ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସିଡ଼୍ର କଥା ବୁଝିବା ପାଇଁ ରୋହାନ୍କୁ ଟିକେ ସମୟ ଲାଗିଲା । ମାତ୍ର ଯେତେବେଳେ ସେ ବୁଝି ପାରିଲା, ସର୍ବପ୍ରଥମେ ସେ ମୁହଁ ବୁଲେଇ ବୀରା ଆଡ଼କୁ ଚାହିଁଲା । ଖାସ୍ ଏଇୟା ଜାଣିବା ପାଇଁ ଯେ ସିଡ଼୍ର ପ୍ରଶ୍ନ ବୀରା କାନରେ ପଡ଼ିଛି କି ନାହିଁ । ତା’ର ବାପା, ମା’ ବଞ୍ଚି ନଥିବାର ସମ୍ଭାବନା ପ୍ରସଙ୍ଗଟିକୁ ସେ ଶୁଣିନେଇଥିଲେ,
ଖୁବ୍ ହତାଶ ହୋଇପଡ଼ିଥା’ନ୍ତା । କିନ୍ତୁ ବୀରା ତା’ ନିଜ ଦୁନିଆରେ ହଜିଯାଇଥିଲା ପରି ଲାଗୁଥିଲା; ସିଡ଼୍ର ପ୍ରଶ୍ନ ତା’ କାନରେ ପଡ଼ିଥିଲା ପରି ଲାଗୁ ନଥିଲା ।
ରୋହାନ୍ ଏଥର ଫିସ୍ଫିସ୍ କରି ସିଡ଼୍କୁ ସତର୍କ କଲାପରି କହିଲା, “ତୁ ପାଗଳ ନା କ’ଣ? ତୋ କଥା ବୀରା ଶୁଣିପାରିଥିଲେ କ’ଣ ହେଇଥା’ନ୍ତା, ଭାବି ପାରୁଛୁ? ଏ ବିଷୟରେ ଆମେ ପରେ କଥା ହେବା । ଠିକ୍ ଅଛି?”
ଏତେ କଥାବାର୍ତ୍ତା ପରେ ବି ସିଡ଼୍ର କୌଣସି ପ୍ରତିକ୍ରିୟା ନ ଦେଖି ରୋହାନ୍ ସିଡ଼୍କୁ ପୁଣିଥରେ କହିଲା, “ଆମେ ପରେ କଥା ହେବା । ଠିକ୍ ଅଛି ।” ଭୁଲ ହୋଇଯାଇଛି ଯେମିତି, ସେମିତି ସିଡ଼୍ ମୁଣ୍ଡ ଟୁଂଗାରିଲା ।
ବର୍ତ୍ତମାନ ସେ ଲୁଚିଲୁଚି ବୀରାକୁ ଟିକେ ଚାହିଁଲା ପରେ, ତା\’ ନିଜର ଦୋଷୀଭାବ ଓ ବୀରା ପ୍ରତି ସମବେଦନା ଉଭୟ ତୀବ୍ର ହୋଇଉଠିଲା ।
“ମୁଁ ଜାଣେ ଏକଥା ଶୁଣିଲେ ବୀରା ଖୁବ୍ ମନଦୁଃଖ କରିବ । ଏଥିପାଇଁ ମୁଁ ଖୁବ୍ ଦୁଃଖିତ ସତରେ । କିନ୍ତୁ ଏମିତି କିଛି ଘଟିବନି ବା ଘଟିବା ସମ୍ଭବ ନୁହେଁ ବୋଲି ମଧ୍ୟ ତମେ ଜୋର୍ ଦେଇ କହିପାରିବନି । ଭଲ ହେବ ଯଦି ଏମିତି ଏକ ସମ୍ଭାବନା ପ୍ରତି ବୀରା ନିଜକୁ ଆଗୁଆ ପ୍ରସ୍ତୁତ କରିନିଏ । ସାହସର ସହିତ ଏ ପରିସ୍ଥିତିକୁ ଯଦି ସିଏ ଗ୍ରହଣ କରି ନ ନିଏ, ଏବଂ ସତରେ ଯଦି ଏମିତି କିଛି ଘଟେ, ତା’ହେଲେ, ବୀରା ନିଜ ମାନସିକ ଭାରସାମ୍ୟ ହରାଇବସିବ ଅବା ଭୀଷଣ ଭାବରେ ଭାଙ୍ଗିଯିବ । ଏ କଥା ନିଶ୍ଚିତ ।”
କ୍ରମଶଃ