Latest Odisha News

BREAKING NEWS

କଶ୍ମୀର ପ୍ରସଙ୍ଗରେ ନର୍ଥ ବ୍ଲକରେ ଶାହଙ୍କୁ ଭେଟିଲେ ଡୋଭାଲ, ଆଜି ଉପରାଜ୍ୟପାଳଙ୍କ ସହ ବୈଠକ

ନୂଆଦିଲ୍ଲୀ: ଆଜି ଗୃହମନ୍ତ୍ରୀ ଅମିତ ଶାହ କଶ୍ମୀର ଉପରାଜ୍ୟପାଳଙ୍କ ସହ ବୈଠକ କରିବେ । କଶ୍ମୀରରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ ବଢିବା ପରେ କେନ୍ଦ୍ର ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାପୂର୍ବରୁ ଗୁରୁବାର ନର୍ଥ ବ୍ଲକରେ ଅମିତ ଶାହଙ୍କୁ ଭେଟିଛନ୍ତି ଦେଶର ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମନ୍ତ୍ରୀ  ଡକ୍ଟର ଜିତେନ୍ଦ୍ର ସିଂହ ମଧ୍ୟ ଉପସ୍ଥିତ ଥିଲେ।

ତିନି ଦିନ ତଳେ ରାଜସ୍ଥାନର ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଜମ୍ମୁ-କଶ୍ମୀରର କୁଲଗାମ୍ ଜିଲ୍ଲାରେ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିବା ପରେ ଉପତ୍ୟକାରେ ହିନ୍ଦୁମାନଙ୍କ ଉପରେ ଦ୍ୱିତୀୟ ଟାର୍ଗେଟ ଆକ୍ରମଣ ହୋଇଥିଲା। ବ୍ୟାଙ୍କ ମ୍ୟାନେଜର ବିଜୟ କୁମାର ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କର ଆରେ ଶାଖାରେ ପ୍ରବେଶ କରିବା ପରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ । ବିଜୟ କୁମାରଙ୍କୁ ଡାକ୍ତରଖାନା ନିଆଯାଉଥିଲା, କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ଜମ୍ମୁର ଜଣେ ହିନ୍ଦୁ ଶିକ୍ଷୟିତ୍ରୀ ରଜନୀ ବାଲାଙ୍କୁ କୁଲଗାମର ଏକ ସ୍କୁଲ ବାହାରେ ଆତଙ୍କବାଦୀମାନେ ହତ୍ୟା କରିବାର ଦୁଇ ଦିନ ପରେ ଏହି ଆକ୍ରମଣ ହୋଇଛି । ଫାରୁକ୍ ଅହମ୍ମଦ ଶେଖ୍, ଗତକାଲି ସନ୍ଧ୍ୟାରେ ଘର ଭିତରେ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିଲେ।

ଅନ୍ୟ ଏକ ଘଟଣାରେ ସେନା ପକ୍ଷରୁ ଗୁରୁବାର ଜାରି ବିବୃତିରେ କୁହାଯାଇଛି ଯେ, ଆଜି ସକାଳେ ସେମାନଙ୍କ ଗାଡ଼ିରେ ବିସ୍ଫୋରଣ ହେବାରୁ ତିନି ଜଣ ଯବାନ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଛନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବ୍ୟାଙ୍କ ମ୍ୟାନେଜରଙ୍କ ହତ୍ୟା ଘଟଣାକୁ ନିନ୍ଦା କରିବା ସହ ଶୋକ ପ୍ରକାଶ କରିଛନ୍ତି।

ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳରେ କାଶ୍ମୀର ପଣ୍ଡିତଙ୍କ ବ୍ୟାପକ ବିରୋଧ ମଧ୍ୟରେ ଏପରି ଆକ୍ରମଣ ହୋଇଛି, ଗତ ମାସରେ ବଡଗାମରେ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ଭିତରେ କଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କୁ ଗୁଳି କରି ହତ୍ୟା କରାଯିବା ପରଠାରୁ ଏହି ସମ୍ପ୍ରଦାୟର ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି।

ଅନ୍ୟପଟେ ଆକ୍ରମଣ ବଢୁଥିବା ଦେଖି କାଶ୍ମୀର ପଣ୍ଡିତ ବିସ୍ଥାପିତ ହେଉଥିବା ଦେଖିବାକୁ ମିଳିଛି। କାରଣ ସେମାନେ ଏଠାରେ ଆଉ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି। ତେବେ ସେମାନଙ୍କୁ ଯିବାକୁ ରୋକିବା ପାଇଁ, କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଶାସନ ବ୍ୟାରିକେଡ ଲଗାଇ ଟ୍ରାଞ୍ଜିଟ୍ କ୍ୟାମ୍ପ ଗୁଡ଼ିକର ଗେଟ୍ ବନ୍ଦ କରିଦେଇଛି।

Leave A Reply

Your email address will not be published.