ନୂଆଦିଲ୍ଲୀ: ଦୁନିଆ ଯେତେ ଆଗେଇଲେ ବି ଭୂତ ପ୍ରେତର ଭୟ ଓ ବିଶ୍ୱାସ ମଣିଷ ମନରୁ ଏବେବି ଯାଇନି । କେଉଁଠି ନା କେଉଁଠି ଭୂତର କାଣ୍ଡକୁ ନେଇ ରୋଚକ ଖବର ସବୁ ଶୁଣିବାକୁ ମିଳୁଛି । ତେବେ ପାହାଡ଼ ପର୍ବତରେ ଭରା ହିମାଚଳ ପ୍ରଦେଶରେ ଲୁଚି ରହିଛି ଭୂତପ୍ରେତର ଏକ ରହସ୍ୟ । ତେବେ ଏ କାହାଣୀ ୩୫ ବର୍ଷ ତଳର । କୁହାଯାଏ ସେହି ସ୍ଥାନରେ ଜଣେ ଯୁବକର ଆତ୍ମା ବୁଲୁଛି । ଆଉ ରାସ୍ତାରେ ଯାଉଥିବା ସବୁ ଲୋକଙ୍କୁ ଅଟକାଇ ମାଗେ ଅଜବ ଜିନିଷ । ଆଜ୍ଞା ହଁ ଭୁତ ମାଗେ ସିଗାରେଟ ଏବଂ ପାଣି ବୋତଲ । କୁହାଯାଏ ଯଦି ଯୁବକର ଇଚ୍ଛାକୁ କେହି ପୂରଣ ନ କରନ୍ତି ତେବେ ସେମାନଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ ।
ମନାଲିର ଲେହ ରାସ୍ତାରେ ଏହି ଘଟଣା ଘଟିଥାଏ । ତେବେ ଏହି ରାସ୍ତାରେ ଭୂତର ଏକ ଛୋଟ ମନ୍ଦିର ମଧ୍ୟ ଦେଖିବାକୁ ମିଳେ । ୧୭ହଜାର ଫୁଟ ଉପରେ ଗାଟା ଲୁପ୍ସରେ ରହିଛି ଏହି ମନ୍ଦିର । କୁହାଯାଏ ଏହି ରାସ୍ତାରେ ଅତୃପ୍ତ ଆତ୍ମା ଲୋକଙ୍କୁ ମିନେରାଲ ଓ୍ବାଟର ଏବଂ ସିଗାରେଟ ମାଗି ହଇରାଣ କରିଥାଏ ଯାହା ଦ୍ବାରା ଏଠାରେ ସବୁବେଳେ ଦୁର୍ଘଟଣା ଘଟିଥାଏ । କିନ୍ତୁ ପରେ ମନ୍ଦିର ହେବାରୁ ଦୁର୍ଘଟଣା ସଂଖ୍ୟା କମିଯାଇଥିଲା ।
ଭୂତ ବିଷୟରେ ଏତେ କଥା ଜାଣିବା ପରେ ଏବେ ସମସ୍ତଙ୍କ ମନରେ ଏହା ପ୍ରଶ୍ନ ଉଠୁଥିବ ଯେ ଏହି ଅତୃପ୍ତ ଆତ୍ମା ଆସିଲା କେଉଁଠୁ ? ଏହି ଘଟଣାଟି ଦୀର୍ଘ ୩୦ବର୍ଷ ତଳେ ଘଟିଥିବା ଏକ ଦୁର୍ଘଟଣା ସହ ଜଡ଼ିତ। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଦୀର୍ଘ ୩୦ବର୍ଷ ତଳେ ଏହି ରାସ୍ତାରେ ଯାଉଥିବା ଏକ ଟ୍ରକ୍ ଖରାପ ହୋଇଯାଇଥିଲା । ଏହାପରେ ବରଫ ଝଡ଼ ହୋଇଥିଲା ଏବଂ ଟ୍ରକ୍ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ କାହାରି ସାହାଯ୍ୟ ମିଳିପାରିନଥିଲା । କିଛି ସମୟ ଅପେକ୍ଷା କରିବା ପରେ ଟ୍ରକ୍ ଡ୍ରାଇଭର ତା’ର ସାଥୀକୁ ଛାଡ଼ି ଗାଁରେ ସାହାଯ୍ୟ ମାଗିବାକୁ ଚାଲିଯାଇଥିଲା ।
ଗାଁ ସେହି ସ୍ଥାନରୁ ପାଖାପାଖି ୪୦କିଲୋମିଟର ଦୂର ଥିଲା ଏବଂ ଡ୍ରାଇଭରକୁ ସେଠାକୁ ପହଞ୍ଚିବାକୁ ଅନେକ ଘଣ୍ଟା ଲାଗିଯାଇଥିଲା । ବରଫ ଝଡ଼ ଯୋଗୁଁ ରାସ୍ତା ବି ଖରାପ ହୋଇଯାଇଥିଲା । ଚାଳକ ଫେରିବାକୁ ଉଦ୍ୟମ କରିଥିଲା କିନ୍ତୁ ବରଫ ଝଡ଼ ଯୋଗୁଁ ଯାଇପାରିନଥିଲା । ପାଖାପାଖି ଗୋଟିଏ ସପ୍ତାହ ପରେ ଯେତେବେଳେ ଚାଳକ ନିଜ ଟ୍ରକ ପାଖକୁ ଫେରିଥିଲା ସେତେବେଳେ କଣ୍ଡକ୍ଟର ଭୋକ ଉପାସରେ ଏବଂ ଖରାପ ପାଗ ଯୋଗୁଁ ମୃତ୍ୟୁବରଣ କରିଥିଲା ଏବଂ ତାଙ୍କ ଶବ ଟ୍ରକ୍ ଭିତରେ ପଡ଼ିଥିଲା। ଚାଳକ ତାଙ୍କ ଶବକୁ ସେଠାରେ ପୋତି ଦେଇଥିଲେ । ସେଦିନଠାରୁ ଏଠାରେ ଏପରି ଘଟଣା ଘଟୁଛି। ଯୁବକଙ୍କ ଅତୃପ୍ତ ଆତ୍ମା ବାଟରେ ଯାଉଥିବା ଲୋକଙ୍କୁ ଡରାଇଥାଏ।
Comments are closed.