ମନି ଲଣ୍ଡ୍ରିଂ ମାମଲା: ଖଣି ବ୍ୟବସାୟୀ ରତିକାନ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ଇଡି, କ୍ରିପ୍ଟୋ ସ୍କାମ୍ରେ ଇଓଡବ୍ଲ୍ୟୁର କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ରାଜ୍ୟରେ ଦୁଇଟି ପୃଥକ୍ ବଡ଼ ଧରଣର ଆର୍ଥିକ ଅପରାଧ ଓ ଠକେଇ ମାମଲାରେ ତଦନ୍ତକାରୀ ସଂସ୍ଥାମାନେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୋଟିଏ ପଟେ ବେଆଇନ ଖଣି କାରବାର ଓ ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଖଣି ବ୍ୟବସାୟୀ ରତିକାନ୍ତ ରାଉତ ଓରଫ୍ ଜୁଲୁଙ୍କୁ ରିମାଣ୍ଡରେ ନେଇଥିବା ବେଳେ, ଅନ୍ୟପଟେ ରାଜ୍ୟ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ୨୦୦ କୋଟି ଟଙ୍କାର କ୍ରିପ୍ଟୋ କରେନ୍ସି ଠକେଇ ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପ୍ରଥମ ଘଟଣାରେ, ଢେଙ୍କାନାଳ ଅଞ୍ଚଳରେ ବେଆଇନ ପଥର ଖାଦାନ ଓ କ୍ରସର କାରବାର ସହ ଜଡ଼ିତ ମନି ଲଣ୍ଡ୍ରିଂ ମାମଲାରେ ଇଡି ଗୁରୁବାର ଦିନ ବ୍ୟବସାୟୀ ରତିକାନ୍ତ ରାଉତଙ୍କୁ ଗିରଫ କରିଥିଲା। ଅଧିକ ପଚରାଉଚରା ଏବଂ ତାଙ୍କ କଳା କାରବାରର ଚେର ଖୋଜିବା ପାଇଁ ଇଡି ପକ୍ଷରୁ କୋର୍ଟରେ ୧୪ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା।
ତେବେ ମାନ୍ୟବର କୋର୍ଟ ତାଙ୍କୁ ୫ ଦିନ ପାଇଁ ଇଡି ହେପାଜତକୁ ପଠାଇବାକୁ ଅନୁମତି ଦେଇଛନ୍ତି। ଏହି ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ ଇଡି ଅଧିକାରୀମାନେ ଜୁଲୁଙ୍କଠାରୁ ବେଆଇନ ଅର୍ଥ କାରବାରର ବିସ୍ତୃତ ତଥ୍ୟ ଆଦାୟ କରିବେ। ସୂଚନାଯୋଗ୍ୟ ଯେ, ଗତବର୍ଷ ଏକ ଲାଞ୍ଚ ମାମଲାରେ ଇଡିର ଜଣେ ବରିଷ୍ଠ ଅଧିକାରୀ ସିବିଆଇ ହାତରେ ଧରାପଡ଼ିବାରେ ରତିକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ।
ଦ୍ୱିତୀୟ ଘଟଣାରେ, ସାରା ଦେଶରେ ଚହଳ ପକାଇଥିବା ପ୍ରାୟ ୨୦୦ କୋଟି ଟଙ୍କାର ‘ୟେସ୍ ୱାର୍ଲ୍ଡ’ କ୍ରିପ୍ଟୋ ପୋଞ୍ଜି ସ୍କାମ୍ରେ ଇଓଡବ୍ଲ୍ୟୁ ଏକ ବଡ଼ ସଫଳତା ପାଇଛି। ଏହି ମହାଠକେଇର ଅନ୍ୟତମ ମୁଖ୍ୟ ତଥା ସକ୍ରିୟ ସଦସ୍ୟ ଚିତ୍ତରଞ୍ଜନ ମହାନ୍ତିଙ୍କୁ ଜଗତସିଂହପୁରର ଗୋପାଳପୁର ଅଞ୍ଚଳରୁ ଗିରଫ କରାଯାଇଛି ।
କ୍ରିପ୍ଟୋ କରେନ୍ସିରେ ବିନିଯୋଗ କଲେ ଅଳ୍ପ ଦିନରେ ବହୁଗୁଣା ଲାଭ ମିଳିବାର ପ୍ରଲୋଭନ ଦେଖାଇ ଏହି ସଂସ୍ଥା ଏକ ପିରାମିଡ୍ ଶୈଳୀରେ ଲୋକଙ୍କୁ ଯୋଡ଼ିଥିଲା। ଓଡ଼ିଶାର ପ୍ରାୟ ୮,୦୦୦ ରୁ ଊର୍ଦ୍ଧ୍ୱ ସାଧାରଣ ନିବେଶକଙ୍କ ସମେତ ସାରା ଦେଶର ୨.୫ ଲକ୍ଷ ଲୋକଙ୍କୁ ଏହି ସଂସ୍ଥା ଚୂନ ଲଗାଇଥିବା ତଦନ୍ତରୁ ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଚିତ୍ତରଞ୍ଜନ ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରମୋସନାଲ୍ ମିଟିଂ ଆୟୋଜନ କରି ଲୋକଙ୍କୁ ଏହି ଜାଲରେ ଫସାଉଥିଲେ। ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୧୯ ଲକ୍ଷରୁ ଅଧିକ ଟଙ୍କା ଟ୍ରାନ୍ସଫର ହୋଇଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି । ଏହାପୂର୍ବରୁ ଏହି ଘଟଣାରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇ ସାରିଛି । ଆଗାମୀ ଦିନରେ ଏହି ଉଭୟ ମାମଲାର ତଦନ୍ତ ପ୍ରକ୍ରିୟା ଆଗେଇଲେ ଆହୁରି ଅନେକ ଗୁମର ଫିଟିବାର ସମ୍ଭାବନା ରହିଛି।

