ବାଲେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ପାକିସ୍ତାନକୁ ଲିକ୍ ମାମଲାର ତନାଘନା ତଦନ୍ତ ଆରମ୍ଭ ହୋଇଛି । କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ବାଲେଶ୍ୱରରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଏସଆଇଟି ଗଠନ ହୋଇଛି । ଏହି ଟିମର ନେତୃତ୍ୱ ନେଉଛନ୍ତି କ୍ରାଇମବ୍ରାଞ୍ଚର ଏଏସପି ପ୍ରଶାନ୍ତ ବିଶୋଇ । ତାଙ୍କ ସହ ସାଇବର ସେଲର ଜଣେ ଇନିସପେକ୍ଟର, ଜଣେ ଏସଆଇ ଓ ଅନ୍ୟ ଜଣେ ଅଫିସର ଅଛନ୍ତି ।
କ୍ରାଇମବ୍ରାଞ୍ଚର ଏହି ତଦନ୍ତକାରୀ ଟିମ୍ ଆଜି ଚାନ୍ଦିପୁରରେ ପହଞ୍ଚିଛି । ଜିଲ୍ଲା ପୋଲିସ ସହ ଆଲୋଚନା କରି ତଦନ୍ତ ଆରମ୍ଭ କରିଛି । ସେମାନେ ୪ ଅଭିଯୁକ୍ତଙ୍କୁ ପଚରାଉଚରା କରିବେ । ଚାନ୍ଦିପୁର ଆଇଟିଆର ତଥ୍ୟ ପାକିସ୍ତାନକୁ ଲିକ୍ କରିଥିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତଙ୍କୁ ପଠାଇ ଦିଆଯାଇଛି ବିଚାର ବିଭାଗୀୟ ହାଜତ । ସେମାନେ ସମସ୍ତେ ଠିକା କର୍ମଚାରୀ ଭାବରେ ସେଠାରେ କାମ କରୁଥିଲେ ।
ଗିରଫ ୪ ଅଭିଯୁକ୍ତଙ୍କ ମଧ୍ୟରୁ ମାଷ୍ଟରମାଇଣ୍ଡ ହେଉଛି ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା । ସେ ଆଇଟିଆର୍ରେ ଏସି ଅପରେଟର ଭାବେ କାମ କରୁଥିଲେ । ଅନ୍ୟ ଅଭିଯୁକ୍ତମାନେ ହେଲେ ଚାନ୍ଦିପୁର ଥାନା ଶ୍ରୀକୋଣା ଗାଁର ସେକ୍ ମୁସାଫିର, ସଦର ଥାନା ବୁଆଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରି ଓ ଆଇଟିଆର୍ ମେନ୍ ଗେଟ୍ରେ କର୍ମଚାରୀ ଥିବା ସଦର ଥାନା ପାଳସିଆ ଅଞ୍ଚଳର ତାପସ ରଞ୍ଜନ ନାୟକ ।
Comments are closed.