Latest Odisha News

BREAKING NEWS

ବନ ଅଧିକାରୀଙ୍କ ପ୍ରତିବାଦର ପ୍ରଭାବ! ସକାଳେ ଘର ଭାଙ୍ଗିଲେ, ସଂଧ୍ୟାରେ ରାସ୍ତାରେ ହାତୀ ପଲ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ଗଣେଶ ବିହାର ଅଞ୍ଚଳରେ ମଙ୍ଗଳବାର ସକାଳେ ୩ଟି ବଣୁଆ ହାତୀ ଉପଦ୍ରବ କରିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିବା ବେଳେ ସଂଧ୍ୟାରେ ଶିଖରଚଣ୍ଡୀ ନିକଟରେ 200 ଫୁଟର ରାସ୍ତାରେ ହାତୀପଲ ବୁଲୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଥିବା ବେଳେ ଆତଙ୍କିତ ହୋଇପଡ଼ିଛନ୍ତି।

ଉଲ୍ଲେଖଯୋଗ୍ୟ, ଶିମିଳିପାଳରେ ମାସକ ମଧ୍ୟରେ ଦୁଇ ବନ ଅଧିକାରୀ ଶିକାରୀ ଗୁଳିରେ ପ୍ରାଣ ହରାଇବା ପରେ ଡ୍ୟୁଟି ବେଳେ ବ୍ୟାପକ ସୁରକ୍ଷା ଦାବି କରିଛନ୍ତି। ଏବେ ଦାବିକୁ ଯଥାର୍ଥ ବୋଲି ଦର୍ଶାଇ ପ୍ରତିକାତ୍ମକ ଭାବେ ବନ ଅଧିକାରୀମାନେ ସାରା ରାଜ୍ୟରେ ଫୁଟ ପାଟ୍ରୋଲିଂ କରିବାକୁ ମନା କରିଦେଇଛନ୍ତି। ସୋମବାରଠୁ ଏପରି ପ୍ରତିବାଦକୁ ଓହ୍ଲାଇଛନ୍ତି। ଯାହାର ଫଳସ୍ବରୂପ ମଙ୍ଗଳବାର ସକାଳେ ଓ ସଂଧ୍ୟାରେ ହାତୀପଲ ଜନବସତି ଆଡକୁ ମାଡ଼ି ଆସିିଥିବା କୁହାଯାଉଛି।

ସକାଳେ ହାତୀପଲ ଭରତପୁର ଜଙ୍ଗଲରୁ ତଳକୁ ଓହ୍ଲାଇ ଶିଖରଚଣ୍ଡୀ ନିକଟରେ ଥିବା ଜନବସତି ଅଞ୍ଚଳକୁ ପ୍ରବେଶ କରିଥିଲେ।ହାତୀମାନେ ଅନେକ ଘର ଓ ଗାଡି ଭାଙ୍ଗିବା ସହ ଗଛ ମଧ୍ୟ ଭାଙ୍ଗିଛନ୍ତି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ, ଚନ୍ଦକା ଫରେଷ୍ଟ ଡିଭିଜନର ଅଧିକାରୀଙ୍କୁ ହାତୀଙ୍କ ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କେହି ହାତୀଙ୍କୁ ଘଉଡାଇବା ପାଇଁ ଆସିନଥିଲେ।

ଭୁବନେଶ୍ୱରରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ପ୍ରଥମ ନୁହେଁ। ୨୦୨୩ ମେ’ ମାସରେ ଏକ ବଣୁଆ ହାତୀ ମୈତ୍ରୀ ବିହାର ଅଞ୍ଚଳରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଶେଷରେ ବନ ବିଭାଗ କର୍ମଚାରୀ ଓ ପୁଲିସର ମିଳିତ ଉଦ୍ୟମରେ ଏକ ଘଣ୍ଟାର ଅପରେସନ ପରେ ହାତୀଟିକୁ ଜଙ୍ଗଲ ଭିତରକୁ ପଠାଇଦିଆଯାଇଥିଲା।

ଭୁବନେଶ୍ୱରରେ ବାରମ୍ବାର ବଣୁଆ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚନ୍ଦକା ବନ୍ୟପ୍ରାଣୀ ଅଭୟାରଣ୍ୟ ଚତୁଃପାର୍ଶ୍ବରେ ଖୋଳା ଯାଇଥିବା ଟ୍ରେଞ୍ଚକୁ ସହର ଭିତରକୁ ହାତୀଙ୍କ ପ୍ରବେଶକୁ ରୋକିବା ପାଇଁ ଅନେକ ସ୍ଥାନରେ ଭର୍ତ୍ତି କରାଯାଇଥିବା ବେଳେ ହାତୀଙ୍କ ପାଇଁ ନିର୍ମାଣ କରାଯାଇଥିବା ଚାରିଆଡ଼େ କାନ୍ଥ ଭାଙ୍ଗି ଯାଇଛି। ଫଳରେ ହାତୀପଲ ସହର ମଧ୍ୟକୁ ସହଜରେ ପଶି ଆସୁଛନ୍ତି।

ଜଙ୍ଗଲୀ ହାତୀ ଯେପରି ଭୁବନେଶ୍ୱରକୁ ମାଡ଼ି ନ ଆସନ୍ତି, ସେଥିପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି। ସେହିପରି ହାତୀଙ୍କ ଉପରେ ନଜର ରଖିବା ପାଇଁ ବନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ସଙ୍ଖ୍ୟା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି।

Leave A Reply

Your email address will not be published.