Latest Odisha News

ସେଫ୍ ସିଟି ଡ୍ରାଇଭ: ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼

ଭୁବନେଶ୍ୱର: କମିଶନରେଟ ପୋଲିସର ସେଫ୍ ସିଟି ଡ୍ରାଇଭ । ରାଜଧାନୀରେ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ ପୋଲିସର ଧରପଗଡ଼ । ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ ଅନୁସାରେ ସହରାଞ୍ଚଳ ମଧ୍ୟରେ ଥିବା ବିଭିନ୍ନ ଥାନା ପକ୍ଷରୁ ସେଫ୍ ଡ୍ରାଇଭ ଅଭିଯାନ ନିୟମିତ ଭାବେ ଜାରି ରହିଛି । ଏହି ଧରପଗଡ ଅଭିଯାନ କ୍ରମରେ ସର୍ବ ସାଧାରଣରେ ମଦ୍ୟପାନ ତଥା ଖଟି କରୁଥିବା ବ୍ୟକ୍ତିମାନଙ୍କୁ କାବୁ କରାଯାଇ ସେମାନଙ୍କ ନିକଟରୁ ଓଡ଼ିଶା ସହରାଞ୍ଚଳ ପୋଲିସ ଆଇନ ଅନୁଯାଇ ଜୋରିମାନା ଆଦାୟ କରାଯିବା ସାଙ୍ଗକୁ ଜନସଚେତନତା କରାଯାଉଛି।

ଗତ ଫେବୃୟାରୀ ମାସ ୧ ତାରିଖରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଭୁବନେଶ୍ଵର ସହରାଞ୍ଚଳ ପୋଲିସର ବିଭିନ୍ନ ଥାନା ପକ୍ଷରୁ ସର୍ବ ସାଧାରଣରେ ମଦ୍ୟପାନ କରୁଥିବା ମୋଟ ୫୮୨୧ ଜଣ ବ୍ୟକ୍ତିବିଶେଷଙ୍କ ନିକଟରୁ ୨୯,୦୬,୫୦୦ ଟଙ୍କା ଜୋରିମନା ଆଦାୟ କରାଯାଇଛି । ସେଥିମଧ୍ୟରୁ ଖାରବେଳନଗର ଥାନା ସର୍ବାଧିକ ୯୦୩ ଜଣ ଆଇନ ଉଲଂଘନକାରୀଙ୍କ ଠାରୁ ସମୁଦାୟ ୪,୫୧,୫୦୦ ଟଙ୍କା ତଣ୍ଡ ଆଦାୟ କରିଥିବା ବେଳେ, ସହୀଦନଗର ଥାନା ୪୩୮ ଜଣଙ୍କ ଠାରୁ ୨,୧୭,୦୦୦ ଟଙ୍କା ଏବଂ ଲକ୍ଷ୍ମୀସାଗର ଥାନା ୩୯୪ ଜଣଙ୍କ ନିକଟରୁ ୧,୯୭,୦୦୦ ଟଙ୍କା ଜୋରିମାନା ଆଦାୟ କରିଛି ।

ସେହିପରି ଚନ୍ଦ୍ରଶେଖରପୁର ଥାନା ୩୮୬ ଜଣକ ନିକଟରୁ ୧,୯୩,୦୦୦ ଟଙ୍କା ଜୋରିମନା ସ୍ବରୂପ ଆଦାୟ କରିଥିବା ବେଳେ, ଖଣ୍ଡଗିରି ଥାନା ୩୫୯ ଜଣଙ୍କ ନିକଟରୁ ୧,୭୯,୦୦୦ ଟଙ୍କା, ଏବଂ ଇନଫୋସିଟି ଥାନା ୩୪୮ ଜଣଙ୍କ ନିକଟରୁ ୧,୭୧,୫୦୦ ଟଙ୍କା ଜୋରିମନା ଆକାରରେ ଆଦାୟ କରିଛି ।

ଭୁବନେଶ୍ବର ସହରାଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ତଥା ସହରକୁ ସୁରକ୍ଷିତ ରଖିବା ପାଇଁ “ସେଫ ସିଟି ଡ୍ରାଇଭ” ଅଧୀନରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଚାଲୁଥିବା ଖଟି, ସର୍ବସାଧାରଣରେ ନିଶାଦ୍ରବ୍ୟ ସେବନ କରୁଥିବା ଅସାମାଜିକ ବ୍ୟକ୍ତିବିଶେଷ ମାନଙ୍କୁ ନିୟମିତ ଭାବରେ ତଦାରଖ କରାଯାଉଛି। କମିଶନରେଟ ପୋଲିସ ଆଇନ ଉଲଂଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭୁବନେଶ୍ବରବାସୀଙ୍କ ସୁରକ୍ଷା ଦିଗରେ ମଧ୍ୟ ଯଥେଷ୍ଟ ଯତ୍ନବାନ ଅଛି ।

Leave A Reply

Your email address will not be published.