Latest Odisha News

BREAKING NEWS

ମେ ୨୪ରୁ ଘର ଘର ବୁଲି ସର୍ଭେ କରିବେ ଆଶାକର୍ମୀ

ଭୁବନେଶ୍ବର : ସମଗ୍ର ଦେଶ ଗତ ବର୍ଷେରୁ ଅଧିକ ସମୟ ଧରି କରୋନା ସହ ଲଢୁଛି । କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ବୈଠକରେ ମେ ୨୪ରୁ ଘର ଘର ବୁଲି କରୋନା ଲକ୍ଷଣ ଓ ଜଟିଳ ରୋଗର ସର୍ଭେ ଆଶା କର୍ମୀ କରିବେ ବୋଲି ନିଷ୍ପତ୍ତି ହୋଇଛି । ଏଥିସହ ଗତ ବର୍ଷ ପରି ଏଥର ମଧ୍ୟ ସରପଞ୍ଚଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ମିଳିଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ । ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ ।

ଆସନ୍ତା ମେ ୨୪ ତାରିଖରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ANM ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ଦିଆଯିବ । ପ୍ରତି ଗାଁରେ ଥିବା ଗାଁ କଲ୍ୟାଣ ସମିତି ମାନଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ ପାଇଁ ବିଭିନ୍ନ କାର୍ଯ୍ୟ ନିମନ୍ତେ ୧୦ ହଜାର ଟଙ୍କା ସହାୟତା ଦିଆଯିବ । ସେହିପରି ଗୃହ ସଂଗରୋଧ ତଦାରଖ ଦାୟିତ୍ବରେ ଥିବା ଆଶାକର୍ମୀ ମାନଙ୍କୁ ବାଇସାଇକେଲ, ଚପଲ, ଛତା, ଟର୍ଚ୍ଚ ଓ କପ୍‌ବୋର୍ଡ ଆଦି ପାଇଁ ଏକକାଳୀନ ୧୦ ହଜାର ଟଙ୍କା ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ICU-HDU ଶଯ୍ୟାରେ ବୃଦ୍ଧି କରାଯାଇଛି । ପ୍ରତି ଜିଲ୍ଲାରେ ଅକ୍ସିଜେନ ସଂଯୁକ୍ତ ଶଯ୍ୟାର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତ୍ରୁଟିଶୂନ୍ୟ ଅକ୍ସିଜେନ ଯୋଗାଣ ପାଇଁ ଅଧିକ ଅକ୍ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି । ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସେଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍ସିଜେନ ସିଲିଣ୍ଡର ମଧ୍ୟ ଆମଦାନୀ କରାଯାଉଛି । ଜରୁରୀ ଔଷଧ ଓ ଅକ୍ସିଜେନ ଯୋଗାଣରେ ଯେପରି ଅସୁବିଧା ନହେବ, ସେଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି ବାଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.