ରାଉରକେଲା: ରାଜ୍ୟରେ ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଥିବା ବେଳେ ଗୁରୁବାର ସୁନ୍ଦରଗଡ଼ ଜିଲ୍ଲା ଲାଠିକଟାର ତହସିଲଦାର ତଥା ସବ୍-ରେଜିଷ୍ଟ୍ରାର୍ ମୁରଲୀଧର ଉର୍ମଲ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ଗିରଫ ହୋଇଛନ୍ତି। ନିଜ ଭଡ଼ା ଗାଡ଼ିରେ ଅଫିସ୍ରୁ ୫ ଲକ୍ଷ ଟଙ୍କାର ହିସାବ ବହିର୍ଭୂତ ଲାଞ୍ଚ ନେଇ ରାଉରକେଲା ସ୍ଥିତ ବାସଭବନକୁ ଫେରୁଥିବା ବେଳେ ରାଜାବାସା ଛକ ନିକଟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଧରିଥିଲା । ନଗଦ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ଭିଜିଲାନ୍ସ ଉଭୟ ଟଙ୍କା ଏବଂ ଗାଡ଼ିକୁ ଜବତ କରି ତାଙ୍କୁ ଗିରଫ କରିଛି ।
ଏହି ଘଟଣା ପରେ ତୁରନ୍ତ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଉର୍ମଲଙ୍କ ସହିତ ଜଡ଼ିତ ଥିବା ୩ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା। ଏଥିରେ ତାଙ୍କର ରାଉରକେଲା ସିଭିଲ୍ ଟାଉନ୍ସିପ୍ ସ୍ଥିତ ଇ-୪୩ ବାସଭବନ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ କରମଡିହି ସ୍ଥିତ ପୈତୃକ ଘର ଏବଂ ଲାଠିକଟା ସ୍ଥିତ ତହସିଲ୍ ଅଫିସ୍ କାର୍ଯ୍ୟାଳୟ ସାମିଲ ରହିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିବା ଏହି ଖାନତଲାସି ବେଳେ ତାଙ୍କ ଘରୁ ଆହୁରି ଅନେକ ବେଆଇନ ସମ୍ପତ୍ତିର ପର୍ଦ୍ଦାଫାଶ ହୋଇଛି। ଯାଞ୍ଚ ସମୟରେ ଅଧିକ ୫ ଲକ୍ଷ ୮୩ ହଜାର ଟଙ୍କା ନଗଦ ଆକାରରେ ଜବତ କରାଯାଇଛି ।
ଏହା ସହିତ ତହସିଲଦାରଙ୍କ ନାମରେ ପ୍ରାୟ ୭୫ ଲକ୍ଷ ୩୧ ହଜାର ଟଙ୍କାର ବିଭିନ୍ନ ବ୍ୟାଙ୍କ ଡିପୋଜିଟ୍, ପୋଷ୍ଟାଲ୍ ଆକାଉଣ୍ଟ୍ ଓ ବୀମା ପଲିସି ଥିବା ଭିଜିଲାନ୍ସ ଅଧିକାରୀମାନେ ଠାବ କରିଛନ୍ତି। ସମ୍ପତ୍ତି ତାଲିକାରେ ସୁନ୍ଦରଗଡ଼ ଜିଲ୍ଲାରେ ଏକ ଆଲିସାନ୍ ଦ୍ୱିମହଲା କୋଠା, ୬ଟି ବହୁମୂଲ୍ୟ ଜମି, ଗୋଟିଏ କାର ଏବଂ ୩ଟି ଦୁଇଚକିଆ ଯାନ ମଧ୍ୟ ରହିଛି । ଅଳଙ୍କାର ମଧ୍ୟରେ ୬୦୬ ଗ୍ରାମ ସୁନା ଏବଂ ୬୩୫ ଗ୍ରାମ ରୁପା ଜବତ କରାଯାଇଥିବା ସୂଚନା ମିଳିଛି ।
ଜଣେ ସରକାରୀ ରାଜସ୍ୱ ଅଧିକାରୀଙ୍କ ପାଖରୁ ଏତେ ବଡ଼ ଧରଣର ସମ୍ପତ୍ତି ଠାବ ହେବା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଅଭିଯୁକ୍ତ ତହସିଲଦାରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି । ତାଙ୍କର ଏହି କଳାଧନ ଉପାର୍ଜନ ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ତାହାର ଖୋଳତାଡ଼ ଜାରି ରହିଛି।

