ବୁଡ଼ୁଛି ସିନ୍ଧୁ ଡେଲଟା: ୨୦ ବର୍ଷରେ ୪୦ଟି ଗାଁ ହଜିଗଲାଣି; ୧୨ ଲକ୍ଷ ଲୋକ ଘର ଛାଡ଼ି ପଳାଇଛନ୍ତି, ପାକିସ୍ତାନ ଉପରେ ଏ କି ସଙ୍କଟ?
ଲାହୋର: ଦକ୍ଷିଣ ପାକିସ୍ତାନରେ ଭୟଙ୍କର ସଙ୍କଟ। ସିନ୍ଧୁ ଡେଲଟା (ଯେଉଁଠି ନଦୀ ଓ ସମୁଦ୍ରର ମିଳନ ହୁଏ) ଦ୍ରୁତଗତିରେ ଲୋପ ପାଉଛି। ଗତ ୨୦ ବର୍ଷରେ ସମୁଦ୍ର ପାଣି ୪୦ଟି ଗାଁକୁ ଗିଳିଛି। ପ୍ରାୟ ୧୨ ଲକ୍ଷ ଲୋକ ଘର ଛାଡ଼ି ପଳାଇଛନ୍ତି। ଶତାବ୍ଦୀ ପୁରୁଣା ଚାଷ ଓ ମାଛ ଧରା ସଂସ୍କୃତି ଧୀରେ ଧୀରେ ଧ୍ୱଂସ ହେଉଛି।
ସିନ୍ଧୁ ନଦୀ ଆରବ ସାଗର ସହ ମିଶୁଥିବା ସିନ୍ଧ ପ୍ରଦେଶର ଏହି ଡେଲଟା ପୂର୍ବେ ଥିଲା ସମୃଦ୍ଧ। ଲୋକେ ଚାଷ, ଚିଙ୍ଗୁଡ଼ି ଚାଷ ଓ ଜଙ୍ଗଲ ରକ୍ଷା କରୁଥିଲେ। କିନ୍ତୁ ଏବେ ସମୁଦ୍ର ଜଳ ମାଟିକୁ ଲୁଣିଆ କରୁଛି। ଏହାପରେ ଖେତ ଖାଲି ପଡ଼ିଛି।
ଖାରୋ ଚାନ ସହରର ହବିବୁଲ୍ଲା ଖାତି ତାଙ୍କ ଗାଁ ମିରବାହାରକୁ ଫେରିଥିଲେ। ତାଙ୍କ ମା’ଙ୍କ କବରକୁ ଦେଖିବା ପାଇଁ। ଗାଁଟି କିନ୍ତୁ ଏବେ ଲୁଣରେ ଢାଙ୍କି ହୋଇଛି। ସମୁଦ୍ର ଆଗେଇ ଆସୁଛି। ହଜାର ହଜାର ଲୋକ କରାଚି ପଳାଇଛନ୍ତି।
ଜନଗଣନା ତଥ୍ୟ କହୁଛି, ଖାରୋ ଚାନର ଜନସଂଖ୍ୟା ୧୯୮୧ରେ ୨୬,୦୦୦ ଥିଲା। ୨୦୨୩ରେ ଏହା ୧୧,୦୦୦କୁ ଖସିଛି। ଜିନ୍ନା ଇନଷ୍ଟିଟ୍ୟୁଟ ରିପୋର୍ଟ ଅନୁସାରେ, ୨୦ ବର୍ଷରେ ୧୨ ଲକ୍ଷରୁ ଅଧିକ ଲୋକ ଡେଲଟା ଛାଡ଼ିଛନ୍ତି।
୧୯୫୦ ଦଶକଠାରୁ ଡେଲଟାକୁ ମିଳୁଥିବା ମଧୁର ଜଳ ୮୦% କମିଛି। ୨୦୧୮ର ଏକ ଅଧ୍ୟୟନ କହୁଛି, ନାଳ, ବନ୍ଧ ଓ ଜଳବାୟୁ ପରିବର୍ତ୍ତନ ଏହାର କାରଣ। ଉପର ସିନ୍ଧୁ ଅଞ୍ଚଳରେ ହିମବାହ ଓ ତୁଷାର ପ୍ରଭାବିତ। କମ ମଧୁର ଜଳ ହେତୁ ସମୁଦ୍ର ଜଳ ଭିତରକୁ ଆସୁଛି। ୧୯୯୦ ଦଶକଠାରୁ ମାଟିର ଲୁଣିଆପଣ ୭୦% ବଢ଼ିଛି। ଚାଷ ଅସମ୍ଭବ ହୋଇଛି। ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ଲୋପ ପାଇଗଲେଣି।
ଏହାକୁ ଆହୁରି ଖରାପ କରିଛି ଭାରତର ନିଷ୍ପତ୍ତି। କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତି ମାନୁନାହିଁ। ଏହି ଚୁକ୍ତି ପାକିସ୍ତାନର ଚାଷ ଓ ଗ୍ରାମୀଣ ଅଞ୍ଚଳ ପାଇଁ ଜୀବନାଧାର। ଏହା ବନ୍ଦ ହେଲେ ଜଳ ଅଭାବ ବଢ଼ିଛି। ତେଣୁ ଡେଲଟା ଆହୁରି କ୍ଷତିଗ୍ରସ୍ତ ହୋଇଛି।
ସିନ୍ଧୁ ନଦୀ ତିବ୍ବତରୁ ଉତ୍ପତ୍ତି। କଶ୍ମୀର ଦେଇ ପାକିସ୍ତାନକୁ ଆସେ। ଏହା ପାକିସ୍ତାନର ୮୦% ଚାଷ ଜମିକୁ ଜଳ ଯୋଗାଏ। ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ଦିଏ। ଡେଲଟାରେ ନଦୀର ମାଟି ଚାଷ, ମାଛ ଧରା ଓ ବନ୍ୟଜନ୍ତୁ ପାଇଁ ଉପଯୁକ୍ତ ଥିଲା। ଏବେ ଏହି ପରିବେଶ ଓ ରାଜନୀତିକ ସମସ୍ୟାର ପ୍ରମାଣ। ଯେଉଁମାନେ ଏହି ସ୍ଥାନ ଛାଡ଼ି ପଳାଇଛନ୍ତି, ସେମାନଙ୍କ ଭବିଷ୍ୟତ ଅନିଶ୍ଚିତ। ସମୁଦ୍ର ଜମି ଓ ଜୀବିକା ଗିଳୁଛି।
Comments are closed.