ଭୁବନେଶ୍ବର: ଦୁନିଆର ସବୁଠୁ ବଡ଼ ଆଶୀର୍ବାଦ ହେଉଛି ମା’। ନିଜ ଜନ୍ମଦାତ୍ରୀ ମା’ ଭଳି ଧରିତ୍ରୀ ମଧ୍ୟ ଆମର ଆଉ ଏକ ମା’। ନିଜ ମା’ ପ୍ରତି ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପ୍ରଦର୍ଶନ କରିବା ସହିତ, ଧରିତ୍ରୀ ମା’ର ସୁରକ୍ଷା ଲାଗି, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ‘ଏକ୍ ପେଡ୍ ମା’ କେ ନାମ୍’, ବା ‘ମା ପାଇଁ ଗଛଟିଏ’ ଅଭିଯାନ ଆରମ୍ଭ କରିଛନ୍ତି । ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ କରିଛନ୍ତି । ଶ୍ରୀ ମାଝୀ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।
ଏହି ଅଭିଯାନର ଦ୍ୱିତୀୟ ସଂସ୍କରଣରେ ଚଳିତ ବର୍ଷ ରାଜ୍ୟବ୍ୟାପୀ ମୋଟ ୭.୫ କୋଟି ଗଛ ଲଗାଇବାକୁ ଆମେ ଲକ୍ଷ୍ୟ ରଖିଛୁ । ଜୁନ୍ ୫ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ୩୦ ସେପ୍ଟେମ୍ବରରେ ସମାପ୍ତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ତମ ଜନ୍ମଦିନ- ସେପ୍ଟେମ୍ବର ୧୭ ତାରିଖ। ଏକ ସଶକ୍ତ ଓ ବିକଶିତ ଭାରତ ଗଠନରେ ମୋଦିଜୀଙ୍କ ନେତୃତ୍ୱ ଆଜି ସାରା ବିଶ୍ୱରେ ପ୍ରଶଂସା ଅର୍ଜନ କରିଛି। ଓଡିଶାର ବିକାଶ ପ୍ରତି ମୋଦୀଜୀଙ୍କର ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି ସେ କହିଛନ୍ତି ।
ଓଡିଶାର ବିକାଶ ପ୍ରତି ତାଙ୍କର ନିଷ୍ଠାକୁ ସମ୍ମାନ ଦେଇ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଚାରାରୋପଣ କରାଯିବ । ଏହା ହେବ ମୋଦିଜୀଙ୍କ ପ୍ରତି ଓଡିଶା ବାସୀଙ୍କ ଏକ ସଶ୍ରଦ୍ଧ ଉପହାର। ତେଣୁ, ବୃକ୍ଷରୋପଣ ଭଳି ମହତ କାମରେ ସମସ୍ତ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି, ଏସଏଚଜି ସଦସ୍ୟା ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୋଡ଼ି ହୋଇ ଏହାକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଅନୁରୋଧ କରିଛନ୍ତି ।
ଆସନ୍ତୁ, ଏହି ଅଭିଯାନରେ ଆମେ ସମସ୍ତେ ସାମିଲ ହେବା । ଆମ ଜନ୍ମଦାତ୍ରୀ ମା’ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଧରିତ୍ରୀ ମା’ର ସୁରକ୍ଷା ଲାଗି ଗଛଟିଏ ନିଶ୍ଚୟ ଲଗାଇବା । ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁନ୍ଦର ପୃଥିବୀ ଗଢ଼ି ତୋଳିବାରେ ସହାୟକ ହେବା ବୋଲି ସେ କହିଛନ୍ତି ।
Comments are closed.