Latest Odisha News

BREAKING NEWS

ଦ୍ରୌପଦୀ ମୁର୍ମୁ ହେଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦୌପଦୀ ମୁର୍ମୁ  ହୋଇଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ । ପ୍ରାର୍ଥୀ ଚୟନ ପାଇଁ ବିଜେପି ଦଳର ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏ ପକ୍ଷରୁ ଏହି ଘୋଷଣା କରିଛନ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏହି ବୈଠକରେ ଯୋଗ ଦେଇ ଆଲୋଚନା କରିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଏବଂ ବିଜେପି ସଭାପତି ଜେପି ନଡ୍ଡା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ପ୍ରାର୍ଥୀଙ୍କ ନାମ ବାବଦରେ ଆଲୋଚନା କରି ଦୌପଦୀ ମୁର୍ମୁଙ୍କ ନାମକୁ ସ୍ଥିର କରିଥିଲେ । ଶେଷରେ ଭାରତର ପୂର୍ବ ପ୍ରାନ୍ତରୁ ଜଣେ ଆଦିବାସୀ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥିର ହୋଇଥିଲା ବୋଲି କହିଥିଲେ ନଡ୍ଡା ।

ପୂର୍ବରୁ ଦୁଇଥର ବିଧାୟକ ହୋଇଛନ୍ତି ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁରରୁ ବିଧାୟକ ଥିଲେ ମୁର୍ମୁ । ଦ୍ରୌପଦୀ ମୁର୍ମୁ  20 ଜୁନ୍ 1958 ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ବାଇଡାପୋସି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ। ସେ ସାନ୍ତାଲ ପରିବାରର, ଏକ ଆଦିବାସୀ ଜାତିର ଅଟନ୍ତି। ଦ୍ରୌପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଏବଂ ଗୋଟିଏ ଝିଅ ଥିଲେ । ତେବେ ଏକ ଦୁର୍ଘଟଣାରେ  ସ୍ୱାମୀ ଏବଂ ଦୁଇ ପୁଅଙ୍କ ମୃତ୍ୟୁ ହୋଇଯାଇଥିଲା ।

ସେ ଝାଡ଼ଖଣ୍ଡର ନବମ ରାଜ୍ୟପାଳ ଥିଲେ। ସେ ଭାରତର ଅନୁସୂଚିତ ଜନଜାତି ସମ୍ପ୍ରଦାୟର ଥିବାରୁ ତାଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ କରିଛି । କାରଣ ଆଜି ପର୍ଯ୍ୟନ୍ତ କୈାଣସି ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇ ନାହାନ୍ତି ।

ଓଡିଶାରେ ଭାରତୀୟ ଜନତା ପାର୍ଟି ଏବଂ ବିଜୁ ଜନତା ଦଳ ମିଳିତ ସରକାରରେ ସେ ମାର୍ଚ୍ଚ 6, 2000 ରୁ ଅଗଷ୍ଟ 6, 2002 ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ପାଇଁ ରାଜ୍ୟ ମନ୍ତ୍ରୀ ଥିଲେ।

୧୯୯୭ ମସିହାରେ ପ୍ରଥମ କରି ଜଣେ କାଉନସିଲର ଭାବେ ବିଜୟୀ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଏହି ସମୟରେ ସେ ରାଇରଙ୍ଗପୁରର ଭାଇସ୍-ଚେୟାରମ୍ୟାନ୍ ରହିଥିଲେ । ସେହି ସମାନ ବର୍ଷ ସେ ରାଜ୍ୟ ବିଜେପିର ଏସଟି ମୋର୍ଚ୍ଚାର ଉପ-ସଭାପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ପରେ ୨୦୦୦ରୁ ୨୦୦୪ ଏବଂ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ବିଧାୟିକା ଭାବେ ନିର୍ବାଚନ ଜିତିଥିଲେ । ତେବେ ତାଙ୍କର ଏଭଳି କାମ ପରେ ତାଙ୍କୁ ବିଜେପି ଏସଟି ମୋର୍ଚ୍ଚାର ନ୍ୟାସନାଲ ଏକ୍ସକୁଟିଭ୍ ମେମ୍ବର ପଦ ମିଳିଥିଲା, ସେ ରାଜ୍ୟ ବିଜେପି ଏସଟି ମୋର୍ଚ୍ଚାର ସଭାପତି ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ ।

୨୦୦୭ ମସିହାରେ ସେ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ଆୱାର୍ଡ ମଧ୍ୟ ଜିତିଥିଲେ । ଆଉ ୨୦୧୦ ମସିହାରୁ ୨୦୧୩ ମସିହା ପର୍ଯ୍ୟନ୍ତ ମୟୁରଭଞ୍ଜ (ପଶ୍ଚିମ)ର ଜିଲ୍ଲା ବିଜେପି ସଭାପତି ରହିଥିଲେ । ୨୦୧୫ ମସିହାରୁ ୨୦୨୧ ମସିହା ପର୍ଯ୍ୟନ୍ତ ଦ୍ରୌପଦୀ ମୁର୍ମୁ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଓଡ଼ିଶାକୁ ପ୍ରାଥମିକତା ଦେଇ ଜଣେ ଓଡ଼ିଆ ମହିଳାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବାରୁ ଓଡ଼ିଶାରେ ଆନନ୍ଦ ଖେଳିଯାଇଛି ।

Leave A Reply

Your email address will not be published.