Latest Odisha News

BREAKING NEWS

ଫ୍ଲୋରିଆ ପରିବାର ତରଫରୁ ସୁଦୂର ଆମେରିକାରେ ଶାରଦୀୟ ଦୁର୍ଗାପୂଜାର ଆୟୋଜନ

ଫ୍ଲୋରିଡା : ମହାମାୟାଙ୍କ ଆବାହନରେ ପୂରି ଉଠିଛି ଧରା । ମନ୍ତ୍ର ଓ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଅସୁରତ୍ୱ ଉପରେ ଦେବତ୍ବ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପାଇଁ ଦେବୀଙ୍କ ଏହି ଶାରଦୀୟ ଆବାହନ । ଶରଣାଗତଙ୍କ ଦୁଃଖ ଦୂର କରି, ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ ପାଇଁ ଦେବୀ ଧରାବକ୍ଷକୁ ଆସିଛନ୍ତି ମା’ ମହିଷାମର୍ଦ୍ଦିନୀ । ଭକ୍ତିମୟ ପରିବେଶରେ ଚାରିଆଡେ ଚାଲିଛି ପୂଜାର୍ଚ୍ଚନା । ପୂରଠୁ ପଲ୍ଲୀ ସବୁଠି ଚାଲିଛି ମା’ଙ୍କର ମନ୍ତ୍ରପାଠ । ହେଲେ ଏଥିରୁ ସୁଦୂର ଆମେରିକାର ଫ୍ଲୋରିଡା କେମିତି ବା ପାଦ ପଡ଼ିବ । ଏଠାରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଫ୍ଲୋରିଆ ତରଫରୁ ଟାମ୍ପା ସହରରେ ଆୟୋଜନ କରାଯାଇଛି ଶାରଦୀୟ ଦୁର୍ଗାତ୍ସୋବ । ଆୟାପ୍ପା ମନ୍ଦିରରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଦୁର୍ଗାପୂଜା ।

ସାଧାରଣତଃ କର୍ମ ସଂସ୍ଥାନର କଟକଣା ତଥା ବ୍ୟକ୍ତିଗତ ଜୀବନର କାର୍ଯ୍ୟଭାର ଯୋଗୁଁ ବିଦେଶରେ ପୂଜା, ପର୍ବ ପର୍ବାଣୀ ସପ୍ତାହାନ୍ତରେ ପାଳନ କରାଯାଏ। କିନ୍ତୁ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇ ବିଧି ମୁତାବକ ମା’ଙ୍କର ଏହି ଅପୂର୍ବ ପର୍ବକୁ ପାଳନ କରିଛି ଫ୍ଲୋରିଆ ପରିବାର । ଓଡ଼ିଶାରେ ପ୍ରଚଳିତ ଦୁର୍ଗାପୂଜାର ସମସ୍ତ ପ୍ରକାର ନୀତି କାନ୍ତି ଅନୁସାରେ ପୂଜା କରାଯାଉଛି । ଟାମ୍ପା ନିକଟବର୍ତ୍ତୀ ଅଲରାଣ୍ଡୋ ତଥା ଅନ୍ୟ ସହରରେ ରହୁଥିବା ପ୍ରବାସୀ ଭାରତୀୟ ବି ଜଗତଜନନୀ ମା’ ଦଶଭୂଜାଙ୍କର ଏହି ପର୍ବରେ ସାମିଲ ହୋଇଛନ୍ତି ।

କୋଭିଡ କଟକଣା ଅନୁସାରେ ଚାଲିଛି ଦଶଭୂଜାଙ୍କ ପୂଜାର୍ଚ୍ଚନା । ଘଣ୍ଟ ଘଣ୍ଟା ଓ ମୃଦଙ୍ଗର ଶଦ୍ଧରେ ଫାଟି ପଡୁଛି ପରିବେଶ । ବିଦେଶରେ ମା’ଙ୍କର ଏଭଳି ପୂଜା ପଦ୍ଧତିକୁ ନେଇ ବେଶ ଧନ୍ୟ ମନେ କରିଛନ୍ତି ଶ୍ରଦ୍ଧାଳୁ । ବିଦେଶ ମାଟିରେ ଓଡ଼ିଶାର ପରମ୍ପରା, ଐତିହ୍ୟ ତଥା ବର୍ତ୍ତମାନକୁ ଅନ୍ୟ ମାନଙ୍କ ପାଖରେ ପହଞ୍ଚାଇବାକୁ ଏଭଳି ଏକ ପ୍ରୟାସ ଆରମ୍ଭ କରିଛି ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଫ୍ଲୋରିଆ । ବରିଷ୍ଠ ସଦସ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶାରଦୀୟ ଦୁର୍ଗାତ୍ସୋବକୁ ପାଳନ କରାଯାଉଛି ।

Leave A Reply

Your email address will not be published.