Latest Odisha News

BREAKING NEWS

ବ୍ୟଙ୍ଗ : ଆତ୍ମସ୍ମୃତି ବନାମ ଆତ୍ମସ୍ତୁତି

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ ବିଭାଗ 

ମୋର କାଲି ଇଚ୍ଛା ହେଲା ମୁଁ ମୋ ପିଲାଦିନର ସ୍ମୃତି ସବୁକୁ ବନେଇ ଚୁନେଇ ଗୋଟିଏ ଆତ୍ମସ୍ମୃତି ଲେଖିବି । ସେଥିପାଇଁ ଫେସବୁକକୁ ବହୁତ ଅଣ୍ଡାଳି ଅଣ୍ଡାଳି କିଛି ଆଇଡ଼ିଆ ପାଇଲି । ଫେସବୁକ୍ ମନ୍ଥନରୁ ଆଜି କାଲି ମାର୍କେଟ ନେଉଥିବା ଚାରି ପାଞ୍ଚଟା ପଏଣ୍ଟ ପାଇଛି । ଯାହା ବୁଝିଲି ପ୍ରାୟ ଦୁଇ ପ୍ରକାର ସ୍ମୃତି ଚାରଣର ଏବେ ମାର୍କେଟରେ ଭଲ ଚାହିଦା ଅଛି । ଗୋଟିଏ ହେଲା- ମୁଁ ପିଲାଦିନେ ଖୁବ ବହି ମନସ୍କ ଥିଲି । ଭଲ ଭଲ କବିତା ବହି ଦେଖିଲେ ଭୋକ ଶୋଷ ଭୁଲି ତାକୁ ନସାରିବା ଯାଏଁ ରହିପାରେନି ।ବାପା ସବୁ ବହି କିଣି ଦେଇପାରନ୍ତି ନାହିଁ । ତେଣୁ ପ୍ରତିଦିନ ସ୍କୁଲ ପାଇଁ ପାଉଥିବା ପଚିଶ ପଇସାକୁ ସଞ୍ଚି ସେଇ ପଇସାରେ ମୋ ପ୍ରିୟ କବିଙ୍କ ବହିଟି କିଣେ । ଘରେ କାଳେ କିଏ ଦେଖିଦେବ ତେଣୁ ଲୁଚେଇ ଲୁଚେଇ ପଢେ । ଅନେକ ଥର ଧରା ପଡି ମାଆଠୁ ଗାଳି ଖାଇଛି । କେତେଥର ବହି ନେଇ ବାରି ଆଡେ ଚାଲିଯାଏ । ନଡ଼ାଗଦା ପଛପଟେ ଲୁଚିକି ପଢେ । ସ୍କୁଲରେ ପଢିବା ବେଳେ ଅମୁକ ପତ୍ରିକାରେ ମୋର ପ୍ରଥମ ଲେଖା ବାହାରିଥିଲା । ଡରରେ ଘରେ କାହାକୁ କହି ନଥିଲି ଇତ୍ୟାଦି ଇତ୍ୟାଦି ।

ସେମିତି ଆଉ ଗୋଟେ ପ୍ରକାରର ସ୍ମୃତି ଚାରଣ ଦେଖିଲି । ଏଥିରେ ପ୍ରାୟ ଦୁଇଟି ଜିନିଷ କମନ୍ ଅର୍ଥାତ ପିଲାଦିନେ ମୁଁ ଭାରି ଦୁଷ୍ଟ ଥିଲି ଓ ଥରେ ମିଛ କହି ଧରା ପଡିଲି । ବାପା ବହୁତ ଛେଚିଲେ । ତା’ପରେ ବାପା ବହୁତ ମନଦୁଃଖ କରି ଦୁଇଦିନ ଖାଇଲେ ନାହିଁ । ବୋଉ କେତେ ବୁଝେଇଲା, ରାଣ ନିୟମ ପକେଇଲା । ତା’ ପରେ ଯାଇ ବାପା ଖାଇଲେ । ଏଇ ଘଟଣା ମୋତେ ଏତେ ମାତ୍ରାରେ ପ୍ରଭାବିତ କଲା ଯେ ଜୀବନ ଯାକ ମୁଁ ଆଉ ମିଛ କହିନି ।

