Latest Odisha News

ଆଇନଷ୍ଟାଇନଙ୍କ ‘ପରମାଣୁ ଚିଠି’ର ମୂଲ୍ୟ ୩୨ କୋଟି

ନୂଆଦିଲ୍ଲୀ: ଦୁନିଆର ମହାନ ଭୌତିକ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ । ସେ ବି ଥିଲେ ଜଣେ ମାନବବାଦୀ ବୈଜ୍ଞାନିକ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି’ ରୁଜଭେଲ୍ଟଙ୍କୁ ଏକ ଚିଠି ଲେଖିଥିଲେ ଆଇନଷ୍ଟାଇନ୍ । ପରମାଣୁ ଅସ୍ତ୍ରଶସ୍ତ୍ରର ଚେତାବନୀ ଦେଇ ଆମେରିକା ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ ଆଇନଷ୍ଟାଇନ । ଏହି ମୂଲ୍ୟବାନ ଚିଠି ନ୍ୟୁୟର୍କର ଫ୍ରାଙ୍କଲିନ୍ ଡି ରୁଜଭେଲ୍ଟ ଲାଇବ୍ରେରୀରୁ ମିଳିଥିଲା । ସେହି ଚିଠି ଏବେ ନିଲାମ ହୋଇଛି । ଚିଠିରେ ରହିଛି ଆଇନଷ୍ଟାଇନଙ୍କ ଦସ୍ତଖତ । ଚିଠିଟି ୩୨ କୋଟି ଟଙ୍କାରେ ନିଲାମ ହୋଇଛି । କ୍ରିଷ୍ଟିଜ୍ ପକ୍ଷରୁ ଏହି ଚିଠି ନିଲାମ କରାଯାଇଛି ।

ପରମାଣୁ ବୋମା ନେଇ ଚେତାବନୀ ଦେଇଥିଲେ ଆଇନଷ୍ଟାଇନ୍

୧୯୩୯ ମସିହା ଗ୍ରୀଷ୍ମ ଋତୁରେ ଆମେରିକା ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି ରୁଜଭେଲ୍ଟଙ୍କୁ ଚିଠି ଲେଖିଥିଲେ ଆଇନଷ୍ଟାଇନ୍ । ଜର୍ମାନୀ ପରମାଣୁ ବୋମା ବିକଶିତ କରୁଛି ବୋଲି ଚିଠିରେ ଉଲ୍ଲେଖ କରିଥିଲେ ଆଇନଷ୍ଟାଇନ୍ । ପରମାଣୁ ଭୌତିକିରେ ଯେଉଁ ନୂଆ ଗବେଷଣା ଅନୁସାରେ ୟୁରାନିୟମକୁ ଏକ ନୂଆ ଓ ଗୁରୁତ୍ୱପୂର୍ଣ୍ଣ ଶକ୍ତି ସ୍ରୋତରେ ପରିଣତ କରାଯାଇପାରିବ । ଏଥିରୁ ଅତି ଶକ୍ତିଶାଳୀ ବିସ୍ଫୋରକ ପ୍ରସ୍ତୁତ ହୋଇପାରିବ ବୋଲି ରାଷ୍ଟ୍ରପତି ରୁଜଭେଲ୍ଟଙ୍କୁ ଚେତାଇ ଥିଲେ ଆଇନଷ୍ଟାଇନ୍ । ଆମେରିକା ମଧ୍ୟ ଏ ନେଇ ଗବେଷଣା କରୁ ବୋଲି ଚିଠିରେ ଲେଖିଥିଲେ ଆଇନଷ୍ଟାଇନ ।

ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଚିଠି

ଆମେରିକା ରାଷ୍ଟ୍ରପତିଙ୍କୁ ଆଇନଷ୍ଟାଇନଙ୍କ ଚିଠି ବିଶ୍ୱ ଇତିହାସର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚିଠି ଭାବେ ବିବେଚନା କରାଯାଏ । ୨୦୦୨ରେ ମାଇକ୍ରୋସଫଟର ସହ ପ୍ରତିଷ୍ଠାତା ପଲ୍ ଏଲନ ୨୧ ଲକ୍ଷ ଡଲାରରେ ଏକ କଲେକସନ୍ କିଣିଥିଲେ । ଆଇନଷ୍ଟାଇନଙ୍କ ପରମାଣୁ ବୋମା ସଂପର୍କିତ ଚିଠି ଆଲେନଙ୍କ ଦ୍ୱାରା କିଣାଯାଇଥିବା କଲେକସନର ଅଂଶ ଥିଲା । ପୂର୍ବରୁ ଚିଠି ପ୍ରକାଶକ ମାଲକମ ଫୋର୍ବସଙ୍କ ପାଖରେ ଥିଲା । ଫୋର୍ବସ ଆଇନଷ୍ଟାଇନଙ୍କ ଚିଠିକୁ ହଙ୍ଗେରୀର ଭୌତିକ ବୈଜ୍ଞାନିକ ଲିୟୋ ଜିଲାର୍ଡଙ୍କଠାରୁ କିଣିଥିଲେ । ରିପୋର୍ଟ ଅନୁସାରେ ଜିଲାର୍ଡ ହିଁ ଚିଠି ଲେଖିଥିଲେ, ଯେଉଁଥିରେ ଥିଲା ଆଇନଷ୍ଟାଇନଙ୍କ ଦସ୍ତଖତ ଥିଲା ଦସ୍ତଖତ । ଆମେରିକା ଆଇନଷ୍ଟାଇନଙ୍କ କଥାକୁ ଗୁରୁତ୍ୱର ସହ ନେଇ ପରମାଣୁ ବୋମା ନିର୍ମାଣ କରିଥିଲା । ହିରୋସୀମା ଓ ନାଗାସାକିରେ ପରମାଣୁ ବୋମା ପକାଇଥିଲା ଆମେରିକା । ବୋମାର ଭୟ।ବହତା ଓ ଧ୍ୱଂସାତ୍ମକ ଶକ୍ତି ଦେଖି ଅନୁତପ୍ତ ହୋଇଥିଲେ ଆଇନଷ୍ଟାଇନ୍ ।

Comments are closed.