Latest Odisha News

୨ଏପ୍ରିଲ…ବଢିଲାଣି ଟାରିଫ ଟେନସନ୍

ନୂଆଦିଲ୍ଲୀ: ୨ଏପ୍ରିଲ, ପାରସ୍ପରିକ ଆମଦାନୀ ଶୁଳ୍କକୁ ନେଇ ବଢିଲାଣି ଚିନ୍ତା । ଅନ୍ୟ ଦେଶ ସହ ଭାରତ ଉପରେ ବି ବାଜିବ ଟ୍ରମ୍ପଙ୍କ ଟାରିଫ୍ ଛାଟ!  ଏହି ଦିନକୁ ଲିବରେସନ୍ ଡେ ବା ମୁକ୍ତି ଦିବସ ଭାବେ ପାଳନ କରିବାକୁ ବି କହିସାରିଛନ୍ତି ଟ୍ରମ୍ପ । ଟ୍ରମ୍ପଙ୍କ ମତରେ ଟାରିଫର ସହାୟତାରେ ଆମେରିକାର ବ୍ୟାପାର କ୍ଷତି କମ୍ କରାଯାଇପାରିବ । ତେବେ ପାରସ୍ପରିକ ଆମଦାନୀ ଶୁଳ୍କ ଯୋଗୁଁ ଭାରତ କ୍ଷତି ସହିବ । ବିଶେଷ କରି ଏହାର ପ୍ରଭାବ ଦେଶର ଅଟୋମୋବାଇଲ୍, ଲୁଗା, ଖାଦ୍ୟ ସାମଗ୍ରୀ, ଜୁଏଲରୀ ଓ ଅନ୍ୟ ଉଦ୍ୟୋଗ ଉପରେ ପଡିବ ବୋଲି କୁହାଯାଉଛି । ଏହାର ପ୍ରଭାବ ଦିନକ ପୂର୍ବରୁ ହିଁ ସେୟାର ବଜାରରେ ବି ଦେଖିବାକୁ ମିଳିଛି ।

ବନ୍ଧୁତା ରୋକି ପାରିଲାନି ଟାରିଫ୍ !

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଭୟଙ୍କ ବନ୍ଧୁତା ଅନେକ ସମୟରେ ସାମନାକୁ ଆସିଛି । ହାଓଡି ମୋଦି ହେଉ କି ନମସ୍ତେ ଟ୍ରମ୍ପ ରାଲି, ଉଭୟ ମୋଦି ଓ ଟ୍ରମ୍ପ ଏକାଠି ନଜର ଆସିଛନ୍ତି । ଟ୍ରମ୍ପ ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ମୋଦି ଆମେରିକା ଗସ୍ତ କରିଥିଲେ । ଏପରିକି ଗତ କିଛି ଦିନ ହେଲା ଟ୍ରମ୍ପଙ୍କୁ ମୋଦିଙ୍କ ପ୍ରଶଂସା ପରେ ଏହାର ପ୍ରଭାବ ପାରସ୍ପରିକ ଆମଦାନୀ ଶୁଳ୍କ ଉପରେ ପଡିପାରେ ବୋଲି କୁହାଯାଉଥିଲା । ହେଲେ ଯାହା ଲାଗୁଛି, କୌଣସି ରିହାତି ଦେବା ମୁଡରେ ନାହାନ୍ତି ଟ୍ରମ୍ପ । ଅନ୍ୟ ଦେଶ ଭଳି ଭାରତକୁ ସମାନ ଧାଡିରେ ରଖି ଟାରିଫ୍ ଛାଟ ଲଗାଇବାକୁ ଯାଉଛନ୍ତି ।

ଭାରତ ଉପରେ ଟାରିଫ କାହିଁକି?

ଭାରତ ବହୁତ ଅଧିକ ଟାରିଫ ଲଗାଉଛି ଆଉ ସେଥିପାଇଁ ଭାରତକୁ ଅନେକ ସମୟରେ ଟାରିଫ କିଙ୍ଗ ବି କହିଛନ୍ତି ଟ୍ରମ୍ପ । ବିଶ୍ବ ବାଣିଜ୍ୟ ସଂଗଠନ ତଥ୍ୟ ଅନୁସାରେ ଭାରତ ହାରାହାରି ଟାରିଫ ସବୁଠୁ ଅଧିକ । ଭାରତରେ ହାରାହାରି ଟାରିଫ ୧୭ପ୍ରତିଶତ ରହିଥିବା ବେଳେ ଆମେରିକାରେ ୩.୩ ପ୍ରତିଶତ । ବିଶ୍ବ ବାଣିଜ୍ୟ ଗବେଷଣା ଇନିସିଏଟିଭ୍ ବା ଜିଟିଆରଆଇ ରିପୋର୍ଟ ଅନୁସାରେ ଆମେରିକାରୁ ଆସୁଥିବା ଖାଦ୍ୟ ସାମଗ୍ରୀ ଉପରେ ଭାରତ ୩୭.୬୬ପ୍ରତିଶତ ଟାରିଫ ଲଗାଏ । ଯେବେକି ଏସବୁ ସାମଗ୍ରୀ ପାଇଁ ଆମେରିକାରେ ଭାରତକୁ ୫.୨୯ପ୍ରତିଶତ ଟାରିଫ ଦେବାକୁ ପଡ଼େ । ସେହିପରି ଅଟୋମୋବାଇଲରେ ଭାରତ ୨୪.୧୪ପ୍ରତିଶତ ତ ଆମେରିକା ୧.୦୫ପ୍ରତିଶତ ଟାରିଫ ନିଏ । ତେଣୁ ବ୍ୟାପାରରେ କ୍ଷତି ସହୁଥିବା ଦେଶ ମାନଙ୍କ ଉପରେ ଆମଦାନୀ ଶୁଳ୍କ ବଢାଇବା ଉପରେ ଟ୍ରମ୍ପ ଜୋର ଦେଇଥିଲେ ।

