Latest Odisha News

ଶାନ୍ତିପୂର୍ଣ୍ଣ ଭାବରେ ସରିଲା ଚତୁର୍ଥ ପର୍ଯ୍ୟାୟ ମତଦାନ, ବଙ୍ଗଳାରେ ସର୍ବାଧିକ ଭୋଟିଂ

ନୂଆଦିଲ୍ଲୀ: ଶାନ୍ତିପୂର୍ଣ୍ଣ ଭାବରେ ସରିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଦେଶର ୯୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ଅନୁଷ୍ଠିତ ହୋଇଥିଲା । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା ମତଦାନ । ମିଳିଥିବା ତଥ୍ୟ ଅନୁସାରେ ଏହି ପର୍ଯ୍ୟାୟରେ ୬୨.୯୪% ମତଦାନ ହୋଇଛି । ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଜାମ୍ମୁକାଶ୍ମୀରରେ ସବୁଠାରୁ କମ୍ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ମୋଟ ମତଦାନ ୭୬.୦୨ ପ୍ରତିଶତ ଥିବା ବେଳେ ଜାମ୍ମୁକାଶ୍ମୀରରେ ମୋଟ ୩୬.୮୮ ପ୍ରତିଶତ ମତଦାନ ହୋଇଛି ।

ସୂଚନା ଅନୁସାରେ, ଦେଶର ୯୬ଟି ଲୋକସଭା ଆସନରେ ଗତକାଲି ୬୨.୯୪ ପ୍ରତିଶତ ମତଦାନ କରାଯାଇଛି । ପଶ୍ଚିମବଙ୍ଗରେ ୭୫.୦୨%, ଆନ୍ଧ୍ରପ୍ରଦେଶରେ ୬୮.୧୨%, ମଧ୍ୟପ୍ରଦେଶରେ ୬୮.୮୬%, ଓଡିଶାରେ ୬୩.୮୫%, ଝାଡଖଣ୍ଡରେ ୬୩.୪୪%, ତେଲେଙ୍ଗାନାରେ ୬୧.୫୪%, ବିହାରରେ ୫୫.୯୨%, ଉତ୍ତରପ୍ରଦେଶରେ ୫୭.୯୭%, ମହାରାଷ୍ଟ୍ରରେ ୫୨.୯୩% ଏବଂ ଜାମ୍ମୁ କାଶ୍ମୀରରେ ୩୬.୮୮% ମତଦାନ ହୋଇଛି ।

ରିପୋର୍ଟ ମୁତାବକ, ଚତୁର୍ଥ ପର୍ଯ୍ୟାୟରେ ଅଧିକାଂଶ ଆସନରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଅନୁଷ୍ଠିତ ହୋଇଛି । ତେବେ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗର କେତେକ ସ୍ଥାନରେ ହିଂସାକାଣ୍ଡ ଘଟିଥିବାର ସୂଚନା ମିଳିଛି । କେବଳ ଏତିକି ନୁହେଁ ପଶ୍ଚିମବଙ୍ଗ ଏବଂ ଓଡିଶାର କେତେକ ବୁଥରେ ମଧ୍ୟ ଇଭିଏମ୍ ତ୍ରୁଟି ଥିବା ଖବର ଆସିଛି । ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ୱାଇଏସଆରସିପି କେତେକ ଜିଲ୍ଲାରେ ପରସ୍ପରଙ୍କ ବିରୋଧରେ ହିଂସା ଅଭିଯୋଗ କରିଛନ୍ତି। ଏହି ସମୟ ମଧ୍ୟରେ, ୱାଇଏସଆରସିପି ବିଧାୟକଙ୍କ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ଜଣେ ଭୋଟରଙ୍କୁ ଚାପୁଡ଼ା ମାରିଥିବାର ନଜର ଆସିଥିଲେ। ଏହା ବ୍ୟତୀତ ବିଜେପି ପ୍ରାର୍ଥୀ ମାଧବୀ ଲତା ମୁସଲମାନ ମହିଳାମାନଙ୍କ ବୁର୍ଖା ଉଠାଇ ସେମାନଙ୍କ ମୁହଁ ଦେଖିଥିଲେ, ଯେଉଁଥିପାଇଁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନର ୩ଟି ପର୍ଯ୍ୟାୟରେ ମୋଟାମୋଟି ୬୬.୧୪%, ୬୬.୭୧% ଏବଂ ୬୫.୬୮% ମତଦାନ ହୋଇଥିଲା । ଗତକାଲି ଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଥିଲା । ଏଥିରେ ତେଲେଙ୍ଗାନାର ସମସ୍ତ ୧୭ ଟି ଆସନ, ଆନ୍ଧ୍ରପ୍ରଦେଶର ୨୫ ଟି ଆସନ, ଉତ୍ତରପ୍ରଦେଶର ୧୨ ଟି, ବିହାରର ୫ଟି, ଝାଡଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ମହାରାଷ୍ଟ୍ରର ୧୧ଟି, ଓଡିଶାର ୪ଟି, ପଶ୍ଚିମବଙ୍ଗର ୪ଟି ଏବଂ ଜାମ୍ମୁ କାଶ୍ମୀରରେ ୮ଟି ଆସନରେ ମତଦାନ ହୋଇଛି ।

Comments are closed.