Latest Odisha News

BREAKING NEWS

ଡ଼ାକ୍ତରରୁ କୁଖ୍ୟାତ ସିରିଏଲ୍ କିଲର; ରାଜସ୍ଥାନରୁ ଗିରଫ ଦେବେନ୍ଦ୍ର ଶର୍ମା

ନୂଆଦିଲ୍ଲୀ: କୁଖ୍ୟାତ ସିରିଏଲ୍ କିଲର ‘ଡକ୍ଟର ଡେଥ୍’  ଓରଫ ଦେବେନ୍ଦ୍ର ଶର୍ମାକୁ ଦିଲ୍ଲୀ ପୋଲିସ ରାଜସ୍ଥାନର ଦୌସା ରୁ ଗିରଫ କରିଛି। ସେ ଆଲିଗଡ଼ର ଛାରା ଥାନା ଅଞ୍ଚଳର ପୁରାଇନି ଗାଁର ବାସିନ୍ଦା ହୋଇଥିବା ବେଳେ ତାଙ୍କର ବୟସ ୬୭ ବୋଲି ଜଣାପଡ଼ିଛି। ସେ ଛାରା ଥାନାରେ ହିଷ୍ଟରିସିଟର ଭାବରେ ଜଣାଶୁଣା। ତାଙ୍କ ବିରୁଦ୍ଧରେ ପ୍ରଥମେ ୧୯୯୪ ମସିହାରେ ବରାଲା ଥାନାରେ ଅଭିଯୋଗ ହୋଇଥିଲା।

ଦେବେନ୍ଦ୍ର ଶର୍ମା ୧୯୮୪ ମସିହାରେ ବିହାରରୁ BAMS ଡିଗ୍ରୀ ହାସଲ କରିବା ପରେ ରାଜସ୍ଥାନର ବନ୍ଦିକୁଇ ଅଞ୍ଚଳରେ ଜନତା କ୍ଲିନିକ୍ ଖୋଲିଥିଲେ। ତେବେ  ୧୯୯୪ ମସିହାରେ ଏକ ଗ୍ୟାସ୍ ଏଜେନ୍ସି ଡିଲରସିପ୍ ଚୁକ୍ତିରେ ୧୧ ଲକ୍ଷ ଟଙ୍କା ଠକେଇର ଶିକାର ହେବା ପରେ ସେ ଏପରି ଜଘନ୍ୟ ଅପରାଧର ରାସ୍ତା ବାଛି ନେଇଥିଲେ। ପ୍ରଥମେ ସେ ଏକ  ନକଲି ଗ୍ୟାସ୍ ଏଜେନ୍ସି ଖୋଲିବା ସହ ଗୁରୁଗ୍ରାମର ଜଣେ ଡାକ୍ତର ଅମିତଙ୍କ ସହ ମିଶି ୧୯୯୮ ରୁ ୨୦୦୪ ପର୍ଯ୍ୟନ୍ତ ଏକ ବେଆଇନ କିଡନୀ କାରବାର ଚଳାଇଥିଲେ। ଏପରି ବେଆଇନ ଭାବରେ ସେ ୧୨୫ ରୁ ଅଧିକ କିଡନୀ ର ଚୋରା ଚାଲାଣ କରିଥିଲେ ଯେଉଁଥିରୁ ତାଙ୍କୁ ପ୍ରତ୍ୟେକ କିଡନୀ ପ୍ରତିରୋପଣ ପାଇଁ ସେ ୫-୭ ଲକ୍ଷ ଟଙ୍କା ମିଳୁଥିଲା।