ଏମିତି ସବୁ ଯୁଗଜନ୍ମାଙ୍କ ପିଲା ଦିନ କଥା ପଢି ମୁଁ ଭାବେ, ସତରେ ଯଦି ସବୁ ବାପାମାନେ ଏହାକୁ ପଢି ସେମାନଙ୍କ ପିଲାମାନଙ୍କୁ ଗୋଗଛ ପିଟନ୍ତେ ଓ ବୋଉ ରାଣ ନିୟମ ନ ପକେଇଲା ଯାଏଁ ବାପାମାନେ ଦୁଇ ତିନି ଦିନ ଖାଇବା ବନ୍ଦ କରିଦିଅନ୍ତି ବା ଦେଉଥାଆନ୍ତେ ତେବେ ଅନେକ ପିଲା ଏ ଦେଶରେ ସତ୍ୟବାନ ଅଥବା ସତ୍ୟକାମ ଜାବାଳ ହୋଇ ବାହାରନ୍ତେ । ଏ ଦେଶରେ ସତରେ ସତ୍ୟ ଯୁଗ ଆସିଯାଆନ୍ତା । କିନ୍ତୁ ହାଏରେ…! ଦେଶ ଭାଗ୍ୟରେ ସତ୍ୟଯୁଗ କାହିଁ ଦୂର ଦୂର ପର୍ଯ୍ୟନ୍ତ ଆଖିକୁ ଦୃଶ୍ୟ ହେଉନି । ଏଥିରେ ଭୁଲ କାହାର ? ସତ୍ୟଯୁଗ ବିରୋଧୀ ବାପାମାନଙ୍କର ନା’ ସମ୍ବେଦନହୀନ ତଥା ପ୍ରଭାବଶୂନ୍ୟ ସମାଜରେ ବଢୁଥିବା ପିଲାମାନଙ୍କର ?

ଏସବୁ ପଢି ପଢି ମନ ଭିତରେ ବିରକ୍ତ ଭାବ ଆସିଗଲା । ଭାବିଲି କିଛି ମହାପୁରୁଷଙ୍କ ଜୀବନୀ ପଢ଼ିବି । କିନ୍ତୁ ଭାଗ୍ୟକୁ ସେଠି ବି ସେଇ ଅବସ୍ଥା । ପ୍ରାୟ ସବୁ ମହାପୁରୁଷ ସାତ ଆଠ କିଲୋମିଟର ଚାଲି ଚାଲି ବେକେ ଯାଏଁ ପାଣିଥିବା ଦୁଇଟି ନଦୀ ପାର କରି ପ୍ରତିଦିନ ସ୍କୁଲ ଯାଉଥିଲେ । ବାପା ଥିଲେ ଜଣେ ନିରାସକ୍ତ, କର୍ମଠ ଓ ସାଧାରଣ ସଚ୍ଚୋଟ ଚାଷୀ । ସ୍କୁଲ ପାଇଁ ମାତ୍ର ଦୁଇ ହଳ ଜାମା । ପୁରୁଣା ବହି ଦେଖି ଥରେ ସାର ତାଙ୍କୁ ବିରକ୍ତ ହେଲେ । କିନ୍ତୁ ସାର ଯେତେବେଳ ଜାଣିଲେ ନୂଆ ବହି କିଣିବା ପାଇଁ ତାଙ୍କ ବାପାଙ୍କ ପାଖରେ ଅର୍ଥ ନାହିଁ ସେ ବହୁତ ଅନୁତାପ କଲେ । ସାର ନିଜ ଦରମାରୁ ନୂଆ ବହି ସେଟ କିଣି ତାଙ୍କୁ ଦେଲେ । ସେଇ ବର୍ଷ ସେ ତାଙ୍କ ଜିଲ୍ଲାରେ ପ୍ରଥମ ହୋଇଥିଲେ । ପ୍ରାୟ ସବୁ ମହାପୁରୁଷଙ୍କ ପିଲାଦିନ ଘୋର ଆର୍ଥିକ ଅନାଟନ ଭିତରେ କଟିଛି । ଲାଗୁଛି ଯେମିତି ବଡ଼ ଲୋକ ହେବା ପାଇଁ ଗରିବ ଘରେ ଜନ୍ମ ହେବା ଅପରିହାର୍ଯ୍ୟ ।

