Latest Odisha News

BREAKING NEWS

ବିନା ଲୋକପାଇଲଟରେ ୮୦ କିଲୋମିଟର ଗଡିଲା ମାଲବାହୀ ଟ୍ରେନ, କେମିତି ଅଟକିଲା?

ଶ୍ରୀନଗର: ଚିପ୍ ପଥର ବୋଝେଇ ଏକ ୫୩ ଓ୍ଵାଗନ୍ ମାଲବାହୀ ଟ୍ରେନ୍ ରବିବାର ଜମ୍ମୁ-କଶ୍ମୀରର କଠୁଆରୁ ପଞ୍ଜାବର ହୋସିଆରପୁର ଜିଲ୍ଲାର ଏକ ଗାଁକୁ ବିନା ପାଇଲଟରେ ଯାତ୍ରା କରିଛି। ଲୋକପାଇଲଟ ନଥିବା ଏହି ଟ୍ରେନ୍ ୬ଟି ଷ୍ଟେସନ ଓ ୮୦ କିଲୋମିଟର ଅତିକ୍ରମ କରି ସପ୍ତମ ଷ୍ଟେସନରେ ବାଲି ବ୍ୟାଗ୍ ବ୍ୟବହାର କରି ଅଟକା ଯାଇଥିଲା।

ଟ୍ରେନଟି କଠୁଆ ରେଳ ଷ୍ଟେସନରୁ ବିନା ପାଇଲଟରେ ଗଡିବା ଆରମ୍ଭ କରିଥିଲା ପରେ ପଠାନକୋଟ ଅଭିମୁଖେ ଯାଇଥିଲା । ରେଳବାଇ ଅଧିକାରୀଙ୍କ ତୁରନ୍ତ ପ୍ରତିକ୍ରିୟା ଓ ଯାନ୍ତ୍ରିକ ଭାବେ ଟ୍ରେନ୍କୁ ଧୀମା କରିବାକୁ ଚେଷ୍ଟା ସତ୍ତ୍ୱେ ଏହା ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ କ୍ରମାଗତ ଭାବେ ୬ଟି ଷ୍ଟେସନ ଅତିକ୍ରମ କରିଥିଲା।

ସକାଳ ପ୍ରାୟ ୭ଟା ୧୩ମିନିଟରୁ ଆରମ୍ଭ ହୋଇଥିବା ଏହି ଟ୍ରେନ୍ ଅଳ୍ପ ସମୟ ମଧ୍ୟରେ ଉଲ୍ଲେଖନୀୟ ଦୂରତା ଅତିକ୍ରମ କରି ସକାଳ ୭ଟା ୩୬ରେ ପଠାନକୋଟ କ୍ୟାଣ୍ଟରେ ପହଞ୍ଚିଥିଲା। ପଠାନକୋଟ ଏବଂ ମୁକେରିଆନରେ ଟ୍ରେନ୍ ଅଟକାଇବାକୁ ଚେଷ୍ଟା ସତ୍ତ୍ୱେ ଏହା ସକାଳ ୭ଟା ୪୭ରେ କନ୍ଦ୍ରୋରି ଅତିକ୍ରମ କରି ଯାତ୍ରା ଜାରି ରଖିଥିଲା।

ଶେଷରେ ସକାଳ ୮ଟା ୩୭ରେ ଟ୍ରେନଟି ଉଞ୍ଚି ବାସି ରେଳ ଷ୍ଟେସନରେ ଅଟକି ରହିଥିଲା। ଏବେ ଡ୍ରାଇଭର ବିହୀନ ଟ୍ରେନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରେଳବାଇ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଟ୍ରେନରେ ଲୋକୋ ପାଇଲଟ୍ କିମ୍ବା ଆସିଷ୍ଟାଣ୍ଟ ଲୋକୋ ପାଇଲଟଙ୍କ ବିନା ଅନିୟନ୍ତ୍ରିତ ହୋଇ ଗଡିବା ଆରମ୍ଭ କରିଥିଲା।

ଏହି ଘଟଣା ପରେ ଭାରତୀୟ ରେଳବାଇର ଫିରୋଜପୁର ଡିଭିଜନ୍ ୬ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଟି ଗଠନ କରିଛି ବୋଲି ଫିରୋଜପୁରର ଡିଭିଜନାଲ ମ୍ୟାନେଜର ସଞ୍ଜୟ ସାହୁ ସୂଚନା ଦେଇଛନ୍ତି।

Comments are closed.