Latest Odisha News

BREAKING NEWS

ଡ୍ୟୁଟି ଅବଧି ସରିଲା; ଅନ୍ତର୍ଜାତୀୟ ବିମାନକୁ ଜୟପୁରରେ ଛାଡି ପଳାଇଲେ ପାଇଲଟ୍

ଜୟପୁର: ଏୟାର ଇଣ୍ଡିଆ ଅନ୍ତର୍ଜାତୀୟ ବିମାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ଅନ୍ତର୍ଜାତୀୟ ବିମାନଟିକୁ ଜଣେ ପାଇଲଟ ଜୟପୁର ବିମାନବନ୍ଦରରେ ଛାଡି ଚାଲି ଯାଇଥିବା ଭଳି ଘଟଣା ସାମ୍ନାକୁ ଆସିଛି।

ତେବେ ପ୍ୟାରିସରୁ ଦିଲ୍ଲୀ ଆସୁଥିବା ଏହି ବିମାନରେ ୧୮୦ରୁ ଅଧିକ ଯାତ୍ରୀ ଥିଲେ, କିନ୍ତୁ ଡ୍ୟୁଟି ସମୟ ସମାପ୍ତ ହୋଇଯିବାରୁ ସେଠାରୁ ପାଇଲଟ୍ ଜଣକ ଚାଲିଯାଇଥିଲେ ଯେଉଁ କାରଣରୁ ବିମାନରେ ଥିବା ଯାତ୍ରୀମାନେ ୯ ଘଣ୍ଟା ଧରି ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ତେବେ ଏହି ଘଟଣାଟି ସୋମବାର ଦିନ ସକାଳେ ଜୟପୁର ବିମାନବନ୍ଦରରେ ଘଟିଛି। ଏୟାର ଇଣ୍ଡିଆ ବିମାନ AI-2022 ରବିବାର ରାତି ୧୦ ଟାରେ ପ୍ୟାରିସରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ​​ଏବଂ ସୋମବାର ସକାଳ ୧୦ଟା ୩୫ମି.ରେ ଦିଲ୍ଲୀରେ ପହଞ୍ଚିବାକୁ ଥିଲା। କିନ୍ତୁ ଖରାପ ପାଗ ଯୋଗୁଁ ବିମାନଟି ଦିଲ୍ଲୀରେ ଅବତରଣ କରିପାରିନଥିଲା।

ଏହା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମର ନିର୍ଦ୍ଦେଶରେ ପାଇଲଟ ଦିନ ୧୨ଟା ୧୦ମି.ରେ ଜୟପୁର ଠାରେ ବିମାନ ଅବତରଣ କରାଇଥିଲେ। ଏହା ପରେ ପାଇଲଟ କଣ୍ଟ୍ରୋଲ ସିଷ୍ଟମ ଠାରୁ ବିମାନ ଉଡ଼ାଣ ପାଇଁ କ୍ଲିୟରାନ୍ସ ପାଇଁ ଅପେକ୍ଷାରେ ରହିଥିଲେ ମଧ୍ଯ ମଧ୍ୟାହ୍ନ ପର୍ଯ୍ୟନ୍ତ କୌଣସି କ୍ଲିୟରାନ୍ସ ମିଳିପାରିନଥିଲା। ତେଣୁ ପାଇଲଟ ଜଣକ ଡ୍ୟୁଟି ସମୟ ସମାପ୍ତ ହୋଇଯାଇଥିବା କହି ବିମାନ ଛାଡି ଚାଲିଯାଇଥିଲେ।

ପାଇଲଟଙ୍କ ଏହି ବ୍ୟବହାରରେ ପ୍ୟାରିସରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ଜୟପୁର ବିମାନବନ୍ଦରରେ ଅଟକି ରହିଯାଇଥିଲେ। ତେବେ ଏହାପରେ କିଛି ଯାତ୍ରୀ ବିରକ୍ତ ହୋଇ ଗଣ୍ଡଗୋଳ ସୃଷ୍ଟି କରିଥିଲେ ଓ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଥିଲେ ମଧ୍ୟ ତାହା ହୋଇ ପାରିନଥିଲା। ପରିଶେଷରେ ଯାତ୍ରୀମାନେ ନିଜେ ଟ୍ୟାକ୍ସି ଏବଂ ବସ୍ ଯୋଗେ ଦିଲ୍ଲୀରେ ପହଞ୍ଚିଥିଲେ।

Leave A Reply

Your email address will not be published.