ନୂଆଦିଲ୍ଲୀ: ଦିଲ୍ଲୀରେ ତ୍ରିଦେବ, ବିହାରରେ ତ୍ରିଶୁଳ । ବିହାର ନିର୍ବାଚନ ପାଇଁ ଆରଏସଏସର ବଡ଼ ପ୍ଲାନ୍ । ଏଥର ଗ୍ରାଉଣ୍ଡରେ ହେବ ବଡ଼ ଖେଳ ! ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀ ପରେ ବିହାର ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଲାଗିଛି ଆରଏସଏସ । ମିଶନ୍ ତ୍ରିଶୁଳରେ ବିଜୟ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଏଥିରେ ତିନିଟି ପ୍ରମୁଖ ଦିଗ ପ୍ରତି ଫୋକସ୍ କରାଯାଉଛି । ଅସନ୍ତୁଷ୍ଟ ଭୋଟରଙ୍କୁ ଚିହ୍ନଟ, ପ୍ରଭାବଶାଳୀ ପ୍ରସଙ୍ଗର ଆକଳନ ଏବଂ ବିଜେପିକୁ ଲାଭ ଓ କ୍ଷତି କରୁଥିବା ବିଭିନ୍ନ ପ୍ରସଙ୍ଗର ବିଶ୍ଳେଷଣକୁ ଗୁରୁତ୍ବ ଦିଆଯାଉଛି । ହରିୟାଣା, ମହାରାଷ୍ଟ୍ର ଓ ଦିଲ୍ଲୀର ସଫଳତା ପରେ ବିହାରରେ ଏହି ଫର୍ମୁଲା ଆପଣାଇଛି ଆରଏସଏସ ।
ବିହାରରେ ମିଶନ୍ ତ୍ରିଶୁଳ
ବିହାର ବିଧାନସଭା ନିର୍ବାଚନ ପାଇଁ ଆକ୍ସନ ମୋଡରେ ରହିଛି ଆରଏସଏସ । ନିର୍ବାଚନକୁ ଆହୁରି ୮ମାସ ଥିବା ବେଳେ ଏବେଠୁ ଆରଏସଏସ ନିଜ ରଣନୀତି ପ୍ରସ୍ତୁତ କରିବା ସହ ନାଁ ଦେଇଛି ମିଶନ ତ୍ରିଶୁଳ । ଏଥିରେ ସର୍ଭେ କରି ଅସନ୍ତୁଷ୍ଟ ଭୋଟର ଓ ସେମାନଙ୍କ ପ୍ରମୁଖ ପ୍ରସଙ୍ଗ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଭୋଟରଙ୍କ ଉପରେ କେଉଁ ପ୍ରସଙ୍ଗ ସବୁଠୁ ଅଧିକ ପ୍ରଭାବ ପକାଇବ? କେଉଁ ପ୍ରସଙ୍ଗ ବିଜେପି ପାଇଁ ଲାଭପ୍ରଦ ହେବ ? କେଉଁ ପ୍ରସଙ୍ଗ ପାଇଁ କ୍ଷତି ସହିପାରେ ଦଳ? ସେନେଇ ବିଶ୍ଳେଷଣ କରିବାକୁ ଟାର୍ଗେଟ୍ ରଖିଛି ଆରଏସଏସ ।
ମାର୍ଚ୍ଚରେ ଆସିବ ଗ୍ରାଉଣ୍ଡ ରିପୋର୍ଟ
ବିହାରରେ ବିଜେପିକୁ କ୍ଷମତାକୁ ଆଣିବାକୁ ଜୋରଦାର ଉଦ୍ୟମ ଆରମ୍ଭ କରିଛି ଆରଏସଏସ । ଏଥିପାଇଁ ଆରଏସଏସ ସ୍ବୟଂ ସେବକଙ୍କୁ ସ୍ବତନ୍ତ୍ର ଟାସ୍କ ଦିଆଯାଇଛି । ସେମାନଙ୍କୁ ନିଜ ଅଞ୍ଚଳରେ ଆରଏସଏସ ଶାଖାର ବିସ୍ତାର କରିବା ସହ ଏଥିରେ ଅଧିକରୁ ଅଧିକ ଲୋକଙ୍କୁ ଜୋଡିବାକୁ କୁହାଯାଇଛି । ଲୋକଙ୍କ ସହ ମିଶି ସେମାନଙ୍କ ବିଚାର ଜାଣିବେ । ଏହାଦ୍ବାରା ଆରଏସଏସକୁ ତୃଣମୂଳସ୍ତରରେ ଲୋକଙ୍କ ମତ ଓ ପ୍ରସଙ୍ଗ ଜାଣିବାରେ ସୁବିଧା ହେବ । ସ୍ବୟଂସେବକ ମାର୍ଚ୍ଚ ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସର୍ଭେ କରୁଛି ଆରଏସଏସ
କେବଳ ଗ୍ରାଉଣ୍ଡରେ ଜନମତ ସଂଗ୍ରହ ନୁହେଁ, ନିର୍ବାଚନ ପୂର୍ବରୁ ଗୋପନୀୟ ଭାବେ ସର୍ଭେ କରୁଛି ଆରଏସଏସ । କେଉଁ ନେତାଙ୍କ ବିରୋଧରେ ଜନତାଙ୍କ ମନରେ ଅସନ୍ତୋଷ ରହିଛି? କେଉଁ ନେତାଙ୍କର ଲୋକପ୍ରିୟତା ରହିଛି? କେଉଁ ପ୍ରସଙ୍ଗ ସବୁଠୁ ଅଧିକ ପ୍ରଭାବଶାଳୀ ହେବ? ସେନେଇ ମଧ୍ୟ ଗୋପନୀୟ ଭାବେ ସର୍ଭେ କରି ତଥ୍ୟ ସଂଗ୍ରହ କରାଯାଉଛି । ଏହି ସର୍ଭେ ରିପୋର୍ଟ ଆଧାରରେ ବିହାର ବିଧାନସଭା ନିର୍ବାଚନରେ ବିଜେପି ପାଇଁ ରଣନୀତି ପ୍ରସ୍ତୁତ କରିବ ଆରଏସଏସ । ନିର୍ବାଚନ ବର୍ଷରେ ବିହାରରେ ଶାଖା ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି । ବିହାରକୁ ଉତ୍ତର ଓ ଦକ୍ଷିଣ ପ୍ରାନ୍ତ ଭାବେ ଭାଗ କରାଯାଇଛି । ଉତ୍ତର ବିହାରର ମୁଜାଫରପୁର ତ ଦକ୍ଷିଣ ବିହାରର ମୁଖ୍ୟଳୟ ପାଟନାରେ ରହିଛି । ବିହାରର ପ୍ରାୟ ହଜାରେ ସ୍ଥାନରେ ଆରଏସଏସ ଶାଖା ରହିଛି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ବେଳେ ବୁଥସ୍ତରରେ ତ୍ରିଦେବ ନିୟୋଜିତ କରିଥିଲା ଆରଏସଏସ । ଏଥିରେ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ଯୁବକଙ୍କୁ ସାମିଲ କରାଯାଇଥିଲା । ତ୍ରିଦେବ ନିଜ ଅଞ୍ଚଳର ଲୋକଙ୍କ ସମସ୍ୟା ବୁଝିବାକୁ ଉଦ୍ୟମ କରିଥିଲେ । ଜଣେ ତ୍ରିଦେବଙ୍କ ଅଧୀନରେ ୧୦ରୁ ଅଧିକ ଲୋକ କାମ କରୁଥିଲେ । ଦିଲ୍ଲୀରେ ଆରଏସଏସର ଏଭଳି ନେଟଓ୍ବାର୍କର ଲାଭ ବିଜେପିକୁ ମିଳିଲା । ଫଳରେ ୨୭ବର୍ଷ ପରେ ଜାତୀୟ ରାଜଧାନୀରେ କ୍ଷମତାକୁ ଫେରିଲା ବିଜେପି । ଦିଲ୍ଲୀ ଭଳି ବିହାରରେ ବି ମାଇକ୍ରୋ ମ୍ୟାନେଜମେଣ୍ଟକୁ ଫୋକସ୍ କରୁଛି ଆରଏସଏସ । ବିହାରରେ ଏପର୍ଯ୍ୟନ୍ତ ବିଜେପି କେବେବି ଏକା ସରକାର ଗଠନ କରିନି । ତେବେ ବିଜେପି ପାଇଁ ବିହାରରେ ବିଜୟ ରଣନୀତି ପ୍ରସ୍ତୁତ କରୁଛି ଆରଏସଏସ ।
Comments are closed.