Latest Odisha News

BREAKING NEWS

ରତ୍ନ ବେଦିରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ : ଆଜି ବାହାରିବ ନୀଳାଚଳ ଅବଢ଼ା

ପୁରୀ : ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ l ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ । ଏବେ ବଡ଼ ଦେଉଳର ରତ୍ନବେଦୀରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ଆଜିଠୁ ପୁଣି ଶ୍ରୀମନ୍ଦିରରେ ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି ନୀତିକାନ୍ତି । ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି । ଏହାସହ ଆଜିଠୁ ନୀଳାଦ୍ରୀ ଅବଢ଼ା ମଧ୍ୟ ଭକ୍ତମାନେ ପାଇପାରିବେ । ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ ।

ଗତକାଲି ରଥଯାତ୍ରାର ଅନ୍ତିମ ପର୍ବ ନୀଳାଦ୍ରିବିଜେ ଅବସରରେ ଜନ୍ମବେଦୀରେ ସମସ୍ତ ଲୀଳାଖେଳା ସାରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନୀଳାଦ୍ରୀନାଥ। ଚଳିତବର୍ଷର ରଥଯାତ୍ରା ଶୃଙ୍ଖଳିତ ଭାବେ ଶେଷ ହୋଇଛି l ସଂଧ୍ୟାଧୂପ ସରିବା ପରେ ୩ ରଥରେ ଚାରମାଳ ବନ୍ଧାଯିବା ସହ ବନ୍ଦାପନା ଓ ଡୋରି ଲାଗି ଶେଷ ହୋଇ ବିଜେ କାହାଳି ବାଜିଥିଲା। ପ୍ରଥମେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ଦକ୍ଷିଣ ଘରକୁ ବିଜେ କରାଯାଇଥିଲା । ଏହାପରେ ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ,ପରେ ବଡଭାଇ ବଳଭଦ୍ର,ତା ପଛକୁ ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୂ ଜଗନ୍ନାଥ ପହଣ୍ଡି ହୋଇ ରତ୍ନବେଦୀକୁ ବିଜେ କରିଛନ୍ତି। ଯାହାକୁ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷଲକ୍ଷ ଭକ୍ତ ଏକାଠି ହୋଇଥିଲେ ।

Leave A Reply

Your email address will not be published.