Latest Odisha News

ପଞ୍ଜାବ ସରକାରର ନିଷ୍ପତ୍ତି ଆଗରୁ ଘରେ ଘରେ ପିଡିଏସ ପହଞ୍ଚାଉଛନ୍ତି ଓଡ଼ିଶାର ସରପଞ୍ଚ

ଭୁବନେଶ୍ୱର: ବଣ ମଲ୍ଲୀ ବଣରେ ମଉଳି ଯାଏ! ଯଦି ଏହି ମଲ୍ଲୀ ସହରରେ ଫୁଟିଥାନ୍ତା ତାହେଲେ ଅନେକ ଯତ୍ନ ଏବଂ ପ୍ରଶଂସା ପାଇଥାନ୍ତା ନିଜ ଗୁଣକୁ ନେଇ । ଏବେ ସମାନ କଥା ଘଟିଛି ଓଡ଼ିଶାର ଜଣେ ସରପଞ୍ଚଙ୍କ କ୍ଷେତ୍ରରେ ଯାହାଙ୍କ ନାମ ବନମାଳି ନାଏକ । ସେ ନିର୍ବାଚନରେ ବିଜୟୀ ହେବା ପରେ ପ୍ରତିଶ୍ରୁତି ଅନୁଯାୟୀ ହିତାଧିକାରୀଙ୍କୁ ପିଡିଏସ ଚାଉଳ ଏବଂ କିରୋସିନି ଘରେ ଘରେ ଯାଇ ପହଞ୍ଚାଉଛନ୍ତି । ତେବେ ଏ ଖବର କିନ୍ତୁ ସେତିକି ଚର୍ଚ୍ଚାକୁ ଆସିନି ଯେମିତି ପଞ୍ଜାବର ଭଗଓ୍ୱନ୍ତ ମାନ୍ ସରକାର ସମାନ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ହୋଇଛି ।

୨୮ ତାରିଖରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ୍ ଘୋଷଣା କରିଛନ୍ତି, ତାଙ୍କ ରାଜ୍ୟରେ ରାସନ ସାମଗ୍ରୀ ଘରେ ଘରେ ପହଞ୍ଚାଯିବ । ମାନ କହିଛନ୍ତି, ରାସନ ପାଇବା ପାଇଁ ପ୍ରାୟତଃ ଲୋକଙ୍କୁ ସେଦିନର କାମ ଧନ୍ଧା ଛାଡିବାକୁ ପଡେ। ଡିପୋରୁ ରାସନ ପାଇବା ପାଇଁ ବୃଦ୍ଧ ମହିଳାମାନଙ୍କୁ ଅନେକ କିଲୋମିଟର ଚାଲିବାକୁ ପଡେ । ଏବେ କିନ୍ତୁ ହିତାଧିକାରୀଙ୍କ ଘରେ ସରକାର ପିଡିଏସ ସାମଗ୍ରୀ ପହଞ୍ଚାଇବେ । ତେବେ ମାନଙ୍କ ଏହି ଘୋଷଣାକୁ ନେଇ ସବୁଠି ଚର୍ଚ୍ଚାର ଶିରୋନାମା ପାଲଟିଛି । ଏପରି ଏକ ଘୋଷଣା ହୋଇଥିବା ରାଜ୍ୟର ବହୁ ଦୂରରେ ଥିବା ଓଡ଼ିଶାର ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ଧୁମାଭଟ ଗାଁର ସରପଞ୍ଚ ବନମାଳୀ ନାଏକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦେଇଥିବା ସମାନ ପ୍ରତିଶ୍ରୁତି ମୁତାବକ ହିତାଧିକାରୀଙ୍କ ଘରେ ରାସନ ସାମଗ୍ରୀ ପହଞ୍ଚାଇଛନ୍ତି।

ମଙ୍ଗଳବାର ସକାଳେ ଟ୍ରାକ୍ଟରର ରାସନ ସାମଗ୍ରୀ ନେଇ ସରପଞ୍ଚ ବନମାଳି ଗାଁରେ ପହଞ୍ଚିଥିଲେ । ଆଉ ଯଥାଶୀଘ୍ର ହିତାଧିକାରୀଙ୍କୁ ନିଜ ନିଜର ସାମଗ୍ରୀ ସଂଗ୍ରହ କରିବାକୁ ଡାକିଥିଲେ। ଏଠିକାର ଲୋକ ନିଜର ପିଡିଏସ ସାମଗ୍ରୀ ପାଇବାକୁ ଦୂର ବାଟ ଯାତାୟତ କରନ୍ତି । ତେଣୁ ସରପଞ୍ଚ ହେଲେ ଏସମସ୍ୟାର ସମାଧାନ ହେବ ବୋଲି କହି ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ବନମାଳୀ । ଯାହା ଏବେ ସେ ପୂରଣ କରିଛନ୍ତି।

ବନମାଳି କହିଛନ୍ତି, ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ସେ ସେମାନଙ୍କ ରାସନକୁ ଗାଁରେ ପହଞ୍ଚାଇବେ। ସେମାନେ ମୋ ଉପରେ ଭରସା କରି ମୋତେ ନିର୍ବାଚନ ଜିତାଇବାରେ ସାହାଯ୍ୟ କରିଥିଲେ। ସେମାନେ ଭୋଟ୍ ଦେଇ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି ଏବଂ ଏବେ ମୋର ପ୍ରତିଶୃତି ରକ୍ଷା କରିବାର ପାଳି ଆସିଛି । ମୁଁ ଏବେଠାରୁ ପାଞ୍ଚ ବର୍ଷ ଯାଏ ସେମାନଙ୍କ ଆବଶ୍ୟକତା ଏପରି ପୂରଣ କରିବି ।

ମାସିକିଆ ରାସନ ସଂଗ୍ରହ କରିବାକୁ ଆସିଥିବା ଜଣେ ବୃଦ୍ଧା କହିଛନ୍ତି, ଆମ ଗାଁରେ ଏହାକୁ ପାଇ ମୁଁ ଅତ୍ୟନ୍ତ ଖୁସି। ବ୍ଲକ ଅଫିସରେ ରାସନ ପାଇବା ପାଇଁ ଆମକୁ ୬-୭ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା। କିନ୍ତୁ ବନମାଳି ନାଏକଙ୍କୁ ଧନ୍ୟବାଦ, ଆମେ ଏବେ ୧୦ ମିନିଟ୍ ଭିତରେ ଏହା ପାଇପାରିବା ।

Leave A Reply

Your email address will not be published.