Latest Odisha News

BREAKING NEWS

ଋଷ-ୟୁକ୍ରେନ ଯୁଦ୍ଧ ବେଳେ ଭାରତରେ ଜମୁଛି ଅନ୍ତର୍ଜାତୀୟ ନେତାଙ୍କ ଭିଡ଼

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଋଷିଆ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ଆର୍ଥିକ ପ୍ରତିବନ୍ଧକ ଲଗାଇବା ପଛର ପ୍ରମୁଖ ନାୟକ ହେଉଛନ୍ତି ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦଲ୍ଲୀପ ସିଂ । ଏବେ ଦଲ୍ଲୀପ ଚଳିତ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି ସୂଚନା ରହିଛି । ଦଲ୍ଲୀପଙ୍କ ଗସ୍ତ ପୂର୍ବରୁ କିନ୍ତୁ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଭାରତ ଗସ୍ତରେ ଆସୁଛନ୍ତି।

ମଙ୍ଗଳବାର ମିଳିଥିବା ସୂଚନା ଅନୁଯାୟୀ ଆମେରିକା ଅଧିକାରୀଙ୍କ ପ୍ରସ୍ତାବିତ ଭାରତ ଗସ୍ତର ସବିଶେଷ ବିବରଣୀ ପ୍ରସ୍ତୁତ କରାଯାଉଛି ଏବଂ ଏହା ସେହି ସମୟରେ ହେଉଛି  ଯେତେବେଳେ ରୁଷର ମନ୍ତ୍ରୀ ଭାରତ ଗସ୍ତ କରିବାକୁ ଯୋଜନା କରୁଛନ୍ତି ବୋଲି ସଂକେତ ଦେଇଛନ୍ତି। କିନ୍ତୁ ଆମେରିକାର ଡେପୁଟି ଏନଏସଏଙ୍କ ଭାରତ ଗସ୍ତ ନେଇ ଏଯାବତ କୌଣସି ସୂଚନା ମିଳିପାରିନାହିଁ । ଦୁଇ ଦିନିଆ ଚୀନ ଗସ୍ତ ଶେଷ କରି ଲାଭରୋଭ ଗୁରୁବାର ସନ୍ଧ୍ୟା କିମ୍ବା ଶୁକ୍ରବାର ସକାଳେ ଭାରତ ଆସିପାରନ୍ତି ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟ ଅର୍ଥନୀତି,  ୟୁକ୍ରେନ୍ ସଙ୍କଟ ସମେତ ବିଭିନ୍ନ ପ୍ରସଙ୍ଗରେ ଭାରତୀୟ ଅଧିକାରୀଙ୍କ ସହ ଆମେରିକାର ଉପ-ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଦଲ୍ଲୀପ ସିଂହ ଆଲୋଚନା କରିବେ ବୋଲି ସୂଚନା ରହିଛି ।

ଆସନ୍ତା ମାସରେ ଓ୍ୱାଶିଂଟନରେ ହେବାକୁ ଥିବା ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ପ୍ରସ୍ତୁତି ମଧ୍ୟ ଦଲ୍ଲୀପ ସିଂହଙ୍କ ଗସ୍ତ ସମୟରେ ହେବାର ସମ୍ଭାବନା ରହିଛି। ଏହି ବୈଠକକୁ ଭାରତର ବୈଦେଶିକ ମନ୍ତ୍ରୀ ଏବଂ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯିବାର କାର୍ଯ୍ୟକ୍ରମ ରହିଛି। ଏପ୍ରିଲ୍ ୧୧ ତାରିଖ ପାଖାପାଖି ଏହି ଆଲୋଚନା ହେବାର ସମ୍ଭାବନା ରହିଛି। ଜୟଶଙ୍କର ଏବଂ ରାଜନାଥ ସିଂହ ଓ୍ୱାଶିଂଟନ ଯାଇ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଂକେନ୍ ଏବଂ ପ୍ରତିରକ୍ଷା ସଚିବ ଲୟଡ ଅସ୍ଟିନଙ୍କ ସହ ଆଲୋଚନା କରିବେ।

