Latest Odisha News

BREAKING NEWS

ଚିଲିକାରେ ଆରମ୍ଭ ହୋଇଛି ଡଲଫିନ ଗଣନା, ସାମିଲ୍ ହୋଇଛନ୍ତି ୧୮ ଟି ଟିମ୍

ଖୋର୍ଦ୍ଧା: ଏସିଆର ବୃହତ୍ତମ ଲୁଣ ହ୍ରଦ ଚିଲିକାରେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଚାଲିଛି ଡ଼ଲଫିନ ଗଣନା । ଚିଲିକା ବନ୍ୟପ୍ରାଣୀ ଡିଭିଜନର ସାତପଡା ଓ ବାଲୁଗାଁ ୨ଟି ରେଞ୍ଜରେ ଚାଲିଛି ଡଲଫିନ ଗଣନା । ୨ଟି ରେଞ୍ଜକୁ ୩ଟି ସେକ୍ଟରରେ ବିଭକ୍ତ କରାଯାଇଛି। ୩ଟି ସେକ୍ଟରରେ ୧୮ଟି ଟିମ ନିୟୋଜିତ ହୋଇଛନ୍ତି ଏବଂ ପ୍ରତି ଟିମରେ ୫ ରୁ ୬ ଜଣ ସଦସ୍ୟ ସମେତ ୨ ଜଣ ଡଙ୍ଗା ଚାଳକ ସାମିଲ ହୋଇଛନ୍ତି ।

ଆଜି ସକାଳ ୬ଟା ରୁ ମଧ୍ୟାହ୍ନ ୧୨ ଟା ଯାଏଁ ସାତପଡ଼ା, ବାଲୁଗାଁ ଅଞ୍ଚଳରେ ଡଲଫିନ ଗଣନା କରାଯାଇଥିଲା । ତେବେ ଉକ୍ତ ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ସିଡ଼ିଏର କର୍ମଚାରି, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ବୋଟ ଆସୋସିଏସନର କାର୍ଯ୍ୟକର୍ତ୍ତା ଏବଂ ସ୍ବେଚ୍ଛାସେବୀ ଆଦି ସାମିଲ ଥିଲେ । ପ୍ରତ୍ୟେକ ଗଣନା ଟିମ ସଦସ୍ୟଙ୍କୁ ସହାୟତା ପାଇଁ ବୋଟ ସହିତ ବାଇନାକୁଲାର, ଜିପିଏସ, ହ୍ୟାଣ୍ଡସେଟ କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ଉପକରଣ ଯୋଗାଇ ଦିଆଯାଇଛି ।

ତେବେ ଯଦି କୋହଲା ପାଗ ରହିବ ତେବେ ୨୧,୨୨ ଏବଂ ୨୩ ତାରିଖ ମଧ୍ୟରେ ଡଲଫିନ ଗଣନା ଶେଷ ହେବ ବୋଲି ଡ଼ିଏଫଓ କହିଛନ୍ତି। ଗଣନା ସରିବା ପରେ ଚୂଡାନ୍ତ ଗଣନା ସୂଚନା ପିସିସିଏଫ ଭୁବନେଶ୍ୱର ପକ୍ଷରୁ ଦିଆଯିବ ବୋଲି କହିଛନ୍ତି ଡ଼ିଏଫଓ ଶ୍ରୀ ନାୟକ। ସେପଟେ କେନ୍ଦ୍ରାପଡା ଜିଲ୍ଲା ଗହୀରମଥାରେ ବି ଡଲଫିନ୍‌ ଗଣନା ଆରମ୍ଭ ହୋଇଛି। ୯ଟି ଟିମ୍‌ ୩ ଦିନ ଧରି ଡଲଫିନ୍‌ ଗଣନା କରିବେ । ପ୍ରତି ଟିମ୍‌ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।

ସୂଚନା ଥାଉକି ଗତବର୍ଷ ଚିଲିକାରେ ସମୁଦାୟ ୧୭୩ ଗୋଟି ଡ଼ଲଫିନ ଠାବ ହୋଇଥିବା ବେଳେ ତନ୍ମଧ୍ୟରୁ ୧୫୪ ଗୋଟି ଇରାୱାଡି ପ୍ରଜାତିର ଏବଂ ୧୯ ଗୋଟି ବଟଲ ନୋଜ ପ୍ରଜାତିର ଡ଼ଲଫିନ ଚିହ୍ନଟ ହୋଇଥିଲା । ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍ ଗଣନା କରାଯାଉଥିଲା । ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ନିଷ୍ପତି କ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଂଚଳରେ ଡଲ୍‌ଫିନ୍ ଗଣନା କରାଯାଉଛି ।

 

 

 

Leave A Reply

Your email address will not be published.