ପିଲାଙ୍କୁ ମୁଁ ଆଗରୁ ମହାପୁରୁଷଙ୍କ ଜୀବନୀ ବହି କିଣି ଦେଉଥିଲି । ମହାପୁରୁଷଙ୍କ ଜୀବନୀ ପଢିଲେ ସେମାନଙ୍କ ପ୍ରଭାବ ପିଲାଙ୍କ ଉପରେ ପଡିବ ବୋଲି ମୋର ଏକ ଧାରଣା ଥିଲା । ଏମିତିରେ ପିଲାମାନଙ୍କ ଉପରେ ବହୁତ ଜିନିଷର ପ୍ରଭାବ ପଡେ । ଆମ ବେଳେ ବି ଅନେକ କଥାର ପ୍ରଭାବ ଆମ ଉପରେ ପଡୁଥିଲା । କିନ୍ତୁ ଏବର ଛୁଆମାନଙ୍କ ଉପରେ ଟିକେ ଶୀଘ୍ର ଓ ଅଧିକ ମାତ୍ରାରେ ପଡୁଛି । ରିକ୍ସା ବାଲାର ପୁଅ ଆଇ.ଏ.ଏସ୍ ପାଇଲା । ରିକ୍ସା ବାଲା ପୁଅ ମେଡ଼ିକାଲ ଟପର ହେଲା । ତାକୁ ଦେଖି ମୋ ପତ୍ନୀ ପୁଅକୁ ସବୁବେଳେ ବକିବେ ।’ ଦେଖୁଛୁ ତ ସେ ଗରିବ ଘର ଛୁଆ କେମିତି ପାଠ ପଢି ଟପର ହେଲା । ଆଉ ତୋତେ ଏତେ ସୁବିଧା ସୁଯୋଗ ଦେଇ ପରିକ୍ଷାରେ ଡିମ୍ବ ଆଣୁଛୁ । ଏଇଟା ନହେଲେ ଖାଇବିନି, ସେଇଟା ନହେଲେ ପିନ୍ଧିବିନି । ନୂଆ ଖାତା ନୂଆ ସ୍କୁଲ ଡ୍ରେସ ନହେଲେ ସ୍କୁଲ ଯିବିନି । ଦିନକୁ ଦିଟା ପେନ୍ସିଲ ହଜଉଛୁ । ଦେଖେ ରିକ୍ସାବାଲା ବାପର ପୁଅକୁ । ଓଳିଏ ଖାଇଲେ ଓଳିଏ ଉପାସ । ସେଇଥିରେ ଆଜି ପାଠ ପଢି କେତେ ନାଁ କଲାଣି । ଆଉ ଧନ ତୁ ଆମର ଗୋଟାଏ ବୋଲି ପୁଅ, ଆମ ନାଁ ରଖିବୁ ନା ନାହିଁ ? ତୋ ଫୋଟ ଟିକେ ଖବରକାଗଜରେ ଦେଖିବି ନା ନାହିଁ ? ଛାଡ଼ ସବୁ ଆମ ଭାଗ୍ୟ । ବୋପାକୁ ତ ବେପାରରୁ ଫୁରସତ ମିଳୁନି । କେତେଥର କହିଲିଣି, ପୁଅ ପାଇଁ ଆଉ ଦିଟା ଟିଉସନ ମାଷ୍ଟ୍ର ଯୋଗାଡ଼ କର । କ’ଣ ମୋ କଥା କିଏ ଏ ଘରେ ଶୁଣୁଛି ?’

ମିଡ଼ିଆର ଏ ସବୁ ଷ୍ଟୋରିରେ ପ୍ରଭାବିତ ହୋଇ ମୋ ପୁଅ ଦିନେ ମୋତେ ପଚାରିଲା, ‘ବାବା ତୁମେ ଏ ବେପାର ଛାଡି ରିକ୍ସା ଚଲେଇଲେ ହୁଅନ୍ତା ନାହିଁ ?’ ବୋଧେ ଆଉ କିଛି ପଚାରିଥାନ୍ତା କିନ୍ତୁ ପାଖରେ ପତ୍ନୀ ଥିଲେ ,ପୁଅ ମୁହଁରେ ହାତ ଦେଇ ଆକଟ କରିଦେଲେ- ‘ଛିଃ,ଏମିତି କୁହନ୍ତିନି ! ବ୍ୟାଡ ମ୍ୟାନର ।’

ପୁଅ ସିନା ଆଉ କିଛି ପଚାରି ପାରିଲା ନାହିଁ କିନ୍ତୁ ତା ମନ ଭିତରେ ଅନେକ ଅସମାହିତ ପ୍ରଶ୍ନ ନିଶ୍ଚେ ଉଠୁଥିବ । ସେ ଆଇଏଏସ୍ ପିଲା କେତେ ଭାଗ୍ୟବାନ ତା ବାପା ତା ପାଇଁ କେତେ ତ୍ୟାଗ କରୁଛନ୍ତି । କେତେ ପରିଶ୍ରମ କରି ରିକ୍ସା ଚଲଉଛନ୍ତି । କିନ୍ତୁ ମୋ ବାପା ବୋଧେ ମୋତେ ଭଲ ପାଉନାହାନ୍ତି । ଭଲ ପାଉଥିଲେ କଣ ସେ ମୋ ଭବିଷ୍ୟତ ପାଇଁ ବେପାର ବନ୍ଦ କରି ରିକ୍ସା ଚଲଉ ନଥାନ୍ତେ ! କଣ ଦରକାର ମୋ ପାଇଁ ଫି ବର୍ଷ ଦୁଇ ସେଟ ବହି କିଣିବା । ଏଥର ମୁଁ ଚିରା ବହି ନେଇ ସ୍କୁଲ ଯିବି । ସାର ପଚାରିଲେ କହିବି ମୋ ବାପାଙ୍କ ପାଖରେ ନୂଆ ବହି କିଣିବା ପାଇଁ ପଇସା ନାହିଁ । ସାର ମୋତେ କୁଣ୍ଢେଇ କାନ୍ଦ କାନ୍ଦ ହେଇଯିବେ ଆଉ ତା ପରେ ମୋତେ ତାଙ୍କ ଦରମା ଟଙ୍କାରୁ ନୂଆ ବହି କିଣିକି ଦେବେ । ମୁଁ ଆମ କଟକ ଜିଲ୍ଲାରେ ପ୍ରଥମ ହେବି ।

