Latest Odisha News

ବବିଙ୍କ ବୟାନ…ସରକାରୀ ଚାପ ନା ବିଜେଡିରେ କୋଣଠେସା?

ଭୁବନେଶ୍ବର: ଦଶରଥପୁରରେ ବବିଙ୍କ ବୟାନ। ମାଆ ପାଖକୁ ପୁଅ ଆସିଲେ କେହି ଅଟକାଇ ପାରିବେନି । ଯାଜପୁର ବିକାଶ କରିବା ଯଦି ପାପ, ହଜାରେ ପାପ କରିବି । ପୁଣି ଲଢିବାକୁ ପ୍ରସ୍ତୁତ ଅଛି । ଯାଜପୁର ଜିଲ୍ଲା ଦଶରଥପୁରରେ ବିଜେଡି ଜନସଂପର୍କ ପଦଯାତ୍ରା ଅବସରରେ ପ୍ରଣବ ପ୍ରକାଶ ଦାସଙ୍କ ଏହି ବୟାନକୁ ନେଇ ବଢିଛି ରାଜନୈତିକ କମ୍ପନ । ଯାଜପୁରରେ ହେବ କି ଉପନିର୍ବାଚନ? ଇସ୍ତଫା ଦେବେ କି ଯାଜପୁର ବିଧାୟିକା ସୁଜାତା ସାହୁ? କେଉଁ ଲଢେଇ କଥା କହୁଛନ୍ତି ବବି ? ଗତ କିଛି ଦିନ ହେଲା ଯାଜପୁର ବାଟ ଦେଇ ବବି କ୍ଷମତାକୁ ଆସିବା ନେଇ ଉଦ୍ୟମ କରୁଥିବା ଚର୍ଚ୍ଚାକୁ ଏଭଳି ବୟାନ ଆହୁରି ବଢାଇଛି । ସେପଟେ ଯାଜପୁରରେ ଉପନିର୍ବାଚନ ହେବାର ପ୍ରଶ୍ନ ଉଠୁନି ବୋଲି ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର କହିଛନ୍ତି । ତେବେ ପ୍ରଶ୍ନ, ବବିଙ୍କ ଏଭଳି ବୟାନ ପଛରେ କାରଣ କଣ?

ମୁଁ ଲଢିବାକୁ ପ୍ରସ୍ତୁତ…

ଦଶରଥପୁର ମଞ୍ଚରୁ ବବି କହିଲେ, ପୁଣି ଲଢିବାକୁ ପ୍ରସ୍ତୁତ। ତେବେ ବବି ଯାଜପୁର ବିକାଶର ଲଢେଇ କଥା କହୁଛନ୍ତି ନା ଉପନିର୍ବାଚନ ଲଢେଇ? ସେନେଇ ସ୍ପଷ୍ଟ ହୋଇନଥିଲେ ବି ବବିଙ୍କ ଦମ୍ଭୋକ୍ତି ରାଜନୈତିକ ପାରଦ ବଢାଇଛି । ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କ ପାଖରେ ଶତ ସିଂହର ବଳ ଆସିଛି । ମାଆ ପାଖକୁ ପୁଅ ଆସିଲେ କୌଣସି ଶକ୍ତି ଅଟକାଇ ପାରିବନି । ସାଧାରଣ ନିର୍ବାଚନ ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ବବି ଯେଉଁ ଯୋଶ୍ ଦେଖାଇଛନ୍ତି, ସେଥିରୁ ସେ ପୁଣି କ୍ଷମତାକୁ ଫେରିବାକୁ ଯୋଜନା କରୁଥିବା ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି ।

ଦୁର୍ନୀତି କରିଛି ଯଦି ବାନ୍ଧୁନ କାହିଁକି?

ବିଜେପି ସରକାରକୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି ପ୍ରଣବ ପ୍ରକାଶ ଦାସ । କହିଛନ୍ତି, ବିଜେପି ଚାହୁଁନି ଯାଜପୁରର ବିକାଶ ହେଉ ।୪ମାସ ହେଲା କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ କେବଳ ତାଙ୍କ ନାଁ ନେଇ ଚର୍ଚ୍ଚା ହେଉଛି। ବାରମ୍ବାର ଆକ୍ରମଣ କରୁଛନ୍ତି ତାଙ୍କୁ ଭାଙ୍ଗିବାକୁ । ହେଲେ ତାଙ୍କୁ ଭାଙ୍ଗି ପାରିବେନି । କାରଣ ନବୀନ ଓ ଯାଜପୁରବାସୀ ତାଙ୍କ ସହ ରହିଛନ୍ତି । ୧୫ବର୍ଷ ତଳର ମାମଲାକୁ ନେଇ ହଟଚମଟ କରିବାକୁ ଉଦ୍ୟମ ହେଉଛି । ୪ମାସ ହେଲା ସରକାର ହେଲାଣି, ଯଦି ଦୁର୍ନୀତି କରିଛନ୍ତି ତାଙ୍କୁ କାହିଁକି ବାନ୍ଧୁନାହାନ୍ତି ବୋଲି ନୂଆ ସରକାରକୁ ବବି ଆହ୍ବାନ କରିଛନ୍ତି

