ବେଙ୍ଗାଲୁରୁ: କର୍ଣ୍ଣାଟକରେ ଭୋଟର ତାଲିକାର ସ୍ପେଶାଲ୍ ସଘନ ସଂଶୋଧନ (SIR) ସମୟରେ ନାଁ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଥିବା ରିପୋର୍ଟକୁ ଖଣ୍ଡନ କରିଛି ଭାରତୀୟ ନିର୍ବାଚନ କମିଶନ (ECI)। ବିଭିନ୍ନ ଗଣମାମଧ୍ୟମରେ ସ୍ପେଲିଂ ଅସଙ୍ଗତି ପାଇଁ ପ୍ରଖ୍ୟାତ ବୈଜ୍ଞାନିକଙ୍କୁ SIR ନୋଟିସ୍ ମିଳିବା ରିପୋର୍ଟ ଚର୍ଚ୍ଚା ହେବା ପରେ, ECI ଏକ ସ୍ପଷ୍ଟୀକରଣ ଜାରି କରିଛି। ଜିଲ୍ଲା ନିର୍ବାଚନ ଅଧିକାରୀ (DEO) ଏବଂ ମୁଖ୍ୟ କମିଶନର ମହେଶ୍ୱର ରାଓ କହିଛନ୍ତି ଯେ ବେଙ୍ଗାଲୁରୁ ସହରାଞ୍ଚଳ ଜିଲ୍ଲାର ମଲ୍ଲେଶ୍ୱରମ୍ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମ୍ପର୍କରେ ଭାରତ ରତ୍ନ ପ୍ରଫେସର ସିଏନଆର ରାଓଙ୍କୁ ଏପରି କୌଣସି ନୋଟିସ୍ ଜାରି କରାଯାଇ ନାହିଁ।
ସୂଚନାଥାଉକି, ପୁରୁଣା ଭୋଟର ତାଲିକାରେ ପ୍ରଫେସର ରାଓଙ୍କ ନାମରେ ‘ସେଲ୍ଫ-ନେମ ମିସମ୍ୟାଚ’ ଥିବା କହି ତାଙ୍କୁ ଶୁଣାଣିରେ ଉପସ୍ଥିତ ରହିବାକୁ ନୋଟିସ ଦିଆଯାଇଥିବା ଚର୍ଚ୍ଚାକୁ ଆସିଥିଲା। ‘ସେଲ୍ଫ-ନେମ ମିସମ୍ୟାଚ’ର ଅର୍ଥ ହେଉଛି ଭୋଟରଙ୍କ ନାମ କିମ୍ବା ଅନ୍ୟ ବିବରଣୀରେ ଅସଙ୍ଗତି। ଅର୍ଥାତ୍ ୨୦୦୨ ମସିହାର ଭୋଟର ତାଲିକାରେ ଥିବା କୌଣସି ଭୋଟର SIR ଏନ୍ୟୁମେରେସନ ଫର୍ମ ପୂରଣ ସମୟରେ ପୁରୁଣା ତାଲିକାର ତଥ୍ୟ ବ୍ୟବହାର କରନ୍ତି। କିନ୍ତୁ ସେହି ତଥ୍ୟ ବର୍ତ୍ତମାନର ଭୋଟର ତାଲିକାର ତଥ୍ୟ ସହ ମେଳ ନ ଖାଇଲେ ଏହାକୁ ‘ସେଲ୍ଫ-ନେମ ମିସମ୍ୟାଚ’ ଭାବେ ଦର୍ଶାଯାଏ। ନିୟମ ଅନୁଯାୟୀ, ଯେଉଁ ବ୍ୟକ୍ତିଙ୍କ ନାମରେ ନୋଟିସ ଜାରି ହୋଇଛି, କେବଳ ସେହି ବ୍ୟକ୍ତି ଶୁଣାଣିରେ ହାଜର ହୋଇପାରିବେ।
ବେଙ୍ଗାଲୁରୁରେ ଜନ୍ମିତ ୯୨ ବର୍ଷୀୟ ପ୍ରଫେସର ସିଏନଆର ରାଓ ବିଜ୍ଞାନ କ୍ଷେତ୍ରରେ ଦେଶର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ। ବିଜ୍ଞାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ କରାଯାଇଛି। ଭାରତ ରତ୍ନ ପାଇଥିବା ବୈଜ୍ଞାନିକମାନଙ୍କ ମଧ୍ୟରେ ସେ ତୃତୀୟ। ସଲିଡ-ଷ୍ଟେଟ ଓ ଷ୍ଟ୍ରକ୍ଚରାଲ କେମିଷ୍ଟ୍ରି କ୍ଷେତ୍ରରେ ଗବେଷଣା ପାଇଁ ପ୍ରଫେସର ସିଏନଆର ରାଓ ବିଶ୍ୱର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଭାବେ ପରିଚିତ। ବିଜ୍ଞାନ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇଛନ୍ତି। ନୋବେଲ ପୁରସ୍କାରକୁ ଛାଡ଼ିଦେଲେ ବିଜ୍ଞାନ କ୍ଷେତ୍ରର ପ୍ରାୟ ସମସ୍ତ ପ୍ରମୁଖ ସମ୍ମାନ ଓ ପୁରସ୍କାର ସେ ହାସଲ କରିଛନ୍ତି। ତାଙ୍କ ଭଳି ଜଣେ ପ୍ରତିଷ୍ଠିତ ବୈଜ୍ଞାନିକଙ୍କ ନାମ ଭୋଟର ତାଲିକାରେ ନାଁ ତ୍ରୁଟି ଯୋଗୁ ଶୁଣାଣିକୁ ଆସିବା ଘଟଣା ଏବେ ଚର୍ଚ୍ଚାରେ ରହିଛି।