ଏ ସବୁ ଶିଶୁ ମନୋବିଜ୍ଞାନର ପାଠ । ପିଲାଙ୍କ ଉପରେ ଏପରି ଜୀବନୀ ଅଥବା ଖବର ସବୁ କି ପ୍ରକାର ପ୍ରଭାବ ପକଉଛି ତାହା ଲେଖିଲେ ଥାକେ କାଗଜ ହେବ । ଛାଡ଼ନ୍ତୁ ସେ ସବୁ ବୌଦ୍ଧିକ ତତ୍ତ୍ୱ । ବବି ମ୍ୟାଡାମଙ୍କ ଲେଖାରେ ସେ ସବୁ ଶିଶୁ ମନୋବିଜ୍ଞାନ, ନିଷ୍ପାପ ଶିଶୁର ମାନସିକତା ଇତ୍ୟାଦି କଥା ସୁନ୍ଦର ଦିଶିବ । ଆମେ ଶିଶୁ ମନସ୍ତତ୍ତ୍ୱ ବିଷୟରେ ଅଧିକା ଲେଖିଲେ ଲୋକେ କହିବେ କୋଉଠୁ ଉତାରି ଦେଇଛି । ଛାଡ଼ନ୍ତୁ ସେଦିନ ପୁଅ ବିଷୟରେ ଭାବି ମନଟା ଅଥୟ ଲାଗୁଥାଏ । ସନ୍ଧ୍ୟାରେ ଶୀଘ୍ର ଘରକୁ ଫେରି ଦେଖେତ ପୁଅ ମନ ଦୁଃଖରେ ତଳକୁ ମୁଣ୍ଡ ପୋତି ବସିଛି ତା ପାଖରେ ତା ମାମା ମୁଣ୍ଡରେ ହାତ ଦେଇ ସକଉଛି । ମୋତେ ଦେଖି ପତ୍ନୀ କହିଲେ- “ଦେଖ ତୁମ ପୁଅ କଣ କରିଛି । ନୂଆ ବହି ସବୁ ଚିରି ଧୁନଧୁନା କରିସାରିଲେଣି । କହୁଛି କଣ ନା ତା ସ୍କୁଲ ସାର କାଳେ ଏ ଚିରା ବହି ଦେଖିଲେ ତାକୁ ନୂଆ ବହି କିଣିକି ଦେବେ । ମୋ ମୁଣ୍ଡ ଛୁଇଁ ସତ କହିଲ ତୁମେ ବାହାବେଳେ ଯାହା ସବୁ ପାଠ ପଢିଛ ବୋଲି ମୋ ବାପାଙ୍କୁ କହିଥିଲ ସେ ସବୁ ସତ ନା ମିଛ । ଏମିତିକା ପାଷାଣ୍ଡ କେମିତି ମୋ କୋଳରେ ଜନ୍ମ ହେଲା କେଜାଣି ! ପିଟି ପିଟି ମୋର ଚୁଡ଼ି ମୁଠାକ ଗଲାଣି । ମୁଁ ଆଉ ବୁଝେଇପାରିବିନି ଏ ଛୁଆକୁ । ଏବେ ତୁମେ ବୁଝ, ତୁମ ପୁଅ ବୁଝୁ । ମୋ ମୁଣ୍ଡରେ କିଛି ପଶୁନି ।”

ମୋର କିନ୍ତୁ ପୁଅ ଉପରେ ଯେତିକି ରାଗ ଆସୁନଥିଲା ତା’ଠୁ ଅଧିକା ସେ ମହାପୁରୁଷଙ୍କ ଜୀବନୀ ବହି ଉପରେ ଆସୁଥିଲା । କ’ଣ ଦରକାର ପିଲାଦିନର ଦୁଃଖ କଷ୍ଟ କାହାଣୀ ଲେଖିବା । ସେଦିନ ରାତିରେ କିଛି ନଖାଇ ଶୋଇପଡ଼ିଲି । ସ୍ୱପ୍ନ ଦେଖିଲି ମୋ ପତ୍ନୀ ଆସି ମୋତେ ରାଣ ପକେଇ ଖାଇବାକୁ ଡାକୁଛନ୍ତି । ପୁଅ ଉପରେ ଏହାର ପ୍ରଭାବ ପଡୁଛି । ଜୀବନ ଯାକ ଆଉ ବହି ଚିରିବନି ବୋଲି ଶପଥ କରୁଛି । କିନ୍ତୁ ହାୟ ରାତି ପାହି ଗଲା ପଛେ କେହି ଟିକେ ଡାକିଲେନି । ମନ ଭାରି ବିଷାଦଗ୍ରସ୍ତ ହୋଇଗଲା । ମୋ ପୁଅ ତାହାହେଲେ କଣ ଆଉ ଜୀବନ ଯାକ ବହି ନଚିରିବା ପାଇଁ ଶପଥ ନେବନି ? ହେ ଭଗବାନ ରକ୍ଷାକର !