କେଉଁଠି ପଡିବ ସର୍ବାଧିକ ପ୍ରଭାବ?

ଏପ୍ରିଲ ୨ରୁ ପାରସ୍ପରିକ ଆମଦାନୀ ଶୁଳ୍କ ଲାଗୁ ହେଲେ ଏହାର ପ୍ରଭାବ ସବୁଠୁ ଅଧିକ ଔଷଧ ଉପରେ ପଡିବ । ଭାରତରୁ ଆମେରିକାକୁ ଶସ୍ତା ଔଷଧ ଯାଉଥିଲା, ଯାହାର ଦର ବଢିବ । ଆମେରିକା ଭାରତଠାରୁ ୧୨ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଔଷଧ ଆମଦାନୀ କରେ । ଏବେ ଆମେରିକାରେ ଫାର୍ମା ସାମଗ୍ରୀ ଉପରେ ୧.୦୬ପ୍ରତିଶତ ତ ଭାରତରେ ୯.୬୮ପ୍ରତିଶତ ଟାରିଫ ଲଗାଯାଉଛି । ଏହାସହ ଅଟୋମୋବାଇଲ୍, ଲୁଗା, ଖାଦ୍ୟ ସାମଗ୍ରୀ, ଜୁଏଲରୀ ଓ ଅନ୍ୟ ଉଦ୍ୟୋଗ ଉପରେ ବି ପ୍ରଭାବ ପଡିବ । ଭାରତ ଟାରିଫ୍ ହ୍ରାସ କଲେ ଦେଶର ରାଜସ୍ବ ପ୍ରଭାବିତ ହେବ।  ଆଉ ଆମେରିକା ଟାରିଫ ବଢାଇଲେ ଦେଶ ପ୍ରଭାବିତ ହେବ । ଟାରିଫ ବୃଦ୍ଧି ଉଭୟ ବାଣିଜ୍ୟ ଓ ଉଭୟ ଦେଶର ଖାଉଟିଙ୍କ ଉପରେ ପ୍ରଭାବ ପକାଇବ ।

ଟାରିଫ ବଢାଇ ଆମେରିକାର ବାଣିଜ୍ୟ ନିଅଣ୍ଟ କମାଇବାକୁ ଚାହୁଁଛନ୍ତି ଟ୍ରମ୍ପ । କୌଣସି ଦେଶ ଅନ୍ୟ ଦେଶଠାରୁ ଅଧିକ ଆମଦାନୀ କରିବା ସହ କମ୍ ରପ୍ତାନୀ କଲେ ସେହି ସ୍ଥିତିକୁ ବାଣିଜ୍ୟ ନିଅଣ୍ଟ କୁହାଯାଏ । ଭାରତ ଓ ଆମେରିକା ମଧ୍ୟରେ ପ୍ରାୟ ୪୫ବିଲିୟନ ଡଲାରର ବାଣିଜ୍ୟ ନିଅଣ୍ଟ ରହିଛି । ତେବେ ଟ୍ରମ୍ପଙ୍କ ପାରସ୍ପରିକ ଆମଦାନୀ ଶୁଳ୍କ ଲାଗୁ ହେଲେ ଆମେରିକାରେ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ହୋଇପାରେ । ଏପରିକି ବିଶ୍ବ ବାଣିଜ୍ୟ ସନ୍ତୁଳନ ପ୍ରଭାବିତ ହେବା ଆଶଙ୍କା ରହିଛି । ନୂଆ ଟାରିଫ ଦ୍ବାରା ଅନ୍ତର୍ଜାତୀୟ ଯୋଗାଣ ଚେନ ବାଧାପ୍ରାପ୍ତ ହୋଇପାରେ । ଯାହାର ପ୍ରଭାବ ବିଭିନ୍ନ ଉଦ୍ୟୋଗରେ ଉତ୍ପାଦନ ତଥା ବିତରଣ ଉପରେ ପଡିପାରେ ।

Comments are closed.