Latest Odisha News

BREAKING NEWS

ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଶ୍ରୀଦୋଳଗୋବିନ୍ଦଙ୍କ ଦୋଳ ଉତ୍ସବ, ଜାଣନ୍ତୁ

ପୁରୀ: ଦୋଳପୂର୍ଣ୍ଣିମାରେ ସମଗ୍ର ଓଡ଼ିଶାରେ ଶ୍ରୀରାଧାକୃଷ୍ଣଙ୍କ ଆରାଧନା ସହିତ ବହୁ ଜାକଜମକରେ ପାଳିତ ହୋଇଥାଏ ଏହି ପର୍ବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୀତିନୀତିର ସହିତ ଦୋଳପର୍ବ ଅନୁଷ୍ଠିତ ହୋଇଥାଏ । ବହୁପୂର୍ବରୁ ଶ୍ରୀମନ୍ଦିରରେ ଦୋଳଗୋବିନ୍ଦଙ୍କ ଉପାସନା ହୋଇ ଆସୁଛି ।

ଫଗୁଦଶମୀ ଦିନ ଚାଚେରୀ ଭୋଗ, ଚାଚେରୀ ବେଶ ସାରି ପାପନାଶିନୀ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଶ୍ରୀଗୋବିନ୍ଦ ବିମାନରେ ବସନ୍ତ ଗୁଣ୍ଡିଚା ତୋଟା ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ ପଞ୍ଚଶିବ (ପଞ୍ଚୁପାଣ୍ଡବ)ଙ୍କ ସହ ଯାଇ ଦୋଳମହୋତ୍ସବ ନୀତି ସମାପନ କରନ୍ତି ।

ସେଠାରେ ଫଗୁଖେଳ ଅନୁଷ୍ଠିତ ହୋଇଥାଏ । ଦୋଳପୂର୍ଣ୍ଣମୀ ଦିନ ହିଁ ଶ୍ରୀଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ରତ୍ନସିଂହାସନ ଚାରିପଟେ ସାତଥର ପରିକ୍ରମା କରିବା ପରେ କଳାହାଟ ଦୁଆର ଦେଇ ନାଭିକଟା ମଣ୍ଡପକୁ ଯାଆନ୍ତି ।

ନାଭିକଟା ମଣ୍ଡପରେ ମହାସ୍ନାନ, ମାଜଣା, ଶୀତଳ ଭୋଗ, ବନ୍ଦାପନା ହୋଇ ବିମାନରେ ଶ୍ରୀମନ୍ଦିର ଚାରିପଟେ ସାତଘେରା ବୁଲାଯାଏ ।

ଶେଷରେ ଦକ୍ଷିଣ ଦ୍ୱାର ଦେଇ ସିଂହଦ୍ୱାର ବାଟେ ଦୋଳବେଦୀକୁ ବିଜେ କରନ୍ତି । ଏଠାରେ ଦୋଳିରେ ବସି ରହନ୍ତି ଠାକୁର ଏବଂ ଫଗୁ ଖେଳ ହୋଇଥାଏ ।

ପୂର୍ବରୁ ଶ୍ରୀମନ୍ଦିରର ପୂର୍ବରେ ଦୋଳମଣ୍ଡପ ସାହିର ଅଙ୍ଗିରା ଆଶ୍ରମ ନିକଟରେ ଦୋଳବେଦୀ ଥିଲା ।

Comments are closed.