ମନ ଦୁଃଖରେ ସେଦିନ ସକାଳୁ ପଡିଶା ଘରେ ରହୁଥିବା ଶ୍ରୀମାନ ଭାଇଙ୍କ ଘରକୁ ଗଲି । ପଚାରିଲି, “ଭାଇ ସତ କହିଲ ସବୁ ମହାପୁରୁଷ କଣ ପିଲାଦିନେ ଏମିତି କଷ୍ଟ କରିଥିଲେ ? ଭାଇ ଆକାଶ ଆଡେ ଅନେଇ କହିଲେ- “ମୋତେ ବି ସେମିତି ଲାଗେ । ପ୍ରାଚୁର୍ଯ୍ୟ ଭିତରେ ବଢି ମହାପୁରୁଷ ବନିଥିବା ଲୋକ ହାତ ଗଣତି ଥିବେ । କିନ୍ତୁ ପ୍ରାୟ ସବୁ ମହାପୁରୁଷ ନିପଟ ଗରିବ ଘରେ ହିଁ ଜନ୍ମ ହୁଅନ୍ତି । ମୁଁ ଭାବୁଛି ଏଇଟା ଗୋଟେ ଷ୍ଟାଇଲ । ଦେଖୁନୁ ଆମ ରଞ୍ଜିତ ଭାଇଙ୍କୁ । ନାଁ ଡାକ ଜମିଦାରଙ୍କ ଗୋଟିଏ ବୋଲି ସନ୍ତାନ । କେତେ ସୁଖରେ ବଢ଼ିଛନ୍ତି । ସବୁ ଆମ ଆଖି ଦେଖା କଥା । ଦିଲ୍ଲୀରେ ପିଏଚଡି କରିବାକୁ ଯାଇଥିଲେ । ସରୁ ସରୁ କୋଡିଏ ବର୍ଷ ଲାଗିଗଲା । ସେଠୁ ଫେରି ଜମିଦାରୀ ସୁଧ ବେପାର ସମ୍ଭାଳୁଛନ୍ତି । ତୁ ତାଙ୍କ ଆତ୍ମଜୀବନୀ ପଢିଛୁ ଟି ? କଣ ଲେଖିଛନ୍ତି, ବାପା ବୋଉ ଙ୍କ ବାରଣ ସତ୍ତ୍ୱେ ସେ ଦିଲ୍ଲୀ ଯାଇଁ ପିଏଚଡି କରିବାକୁ ଚାହିଁଲେ । ବାପାଙ୍କ ଭୟରେ ମନ କଥା କହିପାରୁନଥାଆନ୍ତି । ମାମୁଁ ଆସି ବାପାଙ୍କୁ ବହୁତ ବୁଝେଇଲେ । ଶେଷରେ ତାଙ୍କୁ ଦିଲ୍ଲୀ ଯିବାକୁ ଅନୁମତି ମିଳିଲା । ଦିଲ୍ଲୀରେ ନିଜ ଖର୍ଚ୍ଚ ଉଠେଇବାକୁ ସେ କାଳେ ଖବର କାଗଜ ହକର୍ କାମ କରୁଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପାଠାଗାରରେ ପଢୁ ପଢୁ କେତେବେଳେ ସକାଳ ହୋଇଯାଏ ସେ ଜାଣି ପାରନ୍ତି ନାହିଁ। ଅଖିଆ ଅପିଆ ରହି ପାଠ ପଢିବା ନିଶା ଯୋଗୁଁ ଗୋଟିଏ ବର୍ଷରେ ପିଏଚଡ଼ି ସାରିଦେଲେ । ତାଙ୍କ ପିଲାଦିନ ସ୍ମୃତିକୁ ପଢିଲେ ଆଖିରେ ଲୁହ ଆସିଯିବ । ହା ହା ହା, ଜାଣିଲୁ ବାବୁ ଏହାକୁ ଆତ୍ମ ସ୍ମୃତି ନୁହଁରେ ଆତ୍ମ ସ୍ତୁତି କହନ୍ତି । ବୁଝିଲୁ ଏସବୁ ଆତ୍ମଜୀବନୀ ଲେଖାର ଗୋଟେ ଷ୍ଟାଇଲ । ନିଜ ପିଲାଦିନେ କେମିତି ଦୁଃଖ କଷ୍ଟରେ ପାଠ ପଢ଼ିଛନ୍ତି, ପିଲାଦିନେ କେତେ ଦୁଷ୍ଟ ଥିଲେ, ଥରେ କେମିତି ମିଛ କହିଥିଲେ ବୋଲି ଆତ୍ମଗ୍ଲାନି ତାଙ୍କୁ ମାଡିବସିଲା, ବାପାଙ୍କୁ ସବୁ ସତ କଥା କହି ସୁଧୁରିଗଲେ । ଏସବୁ ନଲେଖିଲେ କେହି ତୁମ ଜୀବନୀକୁ ଗୁରୁତ୍ୱ ଦେବେନି, ବୁଝିଲୁ । ହେଲେ ସକାଳୁ ସକାଳୁ ଏ ସବୁ ମୋତେ କାହିଁକି ପଚାରୁଛୁ ?”

