Latest Odisha News

BREAKING NEWS

ଆଜି ଶେଷ ହେବ କେଜ୍ରିୱାଲଙ୍କ ରିମାଣ୍ଡ ଅବଧି, ଦିନ ୨ଟାରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ରିମାଣ୍ଡ ଅବଧୀ ଆଜି ଶେଷ ହେବ । ଆଜି ଦିନ ୨ଟା ବେଳେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରାଯିବ । କୋର୍ଟରେ ହାଜର ପରେ ଅଧିକ ତଦନ୍ତ ପାଇଁ ଇଡି ତାଙ୍କୁ ଆଉ କିଛି ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ । ସେପଟେ କେଜ୍ରିୱାଲଙ୍କ ପତ୍ନୀ ସୁନିତା କେଜ୍ରିୱାଲ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ଅବକାରୀ ଦୁର୍ନୀତି ଟଙ୍କା କେଉଁଠି ଅଛି ତାହା କେଜ୍ରିୱାଲ କହିବେ ବୋଲି କହିଛନ୍ତି ।

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି ଯେ, ତାଙ୍କ ବିରୋଧରେ ଉଠିଥିବା ଏହି ଅବକାରୀ ଦୁର୍ନୀତି ମାମଲାରେ ଇଡି ଗତ ୨ ବର୍ଷରେ ୨୫୦ରୁ ଅଧିକ ସ୍ଥାନରେ ଚଢାଉ କରିଛି । ସେ ଏହି ଦୁର୍ନୀତି ମାମଲାର ଟଙ୍କା ଖୋଜୁଛି । କିନ୍ତୁ ଏପର୍ଯ୍ୟନ୍ତ କରାଯାଇଥିବା କୌଣସି ଚଢାଉରେ ଇଡିକୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ମନୀଷ, ସତେନ୍ଦ୍ର ଏବଂ ସଞ୍ଜୟ ସିଂଙ୍କ ଘରେ ଚଢାଉ କରାଯାଇଥିଲା କିନ୍ତୁ ଗୋଟିଏ ପଇସା ମଧ୍ୟ ମିଳିନାହିଁ । ଆମ ଘରୁ କେବଳ ୭୩ ହଜାର ଟଙ୍କା ଜବତ କରାଯାଇଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ପରଦିନ ଟ୍ରାଏଲ କୋର୍ଟ ତାଙ୍କୁ ମାର୍ଚ୍ଚ ୨୮ ପର୍ୟ୍ୟନ୍ତ ଇଡି ହାଜତକୁ ପଠାଇଥିଲେ। ତାଙ୍କ ଗିରଫଦାରିକୁ ଚ୍ୟାଲେଞ୍ଜ କରି କେଜ୍ରିୱାଲ ହାଇକୋର୍ଟରେ ଆବେଦନ କରିଥିଲେ। ତାଙ୍କ ଗିରଫ ଓ ରିମାଣ୍ଡ ବେଆଇନ । ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ ବୋଲି କେଜ୍ରିୱାଲ ତାଙ୍କ ଆବେଦନରେ ଯୁକ୍ତି କରିଥିଲେ ।

ଗତକାଲି ଏହି ମାମଲାର ଶୁଣାଣି କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଜାମିନ ଦେବାକୁ ହାଇକୋର୍ଟ ସିଧା ମନା କରି ଦେଇଥିଲେ। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଥିଲେ ଯେ, ହେପାଜତ ସମୟରେ ଇଡି ହୁଏତ କିଛି ତଥ୍ୟ ସଂଗ୍ରହ କରିଥାଇପାରେ, ଯାହା ଶୁଣାଣି ସମୟରେ କୋର୍ଟରେ ଉପସ୍ଥାପନ କରିବାକୁ ଚାହିଁପାରେ। ଏହି ଆବେଦନ ପାଇଁ ମଧ୍ୟ ଏହି ତଥ୍ୟଗୁଡିକ ଗୁରୁତ୍ୱପୂର୍ଣ୍ଣ ହେବ। ଇଡିଠାରୁ ନ ଶୁଣି ଆମେ ଏହା ଉପରେ ନିଷ୍ପତ୍ତି ନେଇ ପାରିବୁ ନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ରେ ହେବ। ସକାଳେ ମୁଖ୍ୟମନ୍ତ୍ରୀ କେଜ୍‌ରିଓ୍ବାଲ ଏବଂ ଇଡିଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ଏହାର ଆଦେଶ ସଂରକ୍ଷିତ ରଖିଥିଲେ।

 

Comments are closed.