Latest Odisha News

BREAKING NEWS

ଫସଫେଟ୍ ଓ ପଟାସ ଜାତୀୟ ସାରର ମୂଲ୍ୟବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ଫସ୍‌ଫେଟ ଓ ପଟାସ ଜାତୀୟ ସାରର ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ ପକ୍ଷରୁ ଚଳିତବର୍ଷ ମେ ୨୦ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବର୍ଦ୍ଧିତ ମୂଲ୍ୟ ୨୦୨୧ ଅକ୍ଟୋବର ପହିଲାରୁ ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲାଗୁ ହେବ ।

ଆନ୍ତର୍ଜାତିକ ବଜାରରେ ଡାଏ ଆମୋନିୟମ ସଲ୍‌ଫେଟ (ଡିଏପି) ସାରର ମୂଲ୍ୟ ବୃଦ୍ଧି ଘଟିଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ଉପରେ ବର୍ଦ୍ଧିତ ମୂଲ୍ୟର ବୋଝ ଯେପରି ନ ପଡେ ସେଥିପାଇଁ ପ୍ରତି ବ୍ୟାଗ୍ ଡିଏପି ସାର ଉପରେ ୪୩୮ ଟଙ୍କାର ସ୍ୱତନ୍ତ୍ର ଏକକାଳୀନ ରିହାତି ପ୍ରଦାନର ବ୍ୟବସ୍ଥା କରାଯାଇଛି । ଏହା ଫଳରେ ମୂଲ୍ୟ ବୃଦ୍ଧି ସତ୍ୱେ ଚାଷୀ ପୁରୁଣା ଦାମ୍‌ରେ ଡିଏପି ସାର କିଣିପାରିବେ ।

ସର୍ବାଧିକ ବ୍ୟବହୃତ ହେଉଥିବା ୩ ପ୍ରକାର ଏନପିକେ ଗ୍ରେଡର ସାର ପାଇଁ ଯେଉଁ କଞ୍ଚାମାଲ ଆମଦାନୀ କରାଯାଉଥିଲା, ଆନ୍ତର୍ଜାତିକ ବଜାରରେ ତା’ର ମୂଲ୍ୟ ବୃଦ୍ଧି ପାଇଛି । ତେଣୁ ସରକାର ବାଧ୍ୟ ହୋଇ ଏସବୁ ସାରର ମୂଲ୍ୟକୁ ବ୍ୟାଗ ପିଛା ୧୦୦ ଟଙ୍କା ବଢାଇଥିଲେ ମଧ୍ୟ ସ୍ୱତନ୍ତ୍ର ଏକକାଳୀନ ରିହାତି ଜରିଆରେ ବର୍ଦ୍ଧିତ ବ୍ୟୟକୁ ନିଜେ ବହନ କରିବେ । ଫଳରେ ଚାଷୀ ଏ ସବୁ ସାର ପୂର୍ବଭଳି ସୁବିଧା ଦରରେ ପାଇବେ ।

ପ୍ରଥମ ଥର ପାଇଁ ସରକାର ମଧ୍ୟ ମୋଲାସେସ୍‌ରୁ ଉତ୍ପାଦିତ ପଟାସକୁ ନ୍ୟୁଟ୍ରେଣ୍ଟ ଭିତ୍ତିକ ରିହାତି ବ୍ୟବସ୍ଥା ବା ଏନବିଏସ୍‌ର ଅନ୍ତର୍ଭୁକ୍ତ କରିଛନ୍ତି । ୨୦୧୦ରେ ଏହି ଯୋଜନା ଆରମ୍ଭ ହେବା ପରଠାରୁ ପ୍ରଥମ ଥର ଏଥିରେ ପିଡିଏମ୍‌କୁ ଅନ୍ତର୍ଭୁକ୍ତ କରାଯାଇଛି । ଏହାଦ୍ବାରା ଚିନିକଳରୁ ବାହାରୁ ଥିବା ଉପଜାତ ପଦାର୍ଥ ପାଇଁ ଭଲ ଦାମ୍ ମିଳିବ ।

ଭାରତ ମିନେରାଲ ଭିତ୍ତିକ ପଟାସରେ ଶତ ପ୍ରତିଶତ ଆମଦାନୀ ଉପରେ ନିର୍ଭରଶୀଳ । ଭାରତ ପ୍ରାୟ ୪୨ ଏଲ.ଏମ୍‌.ଟି ଏମଓପି ସାର ଆମଦାନୀ କରିଥାଏ । ଏଥିପାଇଁ ସରକାରଙ୍କୁ ବାର୍ଷିକ ୭୧୬୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଆଖୁଚାଷୀଙ୍କ ଆୟ ବଢିବା ସହିତ ଚିନିକଳ ଗୁଡିକ ଲାଭବାନ ହେବେ । ଚାଷୀମାନେ ଏହି ସାରକୁ ବ୍ୟାଗ ପିଛା ଏବେ ୬୦୦ରୁ ୮୦୦ ଟଙ୍କାରେ କିଣୁଛନ୍ତି । ସରକାରୀ ନିଷ୍ପତ୍ତି ଫଳରେ ୫୦ କି.ଗ୍ରା ଓଜନର ବ୍ୟାଗ ଉପରେ ଚାଷୀଙ୍କୁ ୭୩ ଟଙ୍କା ରିହାତି ମିଳିବ ।

Leave A Reply

Your email address will not be published.