ଯାଜପୁର ବିକାଶ ଯଦି ଭୁଲ୍…

ଯାଜପୁର ବିକାଶ ପାଇଁ ଯାହା ମାଗିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ଦେଇଛନ୍ତି । ମେଡିକାଲ କଲେଜଠୁ ରାସ୍ତାଘାଟ ସବୁ କରିଛନ୍ତି । ଯାଜପୁରକୁ ବିକାଶ କରି ଯଦି ଭୁଲ୍ କରିଛି ହଜାରେ ଥର ସେ ଭୁଲ କରିବି । ଯାଜପୁର ବିକାଶ ପାଇଁ ଫାଶୀ ଦେଲେ ବି ଫାଶୀରେ ଝୁଲିବାକୁ ରାଜି ଅଛି ବୋଲି ବବି କହିଛନ୍ତି । ଯାଜପୁର ବିକାଶ ସେମାନଙ୍କ ଆଖିର କଣ୍ଟା ହୋଇଛି ବୋଲି ବବି କହିଛନ୍ତି ।

ଉପନିର୍ବାଚନ ପ୍ରଶ୍ନ ଉଠୁନି

ଯାଜପୁର ବାଟ ଦେଇ ବବି ପୁଣି ବିଧାନସଭା ଯିବା ନେଇ ଚର୍ଚ୍ଚା ଜୋରଦାର ହୋଇଥିବା ବେଳେ ଉପନିର୍ବାଚନର ପ୍ରଶ୍ନ ଉଠୁନି ବୋଲି ବିଜେଡି ଜିଲ୍ଲା ସଭାପତି ସରୋଜ ମହାପାତ୍ର କହିଛନ୍ତି। ପ୍ରଣବ ଲୋକଙ୍କ ସେବା ଓ ଯାଜପୁରର ସ୍ୱାର୍ଥ ପାଇଁ ଲଢେଇ କରିବାକୁ କହିଛନ୍ତି । ସେ ବିଧାୟକ ହେବାକୁ ଆଶାୟୀ ନାହାନ୍ତି। ସେ କ୍ଷମତାରୁ ବାହାରେ ରହି ବିଜେଡି ପାଇଁ କାର୍ଯ୍ୟ କରିପାରିବେ। ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବେ କହି କର୍ମୀଙ୍କୁ ଏକାଠି ହେବାକୁ ଆହ୍ୱାନ ଦେଇଛନ୍ତି ବୋଲି ସରୋଜ ମହାପାତ୍ର କହିଛନ୍ତି । ସେପଟେ ଇସ୍ତଫା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଯାଜପୁର ବିଧାୟିକା ସୁଜାତା ସାହୁ ।

ଗତ ନିର୍ବାଚନରେ ସମ୍ବଲପୁର ଲୋକସଭାରୁ ନିର୍ବାଚନ ଲଢି ହାରିଥିଲେ ପ୍ରଣବ ପ୍ରକାଶ ଦାସ । ତାଙ୍କ ମାଆ ସଂଧ୍ୟାରାଣୀ ମଧ୍ୟ କୋରେଇ ଆସନରୁ ପରାଜିତ ହୋଇଥିଲେ । ତେବେ ବବିଙ୍କ ପାରମ୍ପରିକ ସିଟ୍ ଯାଜପୁରରୁ ମିଶନ ଶକ୍ତି ମହାସଂଘ ସଭାପତି ସୁଜାତା ସାହୁ ବିଜୟୀ ହୋଇଛନ୍ତି । ସମ୍ବଲପୁର ଲୋକସଭା ହାରିଲେ ମାଆଙ୍କ ସିଟ୍ କୋରେଇରୁ ବବି ବିଧାନସଭା ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ହେଲେ ବବିଙ୍କ ପ୍ଲାନ୍ ବି ମଧ୍ୟ ଫେଲ୍ ମାରିଥିଲା। ତେବେ ଯାଜପୁରରୁ ବବି ପୁଣି ଉପନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ପକ୍ଷରୁ ଏଭଳି ଚର୍ଚ୍ଚାରେ ବ୍ରେକ୍ ମରାଯାଇଥିବା ବେଳେ ବବି କାହିଁକି ପୁଣି ଲଢିବାକୁ କହିଲେ, ତାକୁ ନେଇ ଦ୍ବନ୍ଦ୍ବ ରହିଛି ।

Leave A Reply

Your email address will not be published.