Latest Odisha News

BREAKING NEWS

ଏହି ଦୁର୍ଗରେ ଲୁଚି ରହିଛି ପୁଳାଏ ପୁଳାଏ ସୁନାରୂପା

ରାଜସ୍ଥାନ: ଭାରତର ଇତିହାସ ଯେତିକି ସମୃଦ୍ଧ ଏବଂ ପୁରୁଣା, ଏହାର କାହାଣୀ ଏବଂ ରହସ୍ୟ ମଧ୍ୟ ଚକିତ କଲା ଭଳି ରହିଛି ।  ରାଜସ୍ଥାନରେ ବହୁତ ପ୍ରାସାଦ ଏବଂ ଦୁର୍ଗ ରହିଛି ଓ ସେମାନଙ୍କର ନିଜସ୍ୱ କାହାଣୀ  ମଧ୍ୟ ଅଛି । ସେଥି ମଧ୍ୟରୁ ଗୋଟିଏ ହେଉଛି ବିକାନେରର ଜୁନାଗଡ ଦୁର୍ଗ । ଏହି ଦୁର୍ଗରେ ଏକାଠି ନଅଟି ପ୍ରାସାଦ ଅଛି ଏବଂ କୁହାଯାଏ ଯେ ଆଜି ବି ଏଠାରେ ସୁନା ଓ ରୂପାର ଭଣ୍ଡାର ଅଛି। ଏହି ଦୁର୍ଗରେ ଲୁଚେଇକି ରଖାଯାଇଥିବା ଭଣ୍ଡାରକୁ ଲୁଟ୍ କରିବା ପାଇଁ ଅନେକ ଚେଷ୍ଟା କରାଯାଇଛି, କିନ୍ତୁ କେହି ଏହାକୁ ପାଇବାକୁ ସକ୍ଷମ ହୋଇ ନାହାଁନ୍ତି ।

ଆକବରଙ୍କ ଶାସନ କାଳରେ ବିକ୍ରମ ସମ୍ବତ ୧୬୪୫ରେ ମହାରାଜା ରାୟା ସିଂହଙ୍କ ଦ୍ୱାରା ଏହି ଦୁର୍ଗର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ସମଗ୍ର ଦୁର୍ଗର ଚାରିପାଖରେ ଏକ ଗଭୀର ଖାଲ ଅଛି । ଦୁର୍ଗ ନିର୍ମାଣ ପାଇଁ ନାଲି ପଥର ବ୍ୟବହାର କରାଯାଇଛି | ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ମହାରାଜା ଏହି ଦୁର୍ଗ ନିର୍ମାଣ କରିଥିଲେ। ଏହି ଦୁର୍ଗ ନିର୍ମାଣରେ ଏପରି ଟେକ୍ନୋଲୋଜି ବ୍ୟବହୃତ ହୋଇଛି ଯାହା ଗ୍ରୀଷ୍ମ ସମୟରେ ମଧ୍ୟ ଥଣ୍ଡା ରହିଥାଏ । ଦୁର୍ଗ ଭିତରେ ଗୁପ୍ତ ଫାଟକ ଏବଂ ଅନେକ ଗୁମ୍ଫା ଅଛି । ଯେଉଁଥିପାଇଁ ଶତ୍ରୁମାନେ ଚାହିଁଲେ ମଧ୍ୟ ଏହି ପ୍ରାସାଦ ଉପରେ ଆକ୍ରମଣ କରିପାରିଲେ ନାହିଁ ।

ଜୁନାଗଡରେ ଅନୁପ ମହଲ, ସର୍ଦ୍ଦାର ମହଲ, ଜୋରୱର ମହଲ, କର୍ନା ମହଲ, ରାଇସିଂହ ମହଲ, ଗଙ୍ଗା ନିବାସ, ରତନ ନିବାସ, ସୁଜାନ ନିବାସ ଏବଂ କୋଠୀ ଡୁଙ୍ଗର ନିବାସ ନିର୍ମାଣ କରାଯାଇଛି। ପ୍ରାରମ୍ଭରେ ଜୁନାଗଡ ଦୁର୍ଗକୁ ଚିନ୍ତାମଣି ଦୁର୍ଗ ବା ବିକାନେର ଦୁର୍ଗ କୁହାଯାଉଥିଲା । ପରେ ଏହାକୁ ଜୁନାଗଡରେ ପରିବର୍ତ୍ତନ କରାଯାଇଥିଲା । ଜୁନାଗଡ ଶବ୍ଦର ଅର୍ଥ ପୁରୁଣା ।

ଜୁନାଗଡ ଦୁର୍ଗର ଭଣ୍ଡାରର ରହସ୍ୟ ଆଜି ପର୍ଯ୍ୟନ୍ତ ଲୁଚି ରହିଛି । କିଛି ବର୍ଷ ପୂର୍ବେ ଏହି ଦୁର୍ଗର ଖାଲରେ ସୁନାର ବିସ୍କୁଟ ମିଳିଥିଲା। ସେଠାରେ ଥିବା ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମହାରାଜା ଏହି ଦୁର୍ଗର ବିଭିନ୍ନ ସ୍ଥାନରେ ଭଣ୍ଡାରକୁ ଲୁଚାଇ ରଖିଥିଲେ, ଯାହା ଆଜି ମଧ୍ୟ ସେହି ଦୁର୍ଗ ଭିତରେ ଲୁଚି ରହିଛି । ଏହି ଦୁର୍ଗରେ ଲୁଚି ରହିଥିବା ଭଣ୍ଡାରର ରହସ୍ୟ କେହି ଜାଣିପାରିବେ ନାହିଁ ।

 

ଏହି ଦୁର୍ଗ ଭିତରେ ଏକ ବିମାନ ମଧ୍ୟ ଅଛି, ଯାହା ପ୍ରଥମ ବିଶ୍ୱଯୁଦ୍ଧରେ ବ୍ରିଟିଶ ସେନା ଦ୍ୱାରା ବ୍ୟବହୃତ ହୋଇଥିଲା । ଆଜି ବି ସେହି ବିମାନ ଏହି ଦୁର୍ଗରେ ରହିଛି । ବ୍ରିଟିଶମାନେ ମହାରାଜା ଗଙ୍ଗା ସିଂଙ୍କୁ ବିମାନ ଉପହାର ଦେଇଥିଲେ।

ଜୁନାଗଡ ଦୁର୍ଗ ଦେଖିବାକୁ ଆପଣଙ୍କୁ ପଚାଶ ଟଙ୍କା ଟିକେଟ୍ ଲାଗିବ । ଛାତ୍ରଛାତ୍ରୀମାନେ କୋଡିଏ ଟଙ୍କା ରିହାତି ପାଇବେ। । ଏହି ଦୁର୍ଗ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲା ଥାଏ ।

 

Comments are closed.