ମୁଁ କହିଲି,’ ଭାଇ କଥା କଣ କି ଗତକାଲି ଫେସବୁକରେ ବବି ମାଡାମ ନିଜର ପିଲାଦିନ ସ୍ମୃତିକୁ ଫେସବୁକରେ ଲେଖିବା ପାଇଁ ସମସ୍ତଙ୍କୁ କହିଛନ୍ତି । ଲେଖି ସାରି ତାଙ୍କୁ କାଳେ ଟ୍ୟାଗ୍ କରିବା ପାଇଁ ପଡିବ । ସମସ୍ତେ ପଢିବେ । ସମସ୍ତେ ଉଦବୁଦ୍ଧ ହେବେ । ସବକା ସାଥ୍ ସବକା ବିକାଶ । ବହୁତ ଗୁଣି ଜ୍ଞାନୀ ଲୋକ ଲେଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତୁମେ ବି ସେଠି ଗୋଟେ କମେଣ୍ଟ ଦେଇଛ ଦେଖିଥିଲି । ଆଉ ତୁମେ ତ ସବୁ ମୋର ଗୌରବମୟ ଇତିହାସ ଜାଣିଛ । ସେସବୁ ଲେଖିଲେ ଇଜ୍ଜତ ରହିବଟି ? କଥା କଣ କି ନିଜର ହେତୁ ପାଇଲା ପରଠୁ ଯାହା କିଛି ମନେପଡୁଛି ତାର ସ୍ମୃତି ଚାରଣ କଲେ ଦୀର୍ଘ ବର୍ଷ ଧରି ପତ୍ନୀଙ୍କ ସାମନାରେ ନିଜକୁ ଯେଉଁ ମର୍ଯ୍ୟାଦା ପୁରୁଷର ଚିତ୍ରଣ କରିଛି, ସେ ଚୁନ୍ ଭୂତ୍ ହୋଇ ଯିବନି ? ପତ୍ନୀ ଏବେ ବି ଭାବନ୍ତି ତାଙ୍କ ଭାଗ୍ୟରେ ବୃହସ୍ପତି ଦଶମ ସ୍ଥାନରେ ଥିଲା ବୋଲି ମୋ ଭଳି ଜଣେ ଯୁଗଜନ୍ମାଙ୍କ ପାଣିଗ୍ରହଣ କରିଛନ୍ତି । ଆଉ ମାସଟା ପରେ ସାବିତ୍ରୀ ଅମାବାସ୍ୟା । ସବୁ ପତିଦେବଙ୍କ ଭଳି ମୁଁ ମଧ୍ୟ ସାବିତ୍ରୀ ଅମାବାସ୍ୟା ଦିନଟିକୁ ଅପେକ୍ଷା କରିଥାଏ । ସ୍ତ୍ରୀ ଯେତେ ଉଦଣ୍ଡି ହେଲେବି ଏହି ଦିନ ପତିଦେବଙ୍କ ପାଦସ୍ପର୍ଶ କରି ସାଷ୍ଟାଙ୍ଗ ମୁଣ୍ଡିଆ ମାରନ୍ତି । ଜାଣିଶୁଣି ବର୍ଷକର ଅତି ଆକାଂକ୍ଷିତ ଏଇ ଦିନଟିକୁ ମିସ୍ କରିବାକୁ ଚାହୁଁନି । ସାବିତ୍ରୀ ଅମାବାସ୍ୟାଟା ଭଲରେ ଭଲରେ ଯାଉ । ତା ପରେ ଦେଖିବା । ଆଉ ରହିଲା ପିଲା ଦିନ ପାଠ ପଢା କଥା । ସେଇଟା ନାଇଟମେୟାର । ପଞ୍ଚମରେ ରେ ପଢ଼ୁଥିବା ଖେଚଡ ପୁଅକୁ ସବୁବେଳେ କହିଆସୁଛି ଆମେ ପିଲାଦିନେ କେମିତି ମୋବାଇଲ ବିଲକୁଲ ଧରୁନଥିଲୁ । ସବୁ ବେଳେ ପାଠ ମନସ୍କ ଥିଲୁ । ଇତ୍ୟାଦି ଇତ୍ୟାଦି । ସତ କଥା ଲେଖିଲେ ସେ ଇଜ୍ଜତ ଟିକକ ଆଉ ରହିବଟି ? ଭାବିଲି ଯାଉଛି କିଛି ମହାପୁରୁଷଙ୍କ ଆତ୍ମ ଜୀବନୀ ଓ ଫେସବୁକ ଖେଳେଇ କିଛି ଭଲ ଭଲ କଥାକୁ ବନେଇ ଚୁନେଇ କରି ଗୋଟେ ଲେଖା ଲେଖିବି । ବବି ମାଡାମଙ୍କୁ ଟ୍ୟାଗ୍ ହେବ ମାନେ ଲେଖାର ମାନଟା ସେମିତିକା ଓଜନଦାର ହେଇଥିବା ଦରକାର । ବହୁତ ଘାଣ୍ଟିଲା ପରେ ଚାରି ପାଞ୍ଚଟା ପଏଣ୍ଟ ପାଇଲି । କିନ୍ତୁ ଏ ମହାପୁରୁଷଙ୍କ ପିଲାଦିନ ସ୍ମୃତି ଯୋଗୁଁ ଆମ ଘରେ ଯେଉଁ ଅବସ୍ଥା ହେଲା ସେଥିରେ ମନ ଭାଙ୍ଗିଯାଉଛି । କଣ କରିବି କିଛି ବୁଝି ପାରୁନି । ସେଥିପାଇଁ ତୁମ ପାଖକୁ ସକାଳୁ ଚାଲିଆସିଲି । ସେ ପାଞ୍ଚଟା ପଏଣ୍ଟ ବିଷୟରେ କିଛି ଜ୍ଞାନ ନେବା ପାଇଁ ।”

