Latest Odisha News

BREAKING NEWS

ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର, ଶ୍ରମିକଙ୍କୁ ଅନ୍‌ଲାଇନ୍‌ରେ ମଜୁରୀ ଦେବେ ଠିକା ସଂସ୍ଥା

ଭୁବନେଶ୍ୱର: ରାଜ୍ୟରେ ଲାଗୁ ହେବ ଇ-ମଷ୍ଟର ବ୍ୟବସ୍ଥା । ଅକ୍ଟୋବର ୨ ତଥା ଗାନ୍ଧୀଜୟନ୍ତୀରୁ ଏହା କାର୍ଯ୍ୟକାରୀ ହେବ । ଏହାଦ୍ୱାରା ସବୁ କାର୍ଯ୍ୟରେ ଶ୍ରମିକମାନଙ୍କୁ ଠିକା ସଂସ୍ଥା ଅନ୍‌ଲାଇନ୍‌ରେ ମଜୁରୀ ପ୍ରଦାନ କରିବେ । ସେମାନେ ସର୍ବନିମ୍ନ କେତେ ମଜୁରୀ ଦେଉଛନ୍ତି ସେସବୁ ଉଲ୍ଲେଖ ରହିବ । ୫ଟି ଅନ୍ତର୍ଗତ ଆଜି ଇ-ମଷ୍ଟର ବ୍ୟବସ୍ଥାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଶାସନରେ ସ୍ୱଚ୍ଛତା ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଇ-ମଷ୍ଟର ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ମଜୁରୀ ହସ୍ତାନ୍ତର କରାଯିବ । ଏହାସହ ଇଏସ୍‌ଆଇ ଓ ଇପିଏଫ୍ ଦେୟଗୁଡିକର ଠିକ୍ ସମୟରେ ଜମା କରିବା ନିଶ୍ଚିତ କରିବ । ଗାନ୍ଧୀଜୟନ୍ତୀରୁ ଏହା କାର୍ଯ୍ୟକାରୀ ହେବ । ପ୍ରଥମ ପର୍ଯ୍ୟାୟରେ ୫ଟି ବିଭାଗରେ ଏହା ଲାଗୁ ହେବ । ସେହି ୫ଟି ବିଭାଗ ହେଉଛି- ଜଳ ସମ୍ପଦ, ପୂର୍ତ୍ତ ଓ ପଞ୍ଚାୟତିରାଜ ବିଭାଗ, ଗ୍ରାମ୍ୟ ଉନ୍ନୟନ ଓ ନଗର ଉନ୍ନୟନ ବିଭାଗ । ଏହି ୫ଟି ବିଭାଗର ବିଭିନ୍ନ ପ୍ରକଳ୍ପ ବାବଦରେ ଇ-ପେମେଂଟ ଯୋଗେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ । ୨୦୨୧ ଜାନୁଆରୀ ୧ ତାରିଖ ସୁଦ୍ଧା ସବୁ ବିଭାଗରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ୫ଟି ଅନ୍ତର୍ଗତ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପୂର୍ତ୍ତ ବିଭାଗ ନୋଡାଲ ବିଭାଗ ହେବ । ରାଜ୍ୟସ୍ତରର ତାଲିମ ଏବଂ କର୍ମଚାରୀଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଓ ମାନବ ସମ୍ବଳ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ବିଭିନ୍ନ ବିଭାଗର ସଚିବ, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.