେବ୍ ସିରିଜ୍ ମିର୍ଜାପୁରରେ ମୁନ୍ନା ତ୍ରିପାଠୀ କିର୍ଦାର ପାଇଁ ଖୁବ ଚର୍ଚ୍ଚାରେ ରହିଛନ୍ତି ।

“ଚରିତ୍ରକୁ ନେଇ ମୁଁ ଖୁବ ସ୍ୱାର୍ଥୀ । ଜଣେ ଅଭିନେତା ଭାବେ କୌଣସି ଗୋଟିଏ ଚରିତ୍ରରେ ମୁଁ ବାନ୍ଧି ହେବାକୁ ଚାହେନି । ଖଳନାୟକ ହେଉ କି ନାୟକ ଚରିତ୍ର । ପସନ୍ଦ ଆସିଲେ ସେହି ଚରିତ୍ରକୁ ଜୀବନ୍ତ କରିବା ପାଇଁ ମୁଁ ଧ୍ୟାନ କେନ୍ଦ୍ରିତ କରିଥାଏ “ ଏକ ମାଗାଜିନକୁ ଇଣ୍ଟରଭ୍ୟୁ ଦେବା ଅବସରରେ କିଛି ଏପରି କହିଥିଲେ ୩୭ ବର୍ଷୀୟ ମିର୍ଜାପୁର ଫେମ୍ ଆକ୍ଟର ଦିବ୍ୟେନ୍ଦୁ ଶର୍ମା ।

ଦିବ୍ୟେନ୍ଦୁଙ୍କ ଅନୁଯାୟୀ ଓଟିଟି ପ୍ଲାଟଫର୍ମ ହିଁ ଅଭିନେତାଙ୍କୁ ନିଜ ଚରିତ୍ରକୁ ସଠିକ୍ ଭାବେ ରୂପାୟନ କରିବାରେ ସହାୟକ ହୋଇଛି । ପ୍ରତିଟି ୱେବ୍ ସିରିଜ୍‌ରେ ୮ଟି କିମ୍ବା ୯ଟି ଏପିସୋଡ୍ ରହୁଥିବାରୁ ସମସ୍ତ ଅଭିନେତା ନିଜ ଦକ୍ଷତା ଦେଖାଇବାକୁ ସକ୍ଷମ ହେଉଛନ୍ତି । ଅନ୍ୟପଟେ ଫିଲ୍ମର ଅବଧି ମାତ୍ର ୨ରୁ ୩ ଘଣ୍ଟା ରହୁଥିବାରୁ ଖାସ କରି ମୁଖ୍ୟ କଳାକାରଙ୍କ ଦବଦବା ଅଧିକ ରହିଥାଏ । ଫଳରେ ଅଧିକାଂଶ କଳାକାର ଉପେକ୍ଷିତ ହେବାରେ ନଜିର ରହିଛି । ହେଲେ ଓଟିଟି ପ୍ଲାଟଫର୍ମ କଳାକାରର ଚରିତ୍ରକୁ କେନ୍ଦ୍ରିତ କରିଥାଏ ।

ମିର୍ଜାପୁରର ଦୁଇଟି ସିଜିନ୍‌ର ଅପୂର୍ବ ସଫଳତା ପରେ ଆଗାମୀ ଦିନରେ ଦିବ୍ୟେନ୍ଦୁ “ବିଛୁ କା ଖେଲ୍” ଭଳି ୱେବ୍ ସିରିଜରେ ନଜର ଆସିବେ । ଅପରାଧ, ପ୍ରତିଶୋଧ ଓ ରାଜନୈତିକ ଘଟଣା ଉପରେ ଆଧାରିତ ଏହି ୱେବ ସିରିଜଟି ଚଳିତମାସ ୧୮ତାରିଖରେ ରିଲିଜ୍ ହେବ । ଏଥରେ ଦିବ୍ୟେନ୍ଦୁ ନିଜ ବାପାଙ୍କ ହତ୍ୟାର ପ୍ରତିଶୋଧ ନେବାରେ ନଜର ଆସିବେ । ତା ଛଡା ବହୁ ଜଣାଶୁଣା ତଥା ନବାଗତ କଳାକାରଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିବ ।

Comments are closed.