ଉଲ୍ଲେଖଯୋଗ୍ୟ, ଭାରତ ଏଯାଏ ୟୁକ୍ରେନ୍ ଉପରେ ଆକ୍ରମଣ ପାଇଁ ରୁଷିଆକୁ ସମାଲୋଚନା କରିନି ଏବଂ ଋଷିଆ ଆକ୍ରମଣକୁ ନିନ୍ଦା କରି ଜାତିସଂଘ ମଞ୍ଚରେ ଭୋଟରୁ ଦୂରେଇ ରହିଛି। ତେବେ ଗତ ଗୁରୁବାର ୟୁକ୍ରେନରେ ଦେଖାଦେଇଥିବା ମାନବିକ ସଙ୍କଟକୁ ନେଇ ଋଷିଆ ପକ୍ଷରୁ ଆଗତ ପ୍ରସ୍ତାବରେ ଭାରତ ମଧ୍ୟ ଅନୁପସ୍ଥିତ ଥିଲା । କୂଟନୀତି ଓ ଆଲୋଚନା ମାଧ୍ୟମରେ ଏହି ସଙ୍କଟର ସମାଧାନ ପାଇଁ ଭାରତ ଦାବି କରିଆସୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧ ବେଳେ ତିନି ଥର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଫୋନ୍ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ହୋଇପାରିବ ବୋଲି ଯୁକ୍ତି ବାଢିଛନ୍ତି।

ସେହିପରି ବ୍ରିଟେନର ବୈଦେଶିକ ସଚିବ ଲିଜ୍ ଟ୍ରସ୍ ଆସନ୍ତାକାଲି ଭାରତ ଗସ୍ତରେ ଆସୁଥିବା ବେଳେ ଜର୍ମାନୀର ବୈଦେଶିକ ଓ ସୁରକ୍ଷା ନୀତି ପରାମର୍ଶଦାତା ଜେନ୍ସ ପ୍ଲଟନର ଆଜି ନୂଆଦିଲ୍ଲୀ ଆସିବେ ବୋଲି ଜଣାପଡିଛି। ସେହିପରି ଅନେକ ହାଇପ୍ରୋଫାଇଲ୍ ନେତା ଭାରତ ଗସ୍ତରେ ଆସିବାକୁ ଯୋଜନା କରୁଛନ୍ତି ବୋଲି ସୂଚନା ରହିଛି। ବ୍ରିଟେନର ବୈଦେଶିକ ସଚିବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ରହିଛି। ଗତ ସପ୍ତାହରେ ଚୀନର ବୈଦେଶିକ ମନ୍ତ୍ରୀ ଓ୍ୱାଙ୍ଗ ୟି ଭାରତ ଗସ୍ତରେ ଆସିଥିଲେ।

ସେହିପରି ଗତ ସପ୍ତାହରେ ଆମେରିକାର ରାଜନୈତିକ ବ୍ୟାପାର ଉପମନ୍ତ୍ରୀ ଭିକ୍ଟୋରିଆ ନୁଲାଣ୍ଡ ଏବଂ ଅଷ୍ଟ୍ରିଆ ଓ ଗ୍ରୀସର ବୈଦେଶିକ ମନ୍ତ୍ରୀ ମଧ୍ୟ ଭାରତ ଗସ୍ତରେ ଆସିଥିଲେ।

ଉଲ୍ଲେଖଯୋଗ୍ୟ, ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ସାରା ବିଶ୍ୱର ନଜର ରହିଛି ଭାରତ ଉପରେ । ନିକଟରେ କ୍ୱାର୍ଡ ଦେଶର ନେତା ମଧ୍ୟ ସ୍ୱୀକାର କରିଥିଲେ ଯୁଦ୍ଧ ସମୟରେ ଭାରତ ଯେଉଁଭଳି ଆଭିମୁଖ୍ୟ ରଖୁଛି ତାହା କେବଳ ଚାପ ମୁକ୍ତ ବୈଦେଶିକ ନୀତିକୁ ବୁଝାଏ  । ସେହିପରି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମଧ୍ୟ ଭାରତର ବୈଦେଶିକ ନୀତିକୁ ପ୍ରଶଂସା କରିଥିଲେ। ଏବେ କିନ୍ତୁ ଯୁଦ୍ଧ ବେଳେ ପରସ୍ପରର ଘୋର ଶତ୍ରୁ ସାଜିଥିବା ଆମେରିକା ଏବଂ ଋଷ ଭାରତମାଟିରେ ନିଜର ରଣନୀତି ତିଆରି କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.