ଭୁବନେଶ୍ବର: ସରିଲା ୧୮ ଘଣ୍ଟାର ଜେରା । ଦିନ ରୁ ରାତି ସାରା ଜେରା ପରେ ଭୋର ୪ ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି । ଗତକାଲି ଦିନ ୧୦ ଟାରେ ଇଡି ଅଫିସରେ ହାଜର ହୋଇଥିଲେ ପ୍ରୟାସକାନ୍ତି । ଏହା ପରେ ତାଙ୍କୁ ମାରାଥନ୍ ଜେରା କରାଯାଇଥିଲା । ରାତି ସାରା ଇଡିର ତିନୋଟି ଟିମ୍ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିଥିଲେ ।
ଏହି ୧୮ ଘଣ୍ଟାର ଜେରାରେ ଅନେକ ତଥ୍ୟ ପାଇଛି ଏହାସହ ୩ ଟି ମୋବାଇଲ ଜବତ କଲା ଇଡି । ଏପରିକି ଡିଲିଟ୍ ହୋଇଥିବା ତଥ୍ୟ ରିକଭରୀ କରୁଛି ଇଡି ର ସାଇବର ଏକ୍ସପର୍ଟ ଟିମ୍ । ଏହା ପୂର୍ବରୁ ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ବାପା ପ୍ରଫୁଲ୍ଲ ସାମଲଙ୍କୁ ମଧ୍ୟ ୮ ଘଣ୍ଟା ଇଡି ଜେରା କରିଥିଲା ।
ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରୟାସକାନ୍ତି କହିଛନ୍ତି ଯେ, ‘ମୋତେ କିଛି ପଚାରିନାହାନ୍ତି, ପୁଣି ଆଣର ମାନଙ୍କ ସହ ଦେଖାହେବ’ ।
ଖବର ଅନୁଯାୟୀ, ଗତ ଫେବୃଆରୀ ୧୫ ତାରିଖରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ବାସ ଭବନ ସମେତ ୧୦ଟି ସ୍ଥାନରେ ଚଢାଉ କରିଥିଲା ଇଡି । ଭଦ୍ରକ ସହରର ୪ଟି ଓ ଭୁବନେଶ୍ୱରର ୬ଟି ସ୍ଥାନରେ ଇଡି ରେଡ୍ କରିଥିଲା । କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷାରେ ଏହି ରେଡ୍ ଚାଲିଥିଲା । ଏହାସହ ବରପଦା ଇଞ୍ଜିନିୟରିଙ୍ଗ କଲେଜ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍ ହୋଇଥିଲା ।
ସେହିପରି ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ମଧ୍ୟ ଚଢାଉ କରିଥିଲା ଇଡି । ଚଢାଉ ବେଳେ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍ ଜବତ କରିଥିଲା ଇଡି । କିନ୍ତୁ ଉକ୍ତ କାରଟି ପ୍ରୟାସକାନ୍ତିଙ୍କ ନାଁ ରେ ରେଜିଷ୍ଟ୍ରେସନ ହୋଇନଥିବା ବେଳେ ଜବତ କାରଟି ବିଲଡର ସଂସ୍ଥା ନାଁରେ ରହିଥିବା ଜଣାପଡିଥିଲା । ଏନେଇ ଛାନଭିନ୍ ଆରମ୍ଭ କରିଥିଲା ଇଡି । ଏହାପରେ ଉଭୟ ବାପ ପୁଅଙ୍କୁ ଇଡି ସମନ ପଠାଇଥିଲା ।
Comments are closed.