ମୋ କଥା ଶୁଣି ଶ୍ରୀମାନ ଭାଇ ଠୋ ଠୋ କରି ହସିଲେ । କହିଲେ,- “ହଇରେ ମାଡୁଆ, କାହିଁ ରାଜା ଚନ୍ଦ୍ରସେନ କାହିଁ ଗଙ୍ଗୁ ତେଲି ! ତୁ ପୁଣି କହୁଛୁ ତୋ ଲେଖାକୁ ବବି ମ୍ୟାମଙ୍କୁ ଟ୍ୟାଗ କରିବୁ । ଭାଗ ଏଠୁ । ଆରେ ସାତ ଜନ୍ମ ଗଲେ ତୁ ତାଙ୍କ ଭଳିଆ କରୁଣ ରସ ଫୁଟେଇ ପାରିବୁ ? ଦି’ପଦ ଲେଖାରେ ପାଠକ ଆଖିରୁ ଠକ୍ ଠକ୍ ଲୁହ ଚିପୁଡି ପାରିବୁ ? ଓଜନଦାର ବର୍ଣ୍ଣନାରେ ପାଠକ ହୃଦୟକୁ ହେଭିୱଟ୍ କରିପାରିବୁ? ପାଠକକୁ ଭାବାସକ୍ତ, ଆତ୍ମମନ୍ଥ, ଛଳ ଛଳ, ବାକ ଶୂନ୍ୟ ଇତ୍ୟାଦି ଇତ୍ୟାଦି କରେଇପାରିବୁ ? ଆରେ ତାଙ୍କ ଚିତ୍ର ଆଗରେ ସାଲଭାଦାର୍ ଡାଲି ବି ଲାଜେଇ ଯିବ । ତାଙ୍କର ଏବେ ଏମିତି ଖ୍ୟାତି ଯେ ସାଦା କାଗଜ ଉପରେ ବିନ୍ଦୁଟିଏ ମାରି ପୋଷ୍ଟ କରିଦେଲେ କେତେ ଜ୍ଞାନୀ ଗୁଣି ଲୋକ ତା ଭିତରେ ଈଶ୍ୱରୀୟ ଆଧ୍ୟାତ୍ମିକ ଚେତନା ଦେଖି ପାରୁଛନ୍ତି । ବିନ୍ଦୁ ଭିତରେ ସିନ୍ଧୁର ବାଖ୍ୟା କରିଦେଉଛନ୍ତି । ତୋ ଭଳିଆ ଗୋଟେ ଆଜନ୍ମ ମାଡୁଆକୁ ସାତ ଜନ୍ମ ଲାଗିବରେ ବବିମ୍ୟାମଙ୍କ ଭଳି ଗପ ମନସ୍କ ହେବାକୁ ।

— “ଆଛା ଭାଇ ତୁମେବି ସେଠି ପ୍ରତିଶ୍ରୁତି ଦେଇଛ ତୁମ ପିଲାଦିନ ସ୍ମୃତି ଲେଖିବ ବୋଲି, କଣ ସବୁ ଲେଖିଛ ?’ ଡରି ଡରି ପଚାରିଲି ।

