Latest Odisha News

ଆରମ୍ଭ ହେଲା ଡଲଫିନ ଗଣନା, ସଂଖ୍ୟା ବଢିବା ନେଇ ଆଶା

ପଟ୍ଟାମୁଣ୍ଡାଇ: ଆରମ୍ଭ ହୋଇଛି ଡଲଫିନ ଗଣନା । ଆଜିଠୁ ୩ଦିନ ଧରି ଚାଲିବ ଡଲଫିନ୍ ଗଣନା । ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ଜାତୀୟ ଉଦ୍ୟାନରେ ଡଲଫିନ୍ ଗଣନା କରାଯିବ । ରାଜନଗର ବନଖଣ୍ଡ ଧାମରାରୁ ଦେବୀ ମୁହାଣ ଯାଏଁ ଚାଲିବ ଗଣନା । ରାଜନଗର ବନଖଣ୍ଡର ୫ଟି ରେଂଜରେ ଚାଲିବ ଡଲଫିନ୍‌ ଗଣନା ।

ଗଣନାରେ ମୋଟ ୯ଟି ଟିମ୍‌ରେ ୪ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୬ଟାରୁ ଦିନ ୧୨ଟା ଯାଏଁ ଚାଲିବ ଡଲଫିନ୍ ଗଣନା । ଗଣନା ସମୟରେ ବାଇନାକୁଲାର, ଜିପିଏସ, କ୍ୟାମେରା ଓ ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରାଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ନିଷ୍ପତ୍ତି କ୍ରମେ ୨୦୧୫ ରୁ ଗହୀରମଥା ଓ ଭିତରକନିକା ଅଞ୍ଚଳରେ ଡଲଫିନ ଗଣନା କରାଯାଉଛି । ଏହି ଗଣନାକୁ ୧୦ ବର୍ଷ ପୁରିବାକୁ ଯାଉଥିବା ବେଳେ ଏଥର ଡଲଫିନ ସଂଖ୍ୟା ବୃଦ୍ଧି ନେଇ ଆଶା ରଖିଛନ୍ତି ଅନେକ ଜୀବ ବିଜ୍ଞାନୀ, ପରିବେଶବିତ ଓ ସ୍ଥାନୀୟ ଜନସାଧାରଣ । ତେବେ ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଅଧିକ ଡଲଫିନ ଗଣନା କରାଯିବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି । ସାଧାରଣତଃ ଭିତରକନିକା ସଲଗ୍ନ ନଦୀ, ନାଳ ଓ ସମୁଦ୍ରରେ ୫ ପ୍ରଜାତିର ଡଲଫିନ ଦେଖାଯାଇଥାନ୍ତି । ଜାତୀୟ ଉଦ୍ୟାନ ମଧ୍ୟରେ ମୁଖ୍ୟତଃ ଇରାୱାଡି, ବଟଲନୋଜ, ହମ୍ପବ୍ୟାକ, ଷ୍ଟ୍ରିପେଡ ଓ ସ୍ପିନର ଜାତୀୟ ଡଲଫିନ ଦେଖିବାକୁ ମିଳୁଥିବା ବେଳେ ଏମାନଙ୍କ ମଧ୍ୟରୁ ଷ୍ଟ୍ରିପେଡ ଓ ସ୍ପିନର ପ୍ରଜାତିର ଡଲଫିନ ଭିତରକନିକା ବ୍ୟତୀତ ଅନ୍ୟ କେଉଁଠାରେ ଦେଖା ଯାଆନ୍ତି ନାହିଁ ।

 

Comments are closed.