ଦେବେନ୍ଦ୍ର ତାଙ୍କ ଗ୍ୟାଙ୍ଗ ସହ ମିଶି ୨୦୦୨ ରୁ ୨୦୦୪ ମଧ୍ୟରେ ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନରୁ ୧୦୦ ରୁ ଅଧିକ ଟ୍ୟାକ୍ସି ଏବଂ ଟ୍ରକ୍ ଡ୍ରାଇଭରଙ୍କୁ ହତ୍ୟା କରିଥିଲେ।  ଡ୍ରାଇଭରମାନଙ୍କୁ ଯାତ୍ରା ପାଇଁ ମିଛରେ କହି  ସେମାନଙ୍କ ଗଳାକାଟି ହତ୍ୟା କରୁଥିଲେ ଏବଂ ମୃତଦେହଗୁଡ଼ିକୁ କାସଗଞ୍ଜର ହଜାରା କେନାଲରେ ଫିଙ୍ଗି ଦେଉଥିଲେ, ଯେଉଁଠାରେ କୁମ୍ଭୀରମାନେ ସେହି ମୃତ ଦେହକୁ ଖାଇ ଦେଉଥିଲେ ଯାହା ଦ୍ଵାରା କୌଣସି ପ୍ରମାଣ ମିଳୁନଥିଲା। ଯେଉଁ ଗାଡ଼ି ବା ଟ୍ରକ୍ ଗୁଡ଼ିକ ଲୁଟ କରାଯାଉଥିଲା ସେଗୁଡିକୁ କାସଗଞ୍ଜ କିମ୍ବା ମେରଠ ରେ ୨୦-୨୫ ହଜାର ଟଙ୍କାରେ ବିକ୍ରି କରିଦିଆଯାଇଥିଲା।

୨୦୦୪ ମସିହାରେ ଦେବେନ୍ଦ୍ରଙ୍କୁ କିଡନୀ ରାକେଟ ଏବଂ ସିରିଏଲ କିଲିଂ ଅଭିଯୋଗରେ ଗିରଫ କରାଯାଇଥିଲା। ଦିଲ୍ଲୀ, ରାଜସ୍ଥାନ ଏବଂ ହରିୟାଣାରେ ମୋଟ ସାତଟି ହତ୍ୟା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡ ମିଳିବା ସହ  ଗୁରୁଗ୍ରାମରେ ତାଙ୍କୁ ଗୋଟିଏ ମାମଲାରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ୨୦୨୦ ମସିହାରେ ୨୦ ଦିନିଆ ପାରୋଲରେ ମୁକ୍ତ ହେବା ପରେ ସେ ସାତ ମାସ ପର୍ଯ୍ୟନ୍ତ ପଳାତକ ହୋଇ ରହିଥିଲେ। ତେବେ ଏହା ପରେ ୨୦୨୩ ମସିହାରେ ଦୁଇ ମାସ ପାଇଁ ପୁଣି ପାରୋଲରେ ମୁକ୍ତ ହେବା ପରେ ସେ ଆଉ ଜେଲକୁ ଫେରି ନଥିଲେ। ଯାହାପରେ ସେ ଦୌସାର ଏକ ଆଶ୍ରମରେ ଜଣେ ବାବା ବେଶରେ ଲୁଚି ରହିଥିଲେ। ପରେ ଦିଲ୍ଲୀ ପୋଲିସ ତାଙ୍କୁ ସେହି ଆଶ୍ରମରୁ ଗିରଫ କରିଥିଲା।

ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଆଲିଗଡ଼, ଜୟପୁର, ଦିଲ୍ଲୀ, ଆଗ୍ରା ଏବଂ ପ୍ରୟାଗରାଜରେ ସର୍ଚ୍ଚ ଅପରେସନ କରିଥିଲା। ଦେବେନ୍ଦ୍ର ମୋବାଇଲ୍ ରିଚାର୍ଜ୍ କରିବା ପରେ ପୋଲିସ ତାଙ୍କ ଲୋକେସନ୍ ଟ୍ରାକ୍ କରିବାରେ ସଫଳ ହୋଇଥିଲା ଓ ଦୌସା ଆଶ୍ରମରେ ଏକ ଗୁପ୍ତ ଯୋଜନା କରି ଜଣେ ଯବାନ ଚିକିତ୍ସା ବାହାନା ରେ ଗୋଟିଏ ସପ୍ତାହ ଧରି ତାଙ୍କ ଉପରେ ନଜର ରଖିଥିଲେ। ପରେ ଖବର ସତ ପ୍ରମାଣ ହେବା ପରେ ତାଙ୍କୁ ସେଠାରୁ ଗିରଫ କରାଯାଇଥିଲା।

 

 

Comments are closed.