Latest Odisha News

ମାର୍ଜିତ ଜୀବନଶୈଳୀ ଅନ୍ତ୍ର ସମସ୍ୟାକୁ ରୋକି ପାରିବ: କିମ୍ସ ବିଶେଷଜ୍ଞ

ଭୁବନେଶ୍ୱର: ତଳିପେଟରେ ଯନ୍ତ୍ରଣା, ପେଟ ଫୁଲିବା, ବାରମ୍ବାର ଝାଡ଼ାରେ ପରିବର୍ତ୍ତନ ହେଉଥିଲେ ସାଧାରଣତଃ ଏହା ଅନ୍ତ୍ର ସମସ୍ୟା (ଇରିଟେବଲ୍‌ ବାଉଲ୍‌ ସିଣ୍ଡ୍ରୋମ୍‌ ବା ଇବିସି) ବୋଲି ଡାକ୍ତରମାନେ କହିଥାନ୍ତି । ଏହି ସମସ୍ୟା କ୍ରମାଗତ ଲାଗି ରହିଲେ ଏହା ଏକ ପୁରାତନ ରୋଗରେ ପରିଣତ ହୋଇଥାଏ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରିମାର୍ଜିତ ଜୀବନଶୈଳୀ ଆପଣାଇଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି କିମ୍‌ସ-ଭୁବନେଶ୍ୱରର ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଶେଷଜ୍ଞ ଡା. ପ୍ରିତମ୍‌ ନାଥ ପ୍ରକାଶ କରିଛନ୍ତି ।

ଲାଳଯୁକ୍ତ ମଳ, ଝାଡ଼ା ପରେ ପେଟରେ ଆଉ କିଛି ମଳ ରହିବା ଭଳି ଅନୁଭବ ହେବା ଆଦି ଏହି ରୋଗର ଲକ୍ଷଣ। ଅନ୍ତ୍ରରେ ଅତ୍ୟଧିକ ସମ୍ବେଦନଶୀଳତା, ମାନସିକ ବିସାଦ ଓ ଅନ୍ତ୍ରରେ ଜୀବାଣୁ ଆଦି ଜଟିଳ ଓ ବହୁକ୍ରିୟାତ୍ମକ ବିକାର ରହିଲେ ଏହି ରୋଗ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଥାନ୍ତି ।

ଏହା ଏକ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ୧୦ରୁ ୧୫ ପ୍ରତିଶତ ପ୍ରାପ୍ତବୟସ୍କଙ୍କଠାରେ ଏଭଳି ଲକ୍ଷଣ ଦେଖାଦେଇଥାଏ । ପ୍ରାଥମିକସ୍ତରରେ ଡାକ୍ତରମାନେ ଏହାର ଉପଚାର କରିପାରିଥାନ୍ତି। ଏହାର ପ୍ରକୋପ ଅଧିକ ହେଲେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟଙ୍କ ପରାମର୍ଶ ନେବାକୁ ପଡ଼ିଥାଏ । କିମ୍‌ସ-ଭୁବନେଶ୍ୱରରେ ଥିବା ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ହେପାଟୋଲୋଜି ବିଭାଗ ଏବେ ଏହାର ଅତ୍ୟାଧୁନିକ ଚିକିତ୍ସା ପ୍ରଦାନ କରିବାରେ ସଫଳ ହେଇଛି । ଏହି ରୋଗ ସାଧାରଣ ତିନି ଲକ୍ଷଣଯୁକ୍ତ ହୋଇଥାଏ। ପ୍ରଥମତଃ କୋଷ୍ଠକାଠିନ୍ୟ-ଯୁକ୍ତ, ଦ୍ୱିତୀୟରେ ତରଳଝାଡ଼ା-ଯୁକ୍ତ ଓ ତୃତୀୟରେ ଉଭୟ କୋଷ୍ଠକାଠିନ୍ୟ ଓ ତରଳଝାଡ଼ାର ମିଶ୍ରିତ ରହିଥିବା ଲକ୍ଷଣ। ଜଣେ ରୋଗୀଙ୍କଠାରେ ମଧ୍ୟ ଏହି ତିନୋଟିଯାକ ଲକ୍ଷଣ ଦେଖା ଦେଇପାରେ ।

