Latest Odisha News

କୃଷିମନ୍ତ୍ରୀଙ୍କ ଚାଷର କମାଲ, ବିଦେଶ ଗଲା ଡ୍ରାଗନ ଫ୍ରୁଟସ

ଭୁବନେଶ୍ୱର: ଓଡିଶାରୁ ପ୍ରଥମ ଥର ଲାଗି ବାହାର ଦେଶକୁ ରପ୍ତାନୀ ହେଲା ଡ୍ରାଗନ୍‌ ଫଳ । ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ ପ୍ରଥମ ଥର ଲାଗି ଡ୍ରାଗନ ଫଳର ରପ୍ତାନୀ ହୋଇଛି । ଏହି ରପ୍ତାନିର ଶୁଭାରମ୍ଭ ପୂର୍ବରୁ ଶ୍ରୀ ସିଂହଦେଓ ନଡ଼ିଆ ଭାଙ୍ଗି, ପତାକା ଦେଖାଇ ରପ୍ତାନୀ ପ୍ରକ୍ରିୟା ଆରମ୍ଭ କରିଥିଲେ । ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ରେ ହୋଇଥିବା ଡ୍ରାଗନ ଫଳ ଦୁବାଇ ରପ୍ତାନୀ ହେଇଛି ।

ପୂର୍ବରୁ ଢେଙ୍କାନାଳର ଆମ୍ବ, ବଲାଙ୍ଗିରର ପୋଟଳ ବିଦେଶକୁ ଯାଇସାରିଛି । ଏବେ ସରକାର ମଧ୍ୟ କୃଷି ଓ କୃଷକଙ୍କୁ ଗୁରୁତ୍ୱ ଦେଇ ଉଦ୍ୟାନ କୃଷିକୁ ଆପଣେଇବାକୁ ପରାମର୍ଶ ଦେଉଛନ୍ତି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ନିଜକୁ ଜଣେ ଗର୍ବିତ ଚାଷୀ ଭାବେ ପରିଚୟ ଦେଇ କହିଲେ ଯେ, କୋଭିଡ ସମୟରେ ନେଇଥିବା ନିଷ୍ପତ୍ତି ଆଜି ଫଳପ୍ରସୂ ହୋଇଛି ଏବଂ ଆଜି ଇଣ୍ଡିଗୋ କାର୍ଗୋ ଯୋଗେ ୪ କୁଇଣ୍ଟାଲ ଡ୍ରାଗନ ଫଳ ଦୁବାଇକୁ ରପ୍ତାନୀ କରାଯାଇଛି । ରାଜନୀତି କରିବା ଭିତରେ ବି ସେ ଚାଷ କାର୍ଯ୍ୟ ଜାରି ରଖିଥିଲେ । ଡ୍ରାଗନ ଫଳର ଚାହିଦା ବିଦେଶରେ ବହୁତ ଅଧିକ । ଏହି ଡ୍ରାଗନ ଫଳ ଚାଷ ସମ୍ପୂର୍ଣ୍ଣ ରୂପେ ଜୈବିକ ପ୍ରକ୍ରିୟାରେ ହୋଇଛି । ଯାହାଦ୍ୱାରା ଫଳର ପୌଷ୍ଟିକ ତତ୍ତ୍ୱ ଅକ୍ଷୁଣ୍ଣ ରହିବା ସହ ଅନ୍ୟ ରାସାୟନିକ ସାର ଦେଇ ଉତ୍ପାଦନ ହେଉଥିବା ଫଳ ତୁଳନାରେ ଅଧିକ ଦିନ ସତେଜ ରହିବ । ଡ୍ରାଗନ ଫଳ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତକାରୀ । ଏହାର ସେବନ ଦ୍ୱାରା ଶରୀରରେ କ୍ୟାନ୍‌ସର୍‌, ଡାଇବେଟିସ, କୋଷ୍ଠକାଠିନ୍ୟ ଭଳି ବେମାରିର ସମସ୍ୟା ରହିବ ନାହିଁ ବୋଲି ଶ୍ରୀ ସିଂହଦେଓ କହିଥିଲେ ।

ଏ ସମ୍ପର୍କରେ କୃଷି ଓ କୃଷକ ସଶକ୍ତିକରଣ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଥିଲେଯେ, ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟାନ କୃଷି ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସେଥିରେ କ୍ଷେତ ପୋଖରୀ, ସୁଗମ ଜଳସେଚନ ବ୍ୟବସ୍ଥା, ଡିବିଟି ମାଧ୍ୟମରେ ସବସିଡ଼୍‌ ପ୍ରଦାନ ଇତ୍ୟାଦି ଏହିସବୁ ପ୍ରୋତ୍ସାହନରେ ଅନ୍ତର୍ଭୁକ୍ତ ଅଟେ । ଦିନକୁ ଦିନ ଚାହିଦା ବଢ଼ୁଥିବାରୁ ଆଜିର ଦିନରେ ଉଦ୍ୟାନ କୃଷିକୁ ଅଧିକ ଗୁରୁତ୍ୱ ଦିଆଯାଉଛି ଓ ଚାଷୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଅଳ୍ପ ଖର୍ଚ୍ଚରେ ଲାଭବାନ୍‌ ମଧ୍ୟ ହେଇପାରୁଛନ୍ତି । ତେଣୁ ସରକାର ମଧ୍ୟ ସେହି ଅନୁରୂପ ଯୋଜନା ସବୁ ଖୁବଶୀଘ୍ର ପ୍ରଣୟନ କରିବେ । ଆଗାମୀ ଦିନରେ ଓଡିଶାରୁ ଉନ୍ନତ ମାନର କୃଷି ଉତ୍ପାଦ ବଡ଼ ଆକାରରେ ବିଦେଶକୁ ରପ୍ତାନୀ କରାଯିବା ଲକ୍ଷ୍ୟ ରହିଛି ବୋଲି ଶ୍ରୀ ପାଢୀ କହିଛନ୍ତି ।

Comments are closed.