Latest Odisha News

BREAKING NEWS

ଗଦ୍ଦାର କିଏ, ଉଦ୍ଧବ ନା ସିନ୍ଦେ?

ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ ପରେ ଏବେ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ଶିବସେନାର ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତବର୍ଷ ଆଜିର ଦିନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ।

ତେଣୁ ଉଦ୍ଧବ ଗୋଷ୍ଠୀ ଶିବସେନା ଏହି ଦିବସକୁ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ପାଳନ କରିବାକୁ ଘୋଷଣା କରିଛି। ସେଥିପାଇଁ ମୁମ୍ବାଇ ପୋଲିସ ପକ୍ଷରୁ ଶିବସେନା ଓ ଏନସିପି କାର୍ଯ୍ୟକର୍ତାଙ୍କୁ ନୋଟିସ ଜାରି କରାଯାଇଛି। ଏଭଳି କରି ରାଜ୍ୟର ଆଇନ ବ୍ୟବସ୍ଥାକୁ ନ ବିଗାଡିବା ପାଇଁ ପୋଲିସ ପକ୍ଷରୁ ତାଗିଦ କରାଯାଇଛି। ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତି ଚଳଚଞ୍ଚଳ ହୋଇଛି।

ଗଦ୍ଦାରୀ ପ୍ରସଙ୍ଗକୁ ନେଇ ରାଜ୍ୟରେ ଆରୋପ ପ୍ରତ୍ୟାରୋପ ପର୍ବ ଜୋର ଧରିଛି। ଉଦ୍ଧବ ଗୋଷ୍ଠି ଶିବସେନା ୨୦ ତାରିଖକୁ ବିଶ୍ୱ ଗଦ୍ଦାର ଦିବସ ପାଳିବାକୁ ଦାବି କରିଛି।

ଉଦ୍ଧବ ଗୋଷ୍ଠୀ ଶିବସେନାର ନେତା ସଞ୍ଜୟ ରାଉତ ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଏଣ୍ଟୋନିଓ ଗୁଟାରେସଙ୍କୁ ଏ ନେଇ ପତ୍ର ଲେଖିଛନ୍ତି। ରାଜ୍ୟସଭା ସଦସ୍ୟ ଏବଂ ଶିବସେନା ନେତା ଭାବେ ୨୦ ଜୁନକୁ ବିଶ୍ୱ ଗଦ୍ଦାର ଦିବସ ଭାବେ ପାଳନ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ବିଜେପିର ପ୍ରରୋଚନାରେ ଶିବସେନାର ୪୦ ଜଣ ବିଧାୟକ ଦଳ ଛାଡିବା ସହ ଏମଭିଏ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଉଦ୍ଧବ ଠାକରେଙ୍କ ସହ ଏମାନେ ଧୋକା କରିଛନ୍ତି। ସେଥିପାଇଁ ଏହି ଦିନକୁ ଗଦ୍ଦାର ଦିବସ ଭାବେ ପାଳନ କରିବାକୁ ସେ ନିବେଦନ କରିଛନ୍ତି।

ସେପଟେ ବିଜେପି ଏହି ପ୍ରସଙ୍ଗକୁ ନେଇ ଓଲଟା ଉଦ୍ଧବ ଗୋଷ୍ଠୀ ଉପରେ ଗଦ୍ଦାରୀର ଅଭିଯୋଗ ଲଗାଇଛି। ଉଦ୍ଧବ ଠାକରେ ଗଦ୍ଦାରୀ କଥା କହୁଛନ୍ତି କିନ୍ତୁ ଖୋଦ ଉଦ୍ଧବ ହିଁ ଗଦ୍ଦାରୀ କରିଛନ୍ତି ବୋଲି କହିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିଶ।

ରାଜ୍ୟର ଜନତା ବିଜେପି ଶିବସେନା ମେଣ୍ଟକୁ ସମର୍ଥନ ଦେଇଥିଲେ କିନ୍ତୁ ଉଦ୍ଧବ କଂଗ୍ରେସ ଓ ଏନସିପି ସହ ଗଲେ। ସେଥିପାଇଁ ଗଦ୍ଦାରୀ ଉଦ୍ଧବ କଲେ ବୋଲି ଫଡନାଭିଶ କହିଛନ୍ତି।

ଏପରିକି ଏକନାଥ ସିନ୍ଦେ ଶିବସେନାକୁ ବଞ୍ଚାଇଛନ୍ତି ବୋଲି ଫଡନାଭିଶ କହିଛନ୍ତି। ଭିବଣ୍ଡି ଲୋକସଭା କ୍ଷେତ୍ର ଅଧୀନସ୍ଥ କଲ୍ୟାଣ ବିଧାନସଭା ଅଞ୍ଚଳରେ ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ସେ ଏ କଥା କହିଛନ୍ତି।

ସେହିପରି ବିଜେପି ବିଧାୟକ ନିତେଶ ରାଣେ ମଧ୍ୟ ଉଦ୍ଧବଙ୍କ ଉପରେ ବର୍ଷିଛନ୍ତି। ଉଦ୍ଧବ ନିଜ ବାପାଙ୍କ ବିଚାରଧାରା ସହ ଗଦ୍ଦାରୀ କରିଛନ୍ତି ବୋଲି ରାଣେ କହିଛନ୍ତି। ଏପରିକି ହିନ୍ଦୁତ୍ୱ, ମରାଠୀ ଏବଂ ବିଜେପି ସହ ଉଦ୍ଧବ ଗଦ୍ଦାରୀ କରିଛନ୍ତି ବୋଲି ସେ କହିଛନ୍ତି।

ତେଣୁ ଜୁନ ୨୦ ନୁହେଁ ବରଂ ଉଦ୍ଧବ ତାଙ୍କ ଜନ୍ମଦିନ ଜୁଲାଇ ୨୭ ରେ ପାଳୁଥିବାରୁ ଏହି ଦିନକୁ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ଭାବେ ପାଳିବା ଉଚିତ ବୋଲି ରାଣେ କହିଛନ୍ତି।

ସିନ୍ଦେ ଉଦ୍ଧବ ଲଢେଇ ଦିନକୁ ଦିନ ତୀଵ୍ର ହେବାରେ ଲାଗିଛି। ସେପଟେ ଉଭୟ ଗୋଷ୍ଠୀ ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଷ୍ଠା ଦିବସ ପାଳନ ସହ ଶକ୍ତି ପ୍ରଦର୍ଶନ କରିବା ପରେ ଏହି ଗଦ୍ଦାରୀ ଦିବସ ପାଳନକୁ ନେଇ ଲଢେଇ ରାଜନୀତିକୁ ରୋଚକ କରିଛି।

Leave A Reply

Your email address will not be published.