ଓଡିଶାରେ ଜନ୍ମିତ ବିଶ୍ୱ ବିଖ୍ୟାତ ଅର୍ଥନୀତିଜ୍ଞ ଡକ୍ଟର ପ୍ରଶାନ୍ତ କୁମାର ପଟ୍ଟନାୟକ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନିତ ହୋଇଛନ୍ତି । ବର୍ତ୍ତମାନ ସେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗରେ ଅତିଥି ପ୍ରାଧ୍ୟାପକ ଅଛନ୍ତି । ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ଅମର୍ତ୍ତ୍ୟ ସେନଙ୍କର ସେ ହେଉଛନ୍ତି ପ୍ରଥମ ପିଏଚ୍.ଡି. ସ୍କଲାର । ଡକ୍ଟର ପଟ୍ଟନାୟକ ୧୯୬୩ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକ କରିବା ପରେ ୧୯୬୫ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମଏ କରିଥିଲେ । ୧୯୬୮ ମସିହାରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପିଏଚଡି କରିବା ପରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।
ଭାରତର ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ, ଇଂଲଣ୍ଡର ଅକ୍ସଫୋର୍ଡ, ନଟିଂହାମ୍, ଆମେରିକାର ହାଭାର୍ଡ, ଦି ଷ୍ଟେଟ୍ ୟୁନିଭର୍ସିଟି ଅଫ୍ ନ୍ୟୁୟର୍କ, ଅଷ୍ଟ୍ରେଲିଆର ଅଷ୍ଟ୍ରେଲିଆନ୍ ନ୍ୟାସନାଲ ୟୁନିଭର୍ସିଟି, ଡିଏକିନ୍ ୟୁନିଭର୍ସିଟି, ଫ୍ରାନସର ୟୁନିଭର୍ସିଟି ଅଫ୍ ରେନେସ୍, ନ୍ୟୁଜିଲାଣ୍ଡର ୟୁନିଭର୍ସିଟି ଅଫ୍ କାଣ୍ଟେନବୁରୀ, ସ୍ପେନର ୟୁନିଭର୍ସିଟି ଅଫ୍ ବିଲ୍ବାଓ, ଜାପାନର ହିତୋସୁବାଶି ୟୁନିଭର୍ସିଟି, ହଂକଂର ଲିଙ୍ଗନନ୍ କଲେଜ, କାନାଡାର ୟୁନିଭର୍ସିଟି ଅଫ୍ ମନଟ୍ରିଏଲ୍, ଚୀନର ନାନକାଇ ୟୁନିଭର୍ସିଟି, ସ୍କଟଲ୍ୟାଣ୍ଡର ୟୁନିଭର୍ସିଟି ଅଫ୍ ଷ୍ଟ୍ରିଲିଂ ରେ ୧୯୭୮ ପର୍ଯ୍ୟନ୍ତ ଅଧ୍ୟାପନା କରିଥିଲେ ।
ଏହାପରେ ୧୯୭୮ ଜୁନରୁ ୧୯୯୧ ଜୁନ ପର୍ଯ୍ୟନ୍ତ ଡକ୍ଟର ପଟ୍ଟନାୟକ ବ୍ରିଟେନର ୟୁନିଭର୍ସିଟି ଅଫ୍ ବର୍ମିଂହାମରେ ମାଥମେଟିକାଲ୍ ଇକୋନୋମିକ ପ୍ରଫେସର ଭାବେ ଯୋଗଦେଲେ । ୧୯୯୧ ଜୁଲାଇରୁ ୨୦୦୭ ଜୁନ ପର୍ଯ୍ୟନ୍ତ ସେ ଆମେରିକାର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ । ୨୦୦୭ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେଠାରେ ସେ ଅତିଥି ଅଧ୍ୟାପକ ଭାବେ ନିୟୋଜିତ ଅଛନ୍ତି ।
ପ୍ରଶାନ୍ତ ପଟ୍ଟନାୟକ ମୁଖ୍ୟତଃ ମାଇକ୍ରୋ ଇକୋନୋମିକ ଥିଓରୀ ଉପରେ କାର୍ଯ୍ୟକରିଛନ୍ତି । ୱେଲଫେୟାଲ ଇକୋନୋମିକ୍ସ(ଜନମଙ୍ଗଳ ଅର୍ଥନୀତି) ଏବଂ ଥିଓରୀ ଅଫ୍ ସୋସିଆଲ ଚଏସ୍ ତାଙ୍କର ମୁଖ୍ୟ ଗବେଷଣାର ବିଷୟ । ସେ ଅର୍ଥନୀତି ଉପରେ ୧୦ରୁ ଅଧିକ ପୁସ୍ତକ ରଚନା କରିଛନ୍ତି ଯାହା ସାରା ବିଶ୍ୱରେ ବେଶ୍ ଆଦୃତ । ଏଥିସହିତ ସେ ଅର୍ଥନୀତି ସମ୍ପର୍କୀତ ଶତାଧିକ ନିବନ୍ଧ ଲେଖିଛନ୍ତି, ଯାହା ବିଶ୍ୱର ପ୍ରତିଷ୍ଠିତ ଜର୍ଣ୍ଣାଲଗୁଡିକରେ ପ୍ରକାଶିତ । ତ୍ତ
Comments are closed.