Latest Odisha News

ମେଲାଣି ନେଉଛନ୍ତି ମା’, ଟ୍ୱିନ୍ ସିଟିରେ ଚାଲିଛି ଭସାଣ

ଭୁବନେଶ୍ୱର: ନା ଡିଜେ ଅଛି ନା ବିରାଟ ପଟୁଆର । ଶୋଭାଯାତ୍ରା ବି ନାହିଁ । ଭଳିକି ଭଳି ପାରମ୍ପରିକ ଲୋକନୃତ୍ୟ ବି ଦେଖିବାକୁ ମିଳୁନି । ସନ୍ଧ୍ୟା ବଦଳରେ ଦିନରେ ବିଦାୟ ନେଉଛନ୍ତି ମାଆ । ବାଜା, ବାଣ ଓ ପଟୁଆର ବଦଳରେ କେବଳ ଘଂଟ ଘଂଟା ବଜାଇ ମାଆଙ୍କୁ ମେଲାଣି ଦିଆଯାଉଛି । କୋଭିଡ୍ କଟକଣା ଭିତରେ ରାଜଧାନୀ ଭୁବନେଶ୍ୱର ଓ କଟକରେ ଆରମ୍ଭ ହୋଇଯାଇଛି ଭସାଣ ଉତ୍ସବ ।

କଟକରେ ଗତକାଲିଠୁ ଆରମ୍ଭ ହୋଇଯାଇଛି ମାଆ ଦୁର୍ଗାଙ୍କ ବିଦାୟ ପର୍ବ । ରାତି ତମାମ ପ୍ରସ୍ତୁତି ପରେ ଆଜି ସକାଳୁ ମାଆଙ୍କ ଗାଡିରେ ନେଇ ଭସାଣ ପାଇଁ ବାହାରିଛନ୍ତି ବିଭିନ୍ନ ପୂଜା କମିଟି । କୃତ୍ରିମ ନଦୀରେ ମାଆଙ୍କୁ ବିସର୍ଜନ କରାଯିବ । ଏପଟେ ଭୁବନେଶ୍ୱରରେ ବି ସକାଳୁ ସକାଳୁ ମାଆଙ୍କୁ ବିଦାୟ ଜଣାଇବାକୁ ପୂଜା କମିଟି ଅଂଟି ଭିଡିଛନ୍ତି ।

ଟ୍ରକ ଓ ବଡ ଟ୍ରଲର ବଦଳରେ ପିକଅପ୍ ଭ୍ୟାନରେ ବାହାରିଛି ମାଆଙ୍କ ଶୋଭାଯାତ୍ରା । ହେଲେ ମାଆଙ୍କ ବିଦାୟ ପର୍ବରେ ସାମିଲ ହୋଇଛନ୍ତି ପୂଜା କମିଟିର ମାତ୍ର ୭ ଜଣ ସଦସ୍ୟ । ଭସାଣିରେ ସମସ୍ତ ମେଢ ଏଥର ଏକାଠି ହେବା ଉପରେ କଟକଣା ଲଗାଇଛି କମିଶନରେଟ୍ ପୋଲିସ । ପୂଜା କମିଟିକୁ ପୋଲିସର କଡା ତାଗିଦ ପରେ ଅଳ୍ପ କିଛି ସଦସ୍ୟଙ୍କ ଉପସ୍ଥିତିରେ ମାଆଙ୍କ ଭସାଣି ଉତ୍ସବ ଆରମ୍ଭ ହୋଇଛି । କେବଳ ଘଂଟ ଓ ଗିନି ବଜାଇ ମାଆଙ୍କୁ ମେଲାଣି ଦିଆଯାଉଛି । ଅପରାହ୍ଣ ସୁଦ୍ଧା ରାଜଧାନୀର ସମସ୍ତ ମେଢର ଭସାଣ ଶେଷ ହେବ । କୃତ୍ରିମ ଗାଡିଆ ଓ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ ।

Leave A Reply

Your email address will not be published.