Latest Odisha News

BREAKING NEWS

ପୂର୍ବ ଭାରତର ସର୍ବବୃହତ ଏଚ୍‌ଆର୍ କନ୍‌କ୍ଲେଭ୍ ‘ସୋଆ ପ୍ରକ୍ସିମା -୨୦୨୪’ ଉଦ୍‌ଯାପିତ, ମାନବ ସମ୍ବଳ ଓ ଶିଳ୍ପ ବିଶେଷଜ୍ଞଙ୍କ ବୌଦ୍ଧିକ ଚର୍ଚ୍ଚା

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଆୟୋଜିତ ହୋଇଥିବା ପୂର୍ବ ଭାରତର ସର୍ବବୃହତ ଏଚ୍‌ଆର୍ କନ୍‌କ୍ଲେଭ୍ ‘ସୋଆ ପ୍ରକ୍ସିମା – ୨୦୨୪’ ଶନିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଦୁଇ ଦିନିଆ ସମ୍ମିଳନୀର ୫ମ ସଂସ୍କରଣରେ ଦେଶର ବଛା ବଛା ପେସାଦାର ଯୋଗ ଦେଇ ବିଭିନ୍ନ ବିଷୟରେ ବୌଦ୍ଧିକ ଚର୍ଚ୍ଚା କରିଛନ୍ତି । ଗୋଟିଏ ଛାତ ତଳେ ଦେଶର ୧୦୦ରୁ ଅଧିକ ମାନବ ସମ୍ବଳ ବିଶେଷଜ୍ଞ, ଶିଳ୍ପ ବିଶେଷଜ୍ଞ ଓ ଅଭିଜ୍ଞ ପେସାଦାର ସଂପ୍ରତି ବୈଷୟିକ ଶିକ୍ଷା କେଉଁ ସବୁ ଆହ୍ୱାନର ସମ୍ମୁଖୀନ ହେଉଛି ଏବଂ ତାକୁ କିଭଳି ସଫଳତାର ସହ ସାମ୍ନା କରାଯାଇ ପାରିବ ସେ ସଂପର୍କରେ ମାନସ ମନ୍ଥନ କରିଛନ୍ତି ।

ସୋଆ ପକ୍ଷରୁ ଆୟୋଜିତ ଏହି କନ୍‌କ୍ଳେଭରେ ଯୋଗ ଦେଇଥିବା ଅଭିଜ୍ଞ ବିଶେଷଜ୍ଞମାନେ ପ୍ରାୟ ୪୫୦୦ ଯୁବ ଟେକ୍ ଟାଲେଂଟଙ୍କ ସହ ଭାବ ବିନିମୟ କରିଥିଲେ । ସୋଆ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ୨ ଅଡିଟୋରିୟମ୍‌ରେ ଆୟୋଜିତ ଏହି କନ୍‌କ୍ଳେଭ ସୋଆ ଓ ଶିଳ୍ପ ମଧ୍ୟରେ ଏକ ସେତୁ ଭଳି ଦାୟିତ୍ୱ ତୁଲାଇବାରେ ସଫଳ ହୋଇଛି । ଏହି କନ୍‌କ୍ଳେଭ ବଦଳୁଥିବା ଦୁନିଆ ଓ ବୈଷୟିକ କୌଶଳ ସହ କେମିତି ଖାପ ଖୁଆଇବାକୁ ପଡ଼ିବ ସେ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିଛି । ଛାତ୍ରଛାତ୍ରୀମାନଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବାରେ ଏ କନ୍‌କ୍ଳେଭ ବେଶ ସହାୟକ ହୋଇଛି।

