Latest Odisha News

୨୬୧ ରେଳ କୋଚ୍‌କୁ ସଂଗରୋଧ ପାଇଁ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର: କୋଭିଡ଼୍‌-୧୯ ସଂକ୍ରମଣ ବୃଦ୍ଧି ସହିତ ସାରା ଦେଶରେ ଅଧିକ ସଂଖ୍ୟକ ସଂଗରୋଧ ବ୍ୟବସ୍ଥାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ୨୬୧ଟି ଯାତ୍ରୀବାହୀ ରେଳ କୋଚ୍‌କୁ ସଂଗରୋଧ ବା କ୍ୱାରେନ୍‌ଟାଇନ୍ ସୁବିଧା ପ୍ରଦାନ ପାଇଁ ରୂପାନ୍ତର କରାଯାଉଛି । ଏହି କୋଚ୍ ଗୁଡ଼ିକରେ ରୋଗୀମାନଙ୍କ ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ଉପକରଣ ସହ ମେଡ଼ିକାଲ୍ ସୁବିଧା ଯୋଗାଇ ଦିଆଯିବ ।

ଏହି ରୂପାନ୍ତର କାର୍ଯ୍ୟ ପୂର୍ବ ତଟ ରେଳପଥର ମଞ୍ଚେଶ୍ୱର, ଭୁବନେଶ୍ୱର, ସମ୍ବଲପୁର ଓ ବିଶାଖାପାଟଣା ଠାରେ ରହିଥିବା ବିଭିନ୍ନ କାରଖାନା ଓ କୋଚିଙ୍ଗ୍ ଡିପୋରେ କରାଯିବ ବୋଲି କତ୍ତୃପକ୍ଷ ସୂଚନା ଦେଇଛନ୍ତି । କୋଚ୍‌ଗୁଡ଼ିକର ରୂପାନ୍ତର ସମ୍ପୂର୍ଣ୍ଣ ହେବା ପରେ, ଟ୍ରେନ୍ ଗୁଡ଼ିକ ପୂର୍ବ ତଟ ରେଳପଥର ବିଭିନ୍ନ ଷ୍ଟେସନରେ ସଂଗରୋଧ ସୁବିଧା ପାଇଁ ରଖାଯିବ ।

ସାରା ଦେଶରେ ଭାରତୀୟ ରେଳ ପକ୍ଷରୁ ୫୦୦୦ ରେଳକୋଚ୍‌କୁ ସଂଗରୋଧ ବା କ୍ୱାରେନ୍‌ଟାଇନ୍ ସୁବିଧା ପାଇଁ ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ଗୁରୁବାର ସୁଦ୍ଧା ୨୩ଟି ରୂପାନ୍ତରିତ ହୋଇସାରିଥିବା କୋଚ୍ ମଧ୍ୟରୁ ଭୁବନେଶ୍ୱର ଓ ସମ୍ବଲପୁର ଠାରେ ଛଅଟି ଲେଖାଏଁ, ପୁରୀରେ ପାଞ୍ଚଟି, ମଞ୍ଚେଶ୍ୱର ଓ ଖୋର୍ଦ୍ଧାରୋଡ଼ରେ ଗୋଟିଏ ଲେଖାଏଁ ଏବଂ ବିଶାଖାପାଟଣାରେ ୪ଟି ସଂଗରୋଧ ବ୍ୟବସ୍ଥା ରହିଥିବା କୋଚ୍ ରହିଥିବା ସୂଚନା ମିଳିଛି । ଏପ୍ରିଲ ୧୫ ସୁଦ୍ଧା ପ୍ରସ୍ତାବିତ ସମସ୍ତ କୋଚ୍‌ଗୁଡ଼ିକର ରୂପାନ୍ତର ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ପୂର୍ବ ତଟ ରେଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.