ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଆଲୋକର ପର୍ବ ଦୀପାବଳି। ଏହି ପର୍ବଟି ଆମ ଦେଶର ଲୋକଙ୍କ ପାଇଁ ବହୁତ ମହତ୍ତ୍ୱ ରଖିଥାଏ।ତିଥି ଅନୁସାରେ ଦେଖିଲେ ଏହି ପର୍ବ କାର୍ତ୍ତିକ ମାସ ଅମାବାସ୍ୟାରେ ପଡ଼ିଥାଏ। ଏହି ଦିନ ଲୋକ ନିଜ ନିଜ ଘରକୁ ଆଲୋକରେ ସଜାଇବା ସହିତ ଧନ ଦାତ୍ରୀ ମା’ ଲକ୍ଷ୍ମୀ ଏବଂ ଗୌରୀ ପୁତ୍ର ଭଗବାନ ଗଣେଶଙ୍କର ପୂଜା କରିଥାନ୍ତି।
ଦୀପାବଳୀରେ ସମଗ୍ର ଭାରତରେ ଦିବ୍ୟ ଜନନୀଙ୍କର ନାନା ରୂପରେ ପୂଜା କରାଯାଏ । ବଙ୍ଗଳା, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀ ମା କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ ।
ସେହିପରି ଭାରତର ଅନ୍ୟାନ୍ୟ ଅଂଶରେ ଦୀପାବଳୀ ଲକ୍ଷ୍ମୀ ପୂଜାର ସମୟ । ବିଶେଷ କରି, ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ ଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।
କୁହାଯାଏ ମା’ ଲକ୍ଷ୍ମୀ ଏହି ଦିନରେ ଜନ୍ମ ହୋଇଥିଲେ ଏବଂ ଏହି ଦିନରେ ହିଁ ଭଗବାନ ବିଷ୍ଣୁଙ୍କ ସହ ତାଙ୍କର ବିବାହ ହୋଇଥିଲା। ତେଣୁ ଭଗବାନଙ୍କର ବିବାହ ବାର୍ଷିକୀକୁ ପାଳନ କରିବା ପାଇଁ ଲୋକମାନେ ନିଜ ଘରକୁ ଆଲୋକରେ ସଜେଇଥାନ୍ତି।
ଓଡ଼ିଶାରେ ଏହି ଦିନ ବଡ଼ବଡୁଆଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳାଯାଏ । କାଉଁରିଆ କାଠି ଜାଳିବାବେଳେ ଉଚ୍ଚାରଣ କରାଯାଏ:
“ବଡ଼ବଡୁଆ ହୋ, ଅନ୍ଧାରରେ ଆସ ଆଲୁଅରେ ଯା’,
ପୁରୁଷୋତ୍ତମରେ ମହାପ୍ରସାଦ ଖାଇ, ବାଇଶି ପାବଛେ ଗଡ଼ଗଡାଉ ଥା” ।
ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି ଲୋକେ । ଅସଂଖ୍ୟ ଭକ୍ତ ସେଦିନ ବାଇଶି ପାହାଚରେ ପିଣ୍ଡଦାନ କରି କାଉଁରିଆ କାଠି ବି ଜାଳନ୍ତି । ପିତୃଗଣଙ୍କ ଆଶୀର୍ବାଦ କାମନା କରନ୍ତି ।
Comments are closed.