ସୁସ୍ଥ ଜୀବନଶୈଳୀ ଆପଣାଇ ପାରିଲେ ଏହି ରୋଗରୁ ମୁକ୍ତି ମିଳିବାର ଯଥେଷ୍ଟ ସମ୍ଭାବନା ଥାଏ । ଯେଉଁ ଖାଦ୍ୟ ଦ୍ୱାରା ଏହି ସମସ୍ୟା ସୃଷ୍ଟି ହୋଇଥାଏ, ସେହିସବୁ ଖାଦ୍ୟଠାରୁ ଦୂରେଇ ରହିବା ଓ ନିୟମିତ ବ୍ୟାୟାମ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ଡା. ନାଥ ପରାମର୍ଶ ଦେଇଛନ୍ତି । ଖାଦ୍ୟରେ ଘରୋଇ ଖାଦ୍ୟ ଖାଇବା, ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ତଥା ପ୍ରକ୍ରିୟାକରଣ ଖାଦ୍ୟଠାରୁ ଦୂରେଇ ରହିବା ସହ ସମୟକୁ ସମୟ ଖାଦ୍ୟ ଗ୍ରହଣ କରିବା ଉଚିତ ।

ଖାଦ୍ୟ ଖାଇବା ସମୟରେ ଧୀରେଧୀରେ ଖାଇବା, ଉପଯୁକ୍ତ ପରିମାଣରେ ପାଣି ପିଇବା, ନିୟମିତ ଶାରୀରିକ ବ୍ୟାୟାମ ତଥା ପ୍ରାଣାୟାମ, ମାନସିକ ଶାନ୍ତି ପାଇଁ ଧ୍ୟାନ ଆଦି କଲେ ଏହି ସମସ୍ୟାର ନିୟନ୍ତଣ ହୋଇଥାଏ । ଚା ପିଇବାରେ ନିୟନ୍ତ୍ରଣ ଆଣିବା (ଦିନକୁ ତିନିଥରରୁ ଅଧିକ ନୁହେଁ), ମଦ୍ୟ, ଗ୍ୟାସ୍‌ଯୁକ୍ତ ଥଣ୍ଡା ପାନୀୟ ଓ ତମାଖୁ ଆଦି ନିହାତି ବର୍ଜନ କରିବା ଜରୁରି । ସେଓ, ଆପ୍ରିକଟ, ବ୍ଲାକ୍‌ବେରୀ, ଡବାରେ ଥିବା ଫଳ, ଖଜୁରୀ ଓ ଡ୍ରାଏଫ୍ରୁଟ୍‌ ଆଦି ନ ଖାଇ କଦଳୀ, ମସ୍କମେଲନ, ଅଙ୍ଗୁର, କ୍ୱିୱି, ଲେମ୍ବୁ, କମଳା ଓ ସପୁରୀ ଆଦି ଖିଆ ଯାଇପାରିବ ।

ସେହିପରି ପନିପରିବା ମଧ୍ୟରେ ଗାଜର, ବନ୍ଧାକୋବି, ମକା, କାକୁଡ଼ି ଓ ବିନ୍‌ ଆଦି ଖାଇ ପାରିବେ। ଯେଉଁମାନଙ୍କ ଶରୀରରେ ଲାକ୍ଟୋଜଯୁକ୍ତ ଖାଦ୍ୟ ହଜମ ହୁଏ ନାହିଁ ସେମାନେ ଲାକ୍ଟୋଜ-ଫି୍ର (ଶର୍କରାମୁକ୍ତ) କ୍ଷୀର ଓ ଦୁଗ୍‌ଧଜାତ ଉତ୍ପାଦ ମଧ୍ୟ ଖାଦ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଡା ନାଥ କହିଛନ୍ତି ।

Leave A Reply

Your email address will not be published.