‘ସୋଆ ପ୍ରକ୍ସିମା – ୨୦୨୪’ ର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ ଅଲ୍ ଇଣ୍ଡିଆ କାଉନ୍ସିଲ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଅଧ୍ୟକ୍ଷ ପ୍ରଫେସର ଟି.ଜି. ସୀତାରାମ । ଉଦ୍‌ଯାପନୀ ଉତ୍ସବରେ ମୁମ୍ବାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସଭାପତି (ଏଚ୍‌ଆର) ବିଜୟ କୁମାର ସାହୁ ଯୋଗ ଦେଇଥିଲେ । ଟାଟା ଇଂଟରନ୍ୟାନାଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଡ. ସନ୍ଦୀପନ୍ ଚକ୍ରବର୍ତୀ ମଧ୍ୟ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଏହି ସମ୍ମିଳନୀରେ କଗ୍ନିଜାଂଟର ଓଡ଼ିଶା ମୁଖ୍ୟ ଶ୍ରୀ ସତୀଶ କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ ।

କନ୍‌କ୍ଲେଭ୍‌ରେ ଏଚସିଏଲ ଟେକ୍‌, କଗ୍ନିଜାଂଟ, ସିନୋପସିସ୍‌, ପିଡବ୍ଳ୍ୟସି ଇଣ୍ଡିଆ, ମାଷ୍ଟରକାର୍ଡ, ଡେଲଏଟ୍ ଇଣ୍ଡିଆ, ଜେପି ମୋର୍ଗାନ, ମାରୁତି ସୁଜୁକି, କଂଟିନେଟାଂଲ ଅଟୋମୋଟିଭ, ବ୍ରିଟିଶ ପେଟ୍ରୋଲିୟମ୍‌, ଲିନୋଭୋ, ମହିନ୍ଦ୍ରା କମ୍ଭିଭା, ଇମାମି ପେପର ମିଲ୍‌ସ ଓ ଗ୍ରାସିମ୍ ଭଳି ଶିଳ୍ପର ମାନବ ସମ୍ବଳ ବିଶେଷଜ୍ଞମାନେ ସାମିଲ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଷିୟକ ଶିର୍କ୍ଷାଥୀମାନେ ଖୁବ୍ ଶୀଘ୍ର ଏକ ନୂଆ ବିଶ୍ୱକୁ ସାମ୍ନା କରିବାକୁ ଯାଉଛନ୍ତି । ତେଣୁ ନୂଆ ପରିସ୍ଥିତି ସହ ସେମାନଙ୍କୁ ଖାପ ଖୁଆଇବାର ଆବଶ୍ୟକତା ଉପରେ ଦୁଇ ଦିନ ଧରି ବିସ୍ତୃତ ଆଲୋଚନା ହୋଇଥିଲା । ବିଶେଷଜ୍ଞମାନେ ଛାତ୍ରଛାତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ରଖିବା ସହ ସନ୍ଦେହ ଦୁର କରିଥିଲେ ।

ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ନୂତନ ଶିକ୍ଷାନୀତିକୁ ସୋଆ ବିଶ୍ୱବିଦ୍ୟାଳୟ କିପରି ଗୁରୁତ୍ୱ ଦେଉଛି ସେ ବିଷୟରେ କହିଥିଲେ । ଶିକ୍ଷାନୁଷ୍ଠାନ ସହ ଶିଳ୍ପାନୁଷ୍ଠାନକୁ ଯୋଡିବା ପାଇଁ ବିଶ୍ୱବିଦ୍ୟାଳୟ ପଦକ୍ଷେପ ନେଉଛି ବୋଲି ପ୍ରକାଶ କରି ସୋଆ ଅନେକ ଶିଳ୍ପ ସହ ଯୋଡି ହୋଇ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣକୁ ପ୍ରୋତ୍ସାହିତ କରୁଛି ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ଏବଂ ଅତିରିକ୍ତ ଡିନ୍ (ଛାତ୍ରମଙ୍ଗଳ) ଆଇଟିଇଆର୍ ପ୍ରଫେସର ରେଣୁ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ କର୍ପୋରେଟ ରିଲେସନ୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏନ୍‌ଗେଜମେଂଟ ନିର୍ଦ୍ଦେଶକ ଶ୍ରୀ ରୀପ୍ତି ରଂଜନ ଦାଶ ସମ୍ମିଳନୀ ପରିଚାଳନା କରିବା ସହ ଉଦ୍‌ଯାପନୀ ଦିବସରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.