ମୋ କଥା ଶୁଣି ଭାଇ ଟିକେ ଚିନ୍ତିତ ହୋଇଗଲେ । କହିଲେ – ” କାଲି ରାତି ଅନିଦ୍ରା ହୋଇ ଦିସ୍ତାଏ କାଗଜ ସାରିଛି । ତୁ ଏବେ ଯାହା ସବୁ ପିଲାଦିନ ସ୍ମୃତିର ଗୋଇ ଖୋଲିଲୁଣି ମୁଁ ଆଉ ଲେଖିବିନି । ମୋ ଲେଖା ପ୍ରାୟ ପ୍ରାୟ ମିଶିଯାଉଛି । ଏବେ ଭାବୁଛି, ସମସ୍ତେ ତ ନିଜେ ନିଜକୁ ଭଲ ବୋଲି ଲେଖୁଛନ୍ତି ।ମୋର ଇଚ୍ଛା ମୁଁ ପିଲାଦିନେ କେମିତି ଖରାପ ପିଲା ଥିଲି ସେଇ ବିଷୟରେ ଲେଖିବି । ସେଥିରେ କିଛି କରୁଣରସ, କିଛି ବ୍ୟଙ୍ଗ, କିଛି ଆତ୍ମସମୀକ୍ଷା, କିଛି ପିତୃମାତୃ ଭକ୍ତିରସ ଫେଣ୍ଟିବି, ଆଉ ଯଦି ସମୟ ହେବ କିଛି ସାମ୍ୟବାଦ କିମ୍ବା ଦେଶଭକ୍ତିର ଛୁଙ୍କ ବି ଦେବି । କେମିତି ହେବ କହିଲୁ ? ମୋ ଆପ୍ରୋଚ୍ ଟା ମାର୍କେଟ ଟାଣିବ ନା ନାହିଁ ?”

ମୁଁ କହିଲି- “ଭାଇ ମୋ ମନର କଥା କହିଦେଲ । କିଛି ନହେଲେ ତିନି ଚାରିଟା ସିମ୍ପାଥି କମେଣ୍ଟ୍ ତ ମିଳିଯିବ । ମୋତେ ଟ୍ୟାଗ କରିଦେବ । ମୁଁ ମୋ ସବୁ ମାଡୁଆ ସାଙ୍ଗଙ୍କୁ କହିବି ତୁମ ଲେଖାରେ ଗୋଟେ ଗୋଟେ ଲାଇକ୍ ମାରିବେ ।”
ମୋ କଥା ଶୁଣି ଭାଇ ଚିହିଁକି ଗଲେ । କହିଲେ ତୋତେ କରୋନା ଖାଉରେ ମାଡୁଆ । ମୋ ଭଳିଆ ଲେଖକ କୁ ପୁଣି ତିନି ଚାରିଟା ସିମ୍ପାଥି କମେଣ୍ଟ !! ଯା ଭାଗ୍ ଏଠୁ । ଲକ୍ ଡାଉନରେ ସମସ୍ତଙ୍କ ମୁଣ୍ଡ ଖରାପ । ତୁ ଆଉ ମୋ ମୁଣ୍ଡ ଖାଆନି । ଘରକୁ ଯାଆ । ବାସୀ ପଖାଳ ଖାଇ ଶୋଇପଡ଼ିବୁ ।

© ଓଁ ଅଭିଜ୍ଞାନ ସାହୁ

(ବିଦ୍ର: ଏ ଲେଖାର ଘଟଣାବଳୀ କିମ୍ବା ଉଲ୍ଲେଖ ଥିବା ନାମ ସମୂହ ଯଦି କେଉଁ ଜୀବିତ ଅଥବା ମୃତ ବ୍ୟକ୍ତି ନାମ ବା ଜୀବନୀ ସହ ମିଶିଯାଏ ତେବେ ତାହାକୁ ଆକସ୍ମିକ ଦୁର୍ଘଟଣା ବୋଲି ଭାବିବାକୁ ହେବ । ଏହି ଲେଖାର ଉଦ୍ଦେଶ୍ୟ କାହାର ସମ୍ମାନହାନୀ କରିବା ନୁହେଁ । ବରଂ ଏହାକୁ ସୁଦୁ ପିଠିଗଲୁ ସୃଜନ ଭାବେ ଧରିବାକୁ ଅନୁରୋଧ । କୌଣସି ପ୍ରକାରର କ୍ରିୟା ବିହୀନ ପ୍ରତିକ୍ରିୟା ପାଇଁ କମ୍ପାନୀ ଦାୟୀ ରହିବ ନାହିଁ । ଭୁଲ୍ ଚୁକ୍ ରଫା ଦଫା । E & OE )

Leave A Reply

Your email address will not be published.