Latest Odisha News

BREAKING NEWS

ବର୍ଷା ପରେ ଅସହ୍ୟ ଗୁଳୁଗୁଳି; ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର: ବର୍ଷା ସତ୍ତ୍ୱେ ଗୁଳୁ ଗୁଳିରୁ ତ୍ରାହୀ ନାହିଁ। ତା ସାଂଗକୁ ଲୋ ଭୋଲ୍‌ଟେଜ୍ ଓ ବାରମ୍ବାର ବିଦ୍ୟୁତ କାଟ ରାଜଧାନୀବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଦୁର୍ବଳ ପ୍ରବାହ ଯୋଗୁ ରାଜ୍ୟରେ ବର୍ଷାର ମାତ୍ରା କମିଛି। ବର୍ଷା କମିବା ଫଳରେ ଖରା ଓ ତାପମାତ୍ରା ମଧ୍ୟ ବଢ଼ିଛି। ବାୟୁମଣ୍ଡଳରେ ଆର୍ଦ୍ରତା ବୃଦ୍ଧି ଯୋଗୁ ଗୁଳୁଗୁଳି ମଧ୍ୟ ବଢ଼ିଛି। ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି। ମୋସୁମୀ ଆସିବା ପରେ ବି ଖରାଦିନ ଭଳି ଗୁଳୁଗୁଳି ଅନୁଭୂତ ହେଉଛି।

ଶନିବାର ଚାନ୍ଦବାଲିରେ ସବୁଠୁ ଅଧିକ ଗୁଳୁଗୁଳି ଅନୁଭୁତ ହୋଇଥିଲା। ଏଠାରେ ତାପମାତ୍ରା ୩୭.୨ ଡିଗ୍ରୀ ସେଲ୍‌ସିଅସ୍ ରହିଥିଲା। ତା ସାଙ୍ଗକୁ ୮୬ ପ୍ରତିଶତ ଆର୍ଦ୍ରତା ରହିଥିବା ପାଣିପାଗ ରିପୋର୍ଟରୁ ସୂଚନା ମିଳିଛି। ସେହିପରି ବାରିପଦାରେ ଆର୍ଦ୍ରତା ଶହେ ପ୍ରତିଶତ ଥିବା ବେଳେ ଦିନର ତାମମାତ୍ରା ୩୨.୫ ଡିଗ୍ରୀ ରହିଥିଲା। ବାୟୁବମଣ୍ଡଳରେ ଅଧିକ ଆର୍ଦ୍ରତା ଯୋଗୁ ଅସହ୍ୟ ଗୁଳୁଗୁଳି ଲାଗିଥିଲି। ଅନ୍ୟପଟେ ଭୁବନେଶ୍ୱରର ତାପମାତ୍ରା ୩୭.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆର୍ଦ୍ରତା ୬୦ ପ୍ରତିଶତ ରହିଥିଲା। ରାଜଧାନୀରେ ଲୋକ ଗୁଳୁଗୁଳି ସହିତ ବିଦ୍ୟୁତ ବିଭାଗର ଠକେଇର ବି ଶିକାର ହେଉଥିଲା। ଲୋ ଭୋଲ୍‌ଟେଜ୍ ଓ ବାରମ୍ବାର ବିଦ୍ୟୁତ କାଟରେ ଆହୁରି ହନ୍ତସନ୍ତ ହେଉଥିଲେ ଭୁବନେଶ୍ୱର ଲୋକେ।

ହେଲେ ଏସବୁ ସତ୍ତ୍ୱେ ପାଣିପାଗ ରିପୋର୍ଟ ଆସ୍ୱସ୍ତି ଖବର ଶୁଣାଣିଛି। ଆଗକୁ ଲଗାତର ଦୁଇଟି ଲଘୁଚାପ ଆସୁଛି। ଜୁଲାଇ ୪ ତାରିଖରେ ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଏକ ଘରୋଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ୩ରୁ ୫ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସେହିପରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଂଚଳଗୁଡ଼ିକରେ ଜୁଲାଇ ୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଫଳରେ ଜୁଲାଇ ୧୦ କିମ୍ବା ୧୧ ତାରିଖରେ ମଧ୍ୟ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଘରୋଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୯ ତାରିଖରେ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବୃଷ୍ଟିପାତର ତୀବ୍ରତା ବୃଦ୍ଧି ପାଇବ ବୋଲି ବିଭାଗ କହିଛି।

Leave A Reply

Your email address will not be published.