Latest Odisha News

BREAKING NEWS

ଜାଣନ୍ତି କି କିଏ ପ୍ରସ୍ତୁତ କରନ୍ତି ‘କେବିସି’ରେ ପଚରା ଯାଉଥିବା ପ୍ରଶ୍ନ

ମୁମ୍ବାଇ: ସୋନି ଚ୍ୟାନେଲରେ ପ୍ରସାରଣ ହେଉଥିବା ଲୋକପ୍ରିୟ ଶୋ ‘କୌନ ବନେଗା କୋରଡ଼ପତି’ (କେବିସି)ର ୧୧ତମ ସିଜିନ ଆରମ୍ଭ ହୋଇ ସାରିଛି । ମଜାଦାର ପ୍ରଶ୍ନ ସାଙ୍ଗକୁ ପୁରସ୍କାର ରାଶି ଏହି ଶୋ’ର ଟିଆରପିକୁ ସର୍ବଦା ଶୀର୍ଷରେ ରଖିଛି । ଦର୍ଶକେ ମଧ୍ୟ ଏହାକୁ ଖୁବ ପସନ୍ଦ କରନ୍ତି । ବିଗ୍ ବି ଅମିତାଭ ବଚ୍ଚନଙ୍କ ଉପସ୍ଥାପନା ଏ ଶୋ’ରେ ଲଗାଇ ଦିଏ ଚାର-ଚାନ୍ଦ ।

କିନ୍ତୁ କଣ ଆପଣ ଜାଣନ୍ତି ପ୍ରତିଯୋଗୀଙ୍କୁ ଅମିତାଭ ପଚାରୁ ଥିବା ପ୍ରଶ୍ନ ସବୁ କିପରି ପ୍ରସ୍ତୁତ ହୁଏ ? କିଏ ଓ କିପରି ଏହାକୁ ପ୍ରସ୍ତୁତ କରାଯାଏ ? ଆଜି ଆମେ ଆପଣଙ୍କୁ ଜଣାଇବୁ ଏହି ପ୍ରଶ୍ନ ପଛର ଉତ୍ତର..

କେବିସିରେ ପଚରା ଯାଉଥିବା ଏହି ସବୁ ପ୍ରଶ୍ନର ସଂଯୋଜିକା ହେଉଛନ୍ତି ସୁଜାତା ସଂଘମିତ୍ରା । ସୁଜାତା ୨୦୧୦ ମସିହାରୁ ଏହି ​‘ସୋ’ ରେ କାମ କରୁଛନ୍ତି। ‘ଶୋ’ର ପ୍ରଶ୍ନକୁ ନେଇ ସେ କହନ୍ତି, ସାଧାରଣତଃ କରେଣ୍ଟ ଆଫେୟାର୍ସରୁ ଅଧିକ ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ। ଏଥିସହ ଦେଶବିଦେଶରେ ଘଟୁଥିବା ଘଟଣା ସଂପର୍କରେ ମଧ୍ୟ ପ୍ରଶ୍ନ ପଚରା ଯାଇଥାଏ। ବିଜ୍ଞାନ, ଖେଳ, ପୌରାଣିକ କଥାବସ୍ତୁ, ଦୈନନ୍ଦିନ ଜୀବନ, ଲୋକକଥା, ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ନେଇ ମଧ୍ୟ ପ୍ରତ୍ୟେକ ପ୍ରତିଯୋଗୀଙ୍କ ଲାଗି ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ ।

ପ୍ରଶ୍ନ ପ୍ରସ୍ତୁତ କଲାବେଳେ ଗୁଗୁଲ ଅପେକ୍ଷା ବିଶେଷଜ୍ଞଙ୍କ ସହାୟତା ନିଆଯାଇଥାଏ । ପ୍ରସ୍ତୁତ ହୋଇଥିବା ପ୍ରତ୍ୟେକ ପ୍ରଶ୍ନକୁ ବାରମ୍ବାର ଯାଞ୍ଚ କରାଯାଇଥାଏ । କ୍ବାଲିଫାଇଙ୍ଗ ରାଉଣ୍ଡରେ ପ୍ରତିଯୋଗୀଙ୍କୁ ନିଜ ସଂପର୍କରେ ପ୍ରଶ୍ନ ପଚରା ଯାଇଥାଏ।

ଆହୁରି ମଧ୍ୟ ସେ କହିଛନ୍ତି, ପର୍ଯ୍ୟାୟ ଆଧାରରେ ମଧ୍ୟ ପ୍ରଶ୍ନ ପ୍ରସ୍ତୁତ କରାଯାଇଥାଏ । ଯେତେ ଉପର ପର୍ଯ୍ୟାୟକୁ ପ୍ରତିଯୋଗୀତା ବଢ଼ିଥାଏ ପ୍ରତିଯୋଗୀଙ୍କ ପାଇଁ ପ୍ରଶ୍ନ ସେତିକି ଅଧିକ ଜଟିଳ ତିଆରି କରାଯାଇଥାଏ ।

ତେବେ ପ୍ରତିଯୋଗୀଙ୍କୁ ହରାଇବା ଲକ୍ଷ୍ୟ ନେଇ ବା ପ୍ରତିଯୋଗୀ ଉତ୍ତର ଦେଇପାରିବେ କି ନାହିଁ ତାକୁ ମନରେ ରଖି ପ୍ରଶ୍ନ ତିଆରି କରାଯାଏ ନାହିଁ । ବରଂ ସୋ’ର ଲୋକପ୍ରିୟତା ବଜାୟ ରଖିବା ଲାଗି ଦର୍ଶକ ଯେଉଁ ପ୍ରଶ୍ନ ସହ ନିଜକୁ ସାମିଲ କରିପାରିବେ ସେଭଳି ପ୍ରଶ୍ନ ତିଆରି କରାଯାଇଥାଏ । କୌଣସି ପ୍ରତିଯୋଗୀଙ୍କୁ ହରାଇବା ଏହି ସୋ’ ଲକ୍ଷ୍ୟ ନୁହେଁ, ବରଂ ପ୍ରତିଯୋଗୀ ଭଲ ଉତ୍ତର ଦେଇପାରିଲେ ସୋ’ ସଫଳ ହେଲା ବୋଲି ବିବେଚନା କରାଯାଉଥିବା ସୁଜାତା କହିଛନ୍ତି ।

Leave A Reply

Your email address will not be published.