ଚଣ୍ଡିଗଡ: ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାଲରେ ଆମ୍ ଆଦମୀ ପାର୍ଟି ନେତା । ପଞ୍ଜାବ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୀବ ଅରୋରାଙ୍କ ଲୁଧିଆନା ସ୍ଥିତ ବାସଭବନରେ ଇଡି ରେଡ୍ କରିଛି । ମନି ଲଣ୍ଡରୀଂ ମାମଲାରେ ଏହି ରେଡ୍ କରାଯାଇଥିବା ସୂଚନା ମିଳିଛି । ଏହା ସହ ଏକ ଜମି କାରବାରରେ ହୋଇଥିବା ଅନିୟମିତତାରେ ସଞ୍ଜୀବଙ୍କ ନାଁ ସ୍କାନରକୁ ଆସିଥିଲା ।
ଗୁରୁଗ୍ରାମ, ଚଣ୍ଡିଗଡ, ଲୁଧିଆନା, ଜଳନ୍ଧରରେ ଫେମା ଅନୁସାରେ ୧୩ଟି ସ୍ଥାନରେ ଯାଞ୍ଚ୍ କରାଯାଉଛି । ଏଥିରେ ସଞ୍ଜୀବଙ୍କ ବ୍ୟତୀତ ହେମନ୍ତ ସୁଦ୍ ଏବଂ ଚନ୍ଦ୍ରଶେଖର ଅଗ୍ରଓ୍ୱାଲଙ୍କ ଘର ଏବଂ କାର୍ଯ୍ୟାଳୟ ସାମିଲ ଅଛି । ଏହାସହ ସୁରକ୍ଷା ପାଇଁ ସିଆରପିଏଫ ଯବାନଙ୍କୁ ନିୟୋଜିତ କରାଯାଇଛି ।
ତେବେ ଏହା ପୂର୍ବରୁ ୨୦୨୪ରେ ଆପ୍ ନେତା ସଞ୍ଜୀବଙ୍କ ଘରେ ଇଡି ରେଡ୍ କରିସାରିଛି । ଇଡି ତଦନ୍ତରେ ଜଣା ପଡିଥିଲା ଯେ, ସଞ୍ଜୀବଙ୍କ କମ୍ପାନୀ ହାମ୍ପଟନ୍ ସ୍କାଏ ରିଅଲଟି ଲିମିଟେଡ୍ ପୂର୍ବରୁ ଅନେକ ପରିଯୋଜନାରେ ଟଙ୍କା ନିବେଶ କରିଛି । କିନ୍ତୁ ଏଥିରେ ଚଞ୍ଚକତା କରାଯାଇଥିଲା । ଅର୍ଥାତ ଜମିର କିସମ ପରିବର୍ତ୍ତନ କରାଯାଇଥିବା ପରେ ଜଣା ପଡିଥିଲା । ଖାଲି ଏତିକି ନୁହେଁ ଷ୍ଟକ୍ ମାର୍କେଟରେ ଇନସାଇଡର ଟ୍ରେଡିଂରେ ସଞ୍ଜୀବ ଅନେକ ବେଆଇନ କାରବାର କରିଛନ୍ତି ।
ଏହା ସହ ଶିଳ୍ପ ପାଇଁ ଉପଯୁକ୍ତ ଜମିକୁ ସଞ୍ଜୀବ ଏବଂ ତାଙ୍କର କିଛି ସହଯୋଗୀ ଦୂରୁପଯୋଗ କରିଥିଲେ । ଯାହା ରାଜ୍ୟ ସରକାରଙ୍କୁ କ୍ଷତି ପହଁଚାଇଥିଲା । ଏହାସହ ଆପ୍ ନେତା କଳାଟଙ୍କା ଉପାର୍ଜନ କରିଥିଲେ । ଇଡି ଆଶଙ୍କା କରୁଛି ଯେ, ଆପ୍ ନେତା ସଞ୍ଜୀବ ନିଜର ରାଜନୈତିକ କ୍ଷମତାକୁ ଅପବ୍ୟବହାର କରିଛନ୍ତି ।