ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପରେ ସଂସଦରେ ଏହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ କଂଗ୍ରେସ। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲୋକସଭାରେ କଂଗ୍ରେସକୁ କଡା ଭାଷାରେ ସାମାଲୋଚନା କରିଛନ୍ତି । ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଲୋକସଭାରେ ତାଙ୍କ ଦଳର ନେତା ଅଧୀରଙ୍କ ଦ୍ୱାରା ଏପରି ଏକ ଅଶୋଭନୀୟ ମନ୍ତବ୍ୟ ଦେବାକୁ କହିଛନ୍ତି ବୋଲି ସ୍ମୃତି ଇରାନୀ କହିଛନ୍ତି। ତେଣୁ ସୋନିଆ ଗାନ୍ଧୀ ଦେଶବାସୀଙ୍କୁ କ୍ଷମା ମାଗିବା ଦରକାର ବୋଲି ସ୍ମୃତି ଇରାନୀ ଦାବି କରିଛନ୍ତି। ଏହାକୁ ନେଇ ଗୃହରେ ଉତ୍ତେଜନା ଦେଖଦେବା ପରେ ଗୃହ ୧୨ଟା ଯାଏ ସ୍ଥଗିତ ରହିଥିଲା।
ସ୍ମୃତି ସୋନିଆଙ୍କୁ ଟାର୍ଗେଟ କରିବା ପରେ ସୋନିଆ ଗାନ୍ଧୀ ବିଜେପି ସାଂସଦ ରାମ ଦେବୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏବଂ ଏହି ଘଟଣାରେ ତାଙ୍କ ନାମ ନିଆଯିବା ଉଚିତ ନୁହେଁ ବୋଲି ସେ କହିଥିଲେ। ଏହି ସମୟରେ ସ୍ମୃତି ଇରାନୀ ସେଠାରେ ପହଞ୍ଚି ସୋନିଆଙ୍କୁ କହିଥିଲେ ଯେ ଏହି ଘଟଣା ମହିଳାଙ୍କ ସହ ଜଡିତ। ସେଥିପାଇଁ ସେ ସୋନିଆଙ୍କ ନାମ ନେଇଥିଲେ। ସୂଚନାନୁସାରେ, ସୋନିଆ ଏବଂ ସ୍ମୃତି ମଧ୍ୟରେ ପ୍ରାୟ ଦୁଇ ମିନିଟ୍ ଧରି କଳହ ଲାଗିଥିଲା। ଏହି ସମୟରେ ରାଗିଯାଇ ସୋନିଆ ସ୍ମୃତିଙ୍କୁ କହିଥିଲେ ଯେ ‘ମୋ ସହ କଥା ହୁଅ ନାହିଁ’। ସୋନିଆଙ୍କ ଏହି ମନୋଭାବ ଉପରେ ବିଜେପି ପ୍ରଶ୍ନ ଉଠାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି ଯେ ସୋନିଆ ବିଜେପି ସାଂସଦଙ୍କୁ ଧମକ ଦେଉଛନ୍ତି।
ଅନ୍ୟପକ୍ଷରେ ସୋନିଆ ଗାନ୍ଧୀ ବିଜେପି ସାଂସଦଙ୍କୁ ଭେଟିବାକୁ ଯାଇଛନ୍ତି । ହେଲେ ବିଜେପି ସାଂସଦ ଏହି ସମୟରେ ସୋନିଆ ଗାନ୍ଧୀଙ୍କ ସହ ଦୁର୍ବ୍ୟବହାର କରିଛନ୍ତି ବୋଲି କଂଗ୍ରେସ କହିଛି। ଏଥିସହିତ ଏହି ଘଟଣା ବଢୁଥିବା ଦେଖି ଆଧୀର ରଂଜନ ଚୌଧୁରୀ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି କ୍ଷମା ମାଗିବେ । କିନ୍ତୁ ଏପରି କପଟୀଙ୍କୁ ନୁହେଁ।
ଉଲ୍ଲେଖଯୋଗ୍ୟ, ଦୁଇ ଦିନ ତଳେ ସୋନିଆ ଗାନ୍ଧୀଙ୍କୁ ଇଡି ନ୍ୟାସନାଲ ହେରାଲ୍ଡ ମାମଲାରେ ଜେରା କରୁଥିଲା। ଏହି ସମୟରେ ବିଜୟ ଚୌକରେ ଇଡିର ଜେରାକୁ ବିରୋଧ କରି ନାରାବାଜି କରୁଥିଲେ। ଏହି ସମୟରେ ‘ଏବିପି ନ୍ୟୁଜ’କୁ ପ୍ରତିକ୍ରିୟା ଦେବା ବେଳେ ଆଧୀର ରଂଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହିଥିଲେ । ଏହା ପରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ବିବାଦ ବଢୁଥିବା ଦେଖି ଅଧୀର ରଂଜନ ଚୌଧୁରୀ କହିଛନ୍ତି ଯେ ତାଙ୍କ ପାଟିରୁ ଏପରି କଥା ଖସିଯାଇଛି। ରାଷ୍ଟ୍ରପତି ପଦରେ ଯିଏ ବସିବେ ତାଙ୍କ ପ୍ରତି ସମ୍ମାନ ରହିଛି ବୋଲି ସଫେଇ ଦେଇଛନ୍ତି ଅଧୀର ରଞ୍ଜନ।
